ଆମ୍ବକୁ ପଚାଇବା ପାଇଁ ବ୍ୟବହୃତ ହେଉଛି ବିଷାକ୍ତ କାର୍ବାଇଟ !

ଆସିକା  (ୱାଇଏନ୍‍ଏସ୍‍): ବଜାରରେ ଏବେ ବିଭିନ୍ନ କିସମର ଆମ୍ବ ଗଦା ହେଉଛି । ଦୈନିକ ହଜାର ହଜାର ଟଙ୍କାର ଆମ୍ବ ବିକ୍ରୀ ହେଉଛି । ବର୍ତ୍ତମାନ ଆମ୍ବ ସିଜନ ଚାଲିଥିବାରୁ ଦର ଯେତେ ଅଧିକ ହେଲେ ବି ଆମ୍ବ ନହେଲେ ପାଟିକୁ ଖାଦ୍ୟ ରୁଚୁନି । ବଜାରରୁ ଫେରିବା ବେଳକୁ ବେଗରେ ପନିପରିବା ସହ ପ୍ରାୟତଃ ଆମ୍ବ ଥିବା ଦେଖିବାକୁ ମିଳୁଛି । ହେଲେ ପାଟିକୁ ସୁଆଦ ଲାଗିବା ପାଇଁ ଅଣାଯାଉଥିବା ଏହି ଆମ୍ବ ଶରୀର ପାଇଁ କେତେ ହିତକାର କି ନୁହେଁ ତାହା ଜାଣିବା ପାଇଁ ସମୟ ନଥାଏ । ଆମ୍ବ ଏପରି ଏକ ଫଳ ଯାହା କଞ୍ଚା ଓ ପାଚିଲା ଖାଇ ହୁଏ । କିନ୍ତୁ ଯେଉଁ ପାଚିଲା ଆମ୍ବ ବଜାରରୁ କ୍ରୟ କରି ଅଣାଯାଉଛି ସେଥିରେ କ୍ୟାନସର ଭଳି ରୋଗକୁ ଆମନ୍ତ୍ରଣ କରାଯାଉଛି ବୋଲି ଅଧିକାଂଶ ଜାଣିନାହାନ୍ତି । ଯେଉଁ ଆମ୍ବ ଗଛରେ ରହିଲେ କିମ୍ବା ତୋଳା ହେବାର କିଛି ଦିନ ମଧ୍ୟରେ ପାଚିବା କଥା ସେହି ଆମ୍ବକୁ କଞ୍ଚା ଅବସ୍ଥାରେ ତୋଳି କ୍ୟାଲସିୟମ କାର୍ବାଇଟ ଦେଇ ପଚାଇ ଦିଆଯାଉଥିବା ଆଲୋଚିତ ହେଉଛି । ଫଳରେ ଉପରୁ ପାଚିଲା ଦେଖାଯାଉଥିବା ଏହି ଆମ୍ବଗୁଡିକ ପାଟିକୁ ସୁଆଦ ଲାଗୁଛି ଆଉ ଶରୀର ପାଇଁ କ୍ଷତିକାରକ ସାଜୁଛି । ସ୍ୱାସ୍ଥ୍ୟ ପାଇଁ କେଉଁ ଫଳ ହିତକର ଓ କେଉଁ ଫଳ ଅହିତକର ତାହାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଯାଞ୍ଚ୍ କରାଯାଉନାହିଁ । କାଲ୍‌ସିୟମ କାର୍ବାଇଟ୍‌ରୁ ଏସିଟିଲିନ୍ ଗ୍ୟାସ୍ ବାହାରୁ ଥିବାରୁ ଏହାକୁ ବ୍ୟବହାର କରି ଯେଉଁ ଫଳ ପଚାଯାଏ ସେହି ଫଳରେ ଏହି ଗ୍ୟାସ୍ ରହିଥାଏ । ଏହାକୁ ଖାଇଲେ କ୍ୟାନସର, ଥାଇରଏଡ, ପାଟି ଭିତରେ ଘା, ଏଲର୍ଜି ପ୍ରଭୃତି ରୋଗ ଦେଖାଦେଉଥିବା ବେଳେ ବୃଦ୍ଧଲୋକଙ୍କ ଶରୀରରେ ଆଜମା ରୋଗ ଦେଖାଦେଇଥାଏ । କେବଳ ଆମ୍ବ ନୁହେଁ କଦଳୀ, ସପୁରୀ, ପଣସ, ଖଜୁରୀ ତଥା ବଜାରେ ମିଳୁଥିବା ପ୍ରାୟ ଅଧିକାଂଶ ଫଳରେ କ୍ୟାଲସିୟମ କାର୍ବାଇଟ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । ତେବେ ଆସିକା ତଥା ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ଆମ୍ବ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଫଳରେ କ୍ୟାଲସିୟମ କାର୍ବାଇଟ ବ୍ୟବାହର କରାଯାଉଛି କି ନାହିଁ ତାହାର ଏକ ଯାଞ୍ଚ୍ କରିବା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ