ସକାଳୁଆ ଅଫିସ ଖୋଲିବା ସମୟ ନିର୍ଘଣ୍ଟ ବାଟବଣା !
ଆସିକା (ୱାଇଏନ୍ଏସ୍): ଖରାକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ୍ ମାସ ୧୦ ତାରିଖ ଠାରୁ ଆରମ୍ଭ ହୋଇଯାଇଛି ସକାଳୁ ଅଫିସ୍ । ସକାଳ ୭ ଘଟିକାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । କିନ୍ତୁ ଆସିକା ସହ ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବହୁ ସରକାରୀ କାର୍ଯ୍ୟାଳୟରେ ସକାଳୁଆ ଅଫିସ୍ ଖୋଲିବା ସମୟ ନିର୍ଘଣ୍ଟ ବାଟବଣା ହେବା ସହ ତୀବ୍ର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସକାଳ ୭ଟାରେ ଅଫିସ୍ ଖୋଲିବା ନିୟମ ଥିବା ବେଳେ ୮ଟା ପର୍ଯ୍ୟନ୍ତ ବହୁ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଚୌକି ଖାଲି ପଡୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା କେତେକ ସରକାରୀ କାର୍ଯ୍ୟାଳୟରେ ବାବୁମାନେ ଠିକ୍ ସମୟରେ ଆସୁନଥିବାରୁ କାର୍ଯ୍ୟରତ କେତେକ କର୍ମଚାରୀମାନେ ମଧ୍ୟ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଛି । ଯେଉଁ ଅଧିକାରୀମାନଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ରହିଛି ସେମାନେ ଯଦି ସକାଳୁଆ ଅଫିସ୍ ଖୋଲିବା ସମୟ ନିର୍ଘଣ୍ଟରେ ନଆସି ବିଳମ୍ବରେ ଆସନ୍ତି ତାହାହେଲେ କାର୍ଯ୍ୟରେ ଅବହେଳା କରୁଥିବା ଅନ୍ୟ କର୍ମଚାରୀମାନଙ୍କ ବିରୁଦ୍ଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ସକାଳୁଆ ଅଫିସ୍ ଖୋଲିବା ସମୟ ନିର୍ଘଣ୍ଟ ଅନୁଯାୟୀ ନିଜ ନିଜ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ଖୋଲୁଥିଲା ବେଳେ ଅଫିସର ବାବୁ ଓ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇଛନ୍ତି ବୋଲି ସଫେଇ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ସରକାରୀ ତହବିଲରୁ ମାସିକ ମୋଟା ରକମ ଦରମା ନେଇ ଠିକ୍ ସମୟରେ କାର୍ଯ୍ୟାଳୟକୁ ନଆସି କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି । କେତେକ ସରକାରୀ କାର୍ଯ୍ୟାଳୟରେ ସକାଳୁଆ ଅଫିସ୍ ଖୋଲିବା ସମୟ ନିର୍ଘଣ୍ଟ ବାଟବଣା ହୋଇଯାଇଥିବା ଯୋଗୁଁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯେଉଁସବୁ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସିସିଟିଭି ବ୍ୟବସ୍ଥା କିମ୍ବା ବାୟୋମେଟ୍ରିକ ଉପସ୍ଥାନ କାର୍ଯ୍ୟକାରୀ ହୋଇଛି ତାହାର ଏକ ନିରପେକ୍ଷ ଯାଞ୍ଚ କଲେ କେଉଁ କର୍ମଚାରୀ କେତେବେଳେ ନିଜ ନିଜ କାର୍ଯ୍ୟାଳୟକୁ ଆସୁଛନ୍ତି ଓ ଯାଉଛନ୍ତି ତାହାର ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


