୨ଟି ଗୋରୁ ବୋଝେଇ ଗାଡ଼ି ଜବତ : ୪ ଗିରଫ
କେନ୍ଦ୍ରାପଡ଼ା,:ସଦରଥାନା ଅଧିନ ଗଣ୍ଡାଖିଆ ନିକଟ ଦେଇ ସହରକୁ ଆସୁଥିବା ଦୁଇଟି ଗୋରୁ ବୋଝେଇ ଗାଡିକୁ ପୋଲିସ ଜବତ କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡା ଟାଉନଥାନା ଅନ୍ତର୍ଗତ ରଣପଡା ଗ୍ରାମର ସେକ ଖଲିଲଙ୍କ ପୁଅ ସେକ ମିନା(୨୫) ଓ ପୋଷ୍ଟଅଫିସ ଲେନର ସୁଲେମାନ ଖାନଙ୍କ ପୁଅ ରିଜୁଆନ ଖାନ(୩୨), ସଦରଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ରତ୍ନାକର ରାଉତଙ୍କ ପୁଅ ଧରଣୀଧର ରାଉତ(୬୦) ଏବଂ ବନ୍ଧପଡା ଗ୍ରାମର ଝରି ସାମଲଙ୍କ ପୁଅ ଅଗଣି ସାମଲ(୫୭)। ପୋଲିସ ସୂଚନା ଅନୁଯାଇ ଗୁରୁବାର ବିଳମ୍ବିତ ରାତିରେ ଗୋଟିଏ ପିକଅପ ଭ୍ୟାନ ଏବଂ ଅନ୍ୟ ଏକ ଡାଲା ଅଟୋରେ ୮ଟି ଗୋରୁ କେନ୍ଦ୍ରାପଡା ସାହର ଆଡକୁ ଆସୁଥିବା ବେଳେ ସଦର ଥାନା ପକ୍ଷରୁ ସେହି ରାସ୍ତାରେ ପୋଲିସ ପାଟ୍ରୋଲିଂ ଚାଲୁଥିଲା। ଫଳରେ ସେହି ଗାଡି ଦୁଇଟି ପୋଲିସ ହାବୁଡରେ ପଡିଯାଇଥିଲେ। ପୋଲିସ ସେହି ଗାଡି ଦୁଇଟିକୁ ଅଟକାଇ ପଚରାଉଚୁରା କରିବାରେ ସେମାନେ କୈାଣସି ସଠିକ ଉତ୍ତର ଦେଇପାରିନଥିଲେ। ଫଳରେ ପୋଲିସ ଗାଡି ଦୁଇଟିକୁ ଗୋରୁମାନଙ୍କ ସହ ଜବତ କରି ସଦରଥାନାକୁ ଆଣିବା ସହ ଗାଡିରେ ଥିବା ୪ଜଣଙ୍କୁ ଗିରଫ କରିଥିଲା। ଏନେଇ ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୨୯୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧, ୩୦୩(୨), ୩(୫),ପ୍ରାଣୀ ନିଷ୍ଠୁରତା ନିରୋଧ ଆଇନର ୧୧(୧)(ଡି)(ଇ) ଧାରା ଏବଂ ଓଡିଶା ଗୋହତ୍ୟା ନିରୋଧ ଆଇନର ଧାରା ୭ରେ ଏକମାମଲା ରୁଜୁ କରାଯାଇ ଆଜି ଗିରଫ ୪ଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ନିର୍ଦ୍ଦେଶରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି।


