ଅବ୍ୟବସ୍ଥାରେ ବେଲଗୁଣ୍ଠାର ସୌନ୍ଦର୍ଯ୍ୟ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ସହରର ପରିଚୟ ଏହାର କଳା ଓ ସୌନ୍ଦର୍ଯ୍ୟ। କିନ୍ତୁ ଆଜି ସେହି ସୌନ୍ଦର୍ଯ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ଅଳିଆ ଆବର୍ଜନା ଏବଂ ଅନ୍ଧାର ମଧ୍ୟରେ ହଜିବାକୁ ବସିଛି। ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାପିତ ହୋଇଥିବା ଲାଇଟ୍ ଗେଟ୍ ଓ ବୋଟ୍ ଆଜି ନିଷ୍ପ୍ରଭ। ଦୀର୍ଘ ଛଅ ମାସ ହେଲା ଏହି ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିରହିଥିଲେ ସୁଦ୍ଧା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ିନାହିଁ।ପାନକିଆରୀ ସ୍ଥିତ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସୌନ୍ଦର୍ଯ୍ୟକରଣ ଆଲୋକ ବ୍ୟବସ୍ଥା ଏବେ ଜଙ୍ଗଲୀ ଲଟାବୁଦା ଏବଂ କାକପୋଇ ଗଛର ଡାଳ ମଧ୍ୟରେ ଛନ୍ଦି ହୋଇ ରହିଛି। ଗଛର ଡାଳଗୁଡ଼ିକ ବିଦ୍ୟୁତ ତାର ଓ ଲାଇଟ୍ ସଂସ୍ପର୍ଶରେ ରହିଥିବାରୁ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଅଘଟଣ ବା ବିଦ୍ୟୁତ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ସହରର ପ୍ରବେଶ ପଥରେ ଥିବା ଏହି ଦୃଶ୍ୟ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ମର୍ମାହତ କରୁଛି।ଯାନ୍ତ୍ରିକ ତ୍ରୁଟି ଏବଂ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଅଧିକାଂଶ ବଲବ୍ ଫ୍ୟୁଜ୍ ହୋଇଗଲାଣି। ଫଳରେ ରାତିରେ ସୌନ୍ଦର୍ଯ୍ୟକରଣ ଲାଇଟ୍ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଜଳୁଛି, ଯାହା ସହରର ଶୋଭା ବଢ଼ାଇବା ପରିବର୍ତ୍ତେ ଏହାର କୁରୂପ ଚିତ୍ର ପ୍ରଦର୍ଶନ କରୁଛି। ୬ ମାସ ହେଲା ସମସ୍ୟା ଥିଲେ ମଧ୍ୟ କୌଣସି ମରାମତି କରାଯାଉନାହିଁ। କାକପୋଇ ଗଛର ଡାଳ ଲାଇଟ୍ ସେଟ୍ଅପ୍ ମଧ୍ୟରେ ପଶି ବିପଦ ସୃଷ୍ଟି କରୁଛି। ନିମ୍ନମାନର ରକ୍ଷଣାବେକ୍ଷଣ ଯୋଗୁଁ ବାରମ୍ବାର ଲାଇଟ୍ ଫ୍ୟୁଜ୍ ହେଉଛି।ବେଲଗୁଣ୍ଠା ଏକ ଐତିହାସିକ ସହର ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପ୍ରଶାସନର ଦାୟିତ୍ୱ। ତେଣୁ ଏନଏସିର କାର୍ଯ୍ୟନିବାହୀ ଅଧିକାରୀ ଏହି ଗୁରୁତର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଏହାର ପୁନଃରୁଦ୍ଧାର କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।


