ତହସିଲଦାରଙ୍କୁ କୋର୍ଟରେ ହାଜର କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ (ଓ୍ବାଇଏନଏସ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଖୋର୍ଦ୍ଧା ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ମେ ୧୪ରେ ତହସିଲଦାରଙ୍କୁ ଆଣି ହାଜର କରାଇବାକୁ ଖୋର୍ଦ୍ଧା ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାମଲାରେ ମେ ୭ ସୁଦ୍ଧା କାରଣ ଦର୍ଶାଇ ଜବାବ ଦାଖଲ କରାଯିବ କିମ୍ବା ତହସିଲଦାର ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ମାର୍ଚ୍ଚ ୧୨ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ଅଦାଲତ ଅବମାନନା ମାମଲାରେ ମାର୍ଚ୍ଚ ୧୨ରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନ କରାଯାଇ ନଥିବା ସ୍ପଷ୍ଟ ହୋଇଥିଲା। ତହସିଲଦାରଙ୍କ ତରଫରୁ ଏ ପର୍ଯ୍ୟନ୍ତ ଜବାବ ଦାଖଲ କରାଯାଇ ନଥିବା ଜଣା ପଡ଼ିଥିଲା। ଏଭଳି ସ୍ଥିତିରେ ତହସିଲଦାର ବ୍ୟକ୍ତିଗତ ଭାବେ ହାଜର ହେବା କଥା। କିନ୍ତୁ ତହସିଲଦାର ମାମଲାର ଶୁଣାଣି ବେଳେ ହାଜର ହୋଇ ନଥିଲେ। ଏଥି ସହିତ ଆଡଭୋକେଟ ଜେନେରାଲଙ୍କ କାର୍ଯ୍ୟାଳୟରୁ ଯାଉଥିବା ଫୋନ୍ କଲ୍ର ମଧ୍ୟ ଖୋର୍ଦ୍ଧା ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ଦିଆଯାଉ ନାହିଁ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ମେ ୧୪ରେ ତହସିଲଦାରଙ୍କୁ ହଜାର କରାଇବାକୁ ଖୋର୍ଦ୍ଧା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ରୁ ବିଚାରାଧୀନ ଥିବା ଏକ ରେଭିନ୍ୟୁ ମିସ୍କେସର ଆଇନ ଅନୁସାରେ ୬ ମାସ ଭିତରେ ଫଏସଲା କରିବାକୁ ଖୋର୍ଦ୍ଧା ତହସିଲଦାରଙ୍କୁ ହାଇକୋର୍ଟ ୨୦୨୪, ଜାନୁଆରି ୩ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ କରି ୨୦୨୪, ନଭେମ୍ବର ମାସରେ ଉପରୋକ୍ତ ଅଦାଲତ ଅବମାନନା ମାମଲା ତହସିଲଦାରଙ୍କ ବିରୋଧରେ ଦାୟର ହୋଇଥିଲା। ୨୦୨୪, ଡିସେମ୍ବର ୨୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରତିପକ୍ଷ ତହସିଲଦାରଙ୍କୁ କାରଣ ଦର୍ଶାଇ ଜବାବ ବା ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଭିନ୍ନ ତାରିଖରେ ମାମଲାର ଶୁଣାଣି ହୋଇଥିଲେ ମଧ୍ୟ ତହସିଲଦାରଙ୍କ ପକ୍ଷରୁ କାରଣ ଦର୍ଶାଇ ଜବାବ ଦାଖଲ କରାଯାଇ ନଥିଲା।


