ସଲାସୁତୁରାରେ ଚାଲିଛି ବେଧଡ଼କ ବାଲି ଚାଲାଣ

ହାଟଡ଼ିହି  (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅଞ୍ଚଳର ବିଭିନ୍ନ ବାଲିଘାଟରୁ ପ୍ରତ୍ୟେକ ଦିନ ଶହ ଶହ ହାଇୱା ଯୋଗେ ବାଲି ଚୋରା ଚାଲାଣ ହେଉଛି l କିଛି ଗାଡ଼ି ବିନା ଟ୍ରାଞ୍ଜିଟରେ ଖସି ଯିବାରେ ସକ୍ଷମ ହେଉଥିଲା ବେଳେ ଅଧାରୁ ଅଧିକ ଗାଡ଼ି ବଲାଙ୍ଗୀର ଜିଲ୍ଲାର ଟ୍ରାଞ୍ଜିଟ୍ ବ୍ୟବହାର କରି ବେଧଡ଼କ ବାଲି ଚାଲାଣ କରୁଛନ୍ତି l କିଛି ହାତଗଣତି ଗାଡ଼ି ଯାଜପୁର ଜିଲ୍ଲା ମାନପୁର ଟ୍ରାଞ୍ଜିଟ୍ ଦେଖାଇ ଖଣି ବିଭାଗ ଅଧିକାରୀଙ୍କ ଆଖିରେ ଧୂଳିଦେଇ ଖସିଯାଉଛନ୍ତି l କୁହାଯାଏ, ବଲାଙ୍ଗୀର ଜିଲ୍ଲାରୁ ବାଲି ନେଇ କେନ୍ଦୁଝର ଜିଲ୍ଲା ଛେନାପଦି ଛକ ଅତିକ୍ରମ କରିବାକୁ ଅତି କମରେ ୧୦ରୁ ୧୨ଘଣ୍ଟା ସମୟ ଲାଗିଥାଏ l ଏପରିକି ବଲାଙ୍ଗୀର ଜିଲ୍ଲା ଟ୍ରାଞ୍ଜିଟ୍ ବ୍ୟବହାର କରୁଥିବା ଗାଡ଼ି ଗୁଡ଼ିକ କିଭଳି ୩୫୦ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତାକୁ ୨/୪ଘଣ୍ଟା ମଧ୍ୟରେ ଛେନାପଦି ଛକ ଅତିକ୍ରମ କରୁଛନ୍ତି ତାହା ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି l କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରେ ଅର୍ଥ ଅଭାବ କୁହାଯାଉଥିବା ବେଳେ, କେନ୍ଦୁଝର ଜିଲ୍ଲାର ରାଜସ୍ବ ଅର୍ଥ ଟ୍ରାଞ୍ଜିଟ୍ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲାକୁ ଯାଉଛି l ବଲାଙ୍ଗୀର ଜିଲ୍ଲାର ଖଣିଜ ପାଣ୍ଠି ବୃଦ୍ଧି ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାର ରାଜସ୍ବ ଏବଂ ଅର୍ଥହାନୀ ଘଟୁଛି l ହାଟଡ଼ିହି ତହସିଲ ଅଧୀନସ୍ଥ ଲିଜ୍ ବାଲିଘାଟ ଗୁଡ଼ିକରୁ ପରିବହନ କାଗଜ ସୁବିଧା ଥିଲେ ସୁଦ୍ଧା ସେସବୁ ବାଲିଘାଟରୁ ଆଦୌ ଟ୍ରାଞ୍ଜିଟ୍ କଟାଯାଉନାହିଁ l ନିୟମ ଠାରୁ ଅଧିକ ପରିମାଣର ବାଲି ଉତ୍ତୋଳନ ହେଉଥିବାରୁ ଲିଜଧାରୀ ବାଲିଘାଟ ମାଲିକ ମାନେ ରାଜସ୍ବ ଫାଙ୍କିବା ପାଇଁ ଟ୍ରାଞ୍ଜିଟ୍ ଦେବାରେ କୁଣ୍ଠାବୋଧ ହେଉଥିବା ଅଭିଯୋଗ ହେଉଛି l ଗାଡ଼ି ମାଲିକ ମାନେ ଟ୍ରାଞ୍ଜିଟ୍ ପାସ୍ ମାଗିଲେ ସେମାନଙ୍କୁ ଟ୍ରାଞ୍ଜିଟ୍ ପିଛା ୯ରୁ ୧୨ହଜାର ଟଙ୍କା ଦାବି କରାଯାଉଛି l କେବଳ ଟିପର ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ବାଲି ପରିବହନ ନିମନ୍ତେ ନିୟମ ଥିଲାବେଳେ ପ୍ରତିଦିନ ୧୨, ୧୪ ଓ ୧୬ ଚକିଆ ହାଇୱା ଯୋଗେ ବେଧଡ଼କ ଚାଲିଛି ବାଲି ଚାଲାଣ l ବାଲି ପରିବହନ ଦିଗରେ ରହିଥିବା ନିୟମକୁ ବାଲିଘାଟ ମାଲିକ ମାନେ ଖୋଲାଖୋଲି ଉଲଂଘନ କରୁଥିବା ବେଳେ ପରିବେଶ ସୁରକ୍ଷାକୁ ନେଇ କୌଣସି ପଦକ୍ଷେପ ନେଉନାହାଁନ୍ତି l ବଜାରର ବିକ୍ରି ମୂଲ୍ୟ ଠାରୁ ଗାଡ଼ି ମାଲିକଙ୍କୁ ବାଲି ଟ୍ରିପ୍ କିଣିବା ମହଙ୍ଗା ହେଉଥିବାରୁ ପ୍ରାୟତଃ ଗାଡ଼ି ମାଲିକ ମାନେ ବିନା ଟ୍ରାଞ୍ଜିଟ୍ ପାସରେ ବାଲି ବେପାର କରୁଥିବା କୁହାଯାଇଛି l ଏପରିକି, କିଛି ଗାଡ଼ି ମାଲିକ ମାଇନିଂ ଅଧିକାରୀ ମାନଙ୍କ ସହ ସଲାସୁତୁରାରେ ବାଲି ଚାଲାଣ କରୁଥିବା ନେଇ ବିଭିନ୍ନ ଛକ ବଜାରରେ ଆଲୋଚନା ହେଉଛି l କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ଏବଂ ଆନନ୍ଦପୁର ଏସଡ଼ିପିଓ ଏଭଳି ଦିଗରେ କଡ଼ା ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ଲ ଏ ସମ୍ପର୍କରେ   ଖଣି ଅଧିକାରୀ ତାରିଣୀ ସିଂଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେହେତୁ ସେମାନେ ଟ୍ରାଞ୍ଜିଟ ପରମିଟ ଦେଖାଉଛନ୍ତି ତେଣୁ ଆମେ କିଛି କରିପାରିବୁ ନି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ