ଜୁଭେଣ୍ଟିକା ସଚେତନ କାର୍ଯ୍ୟକ୍ରମ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ଓଡିଶା ପୁଲିସ ଏବଂ ୟୁନିସେଫର ମିଳିତ ଆନୁକୂଲ୍ୟରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ଶାଖା ପକ୍ଷରୁ କରଞ୍ଜିଆ ଥାନାରେ ଆଜି “ଜୁଭେଣ୍ଟିକା” ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି ରାଜ୍ୟର ସମସ୍ତ ଥାନାରେ ଆୟୋଜିତ ହୋଇଥିବା ବେଳେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏହାର ଉଦ୍ଘାଟନ କରିଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ ଓ ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଏବଂ ବିଭିନ୍ନ ୱାର୍ଡର କିଶୋରୀ ବାଳିକାମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଦୈନନ୍ଦିନ ସମାଜରେ ମହିଳା ଓ ବାଳିକାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ, ସାଇବର ଅପରାଧ ଓ ଅନଲାଇନ ଠକେଇ ସମ୍ବନ୍ଧରେ ଟିଭି ସ୍କ୍ରିନ ମାଧ୍ୟମରେ ସଚେତନ କରାଯାଇଥିଲା। ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ କିଛି କିଶୋରୀ ଶିକ୍ଷକ, କର୍ମଚାରୀ କିମ୍ବା ସହପାଠୀଙ୍କ ନିର୍ଯ୍ୟାତନାର ଶିକାର ହେଉଥିଲେ ମଧ୍ୟ ଲୋକଲଜ୍ଜା ଓ ପୁଲିସ ଭୟରେ ଅଭିଯୋଗ କରୁନଥିବା ବିଷୟ ଉପରେ ଆଲୋଚନା କରାଯାଇଥିଲା। କିଶୋରୀମାନଙ୍କ ମନରୁ ପୁଲିସ ପ୍ରତି ଥିବା ଭୟ ଦୂର କରିବା ସହିତ ଥାନାର କାର୍ଯ୍ୟଶୈଳୀ ସମ୍ବନ୍ଧରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ କର୍ମୀ ଓ କିଶୋରୀମାନଙ୍କୁ ଥାନାର ସମସ୍ତ ଅଧିକାରୀଙ୍କ ସହ ପରିଚୟ କରାଯାଇଥିବା ସହ ସେମାନଙ୍କ କାର୍ଯ୍ୟବଳୀ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ