ବିଜେଡି ବୈଠକରେ ଲୋକହସା ହେଲେ ବିଧାୟକ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ମହିଳା ଅଧିକାର ସମାବେଶ ପାଇଁ ବିଜେଡି ପ୍ରସ୍ତୁତି ବୈଠକ କରୁଥିବା ବେଳେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଲୋକହସା ହୋଇଛନ୍ତି। କାରଣ ସମାବେଶ ପାଇଁ ଯେତେବେଳେ ତୃୃଣମୂଳ ସ୍ତରର ନେତାଙ୍କୁ ଲୋକ ଯୋଗାଡ କରିବାକୁ ବିଧାୟକ କହିଲେ ସେତେବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ସେଠୀ କହିଥିଲେ ଆପଣ ବିଧାୟକ ହେବା ଦିନରୁ ମୋ ପଞ୍ଚାୟତକୁ କେତେ ଏମଏଲଏ ଲ୍ୟାଡ ଦେଇଛନ୍ତି। ଏହି ପ୍ରଶ୍ନରେ ଘାଇଲା ହୋଇ ଯାଇଥିଲେ ଗଣେଶ୍ୱର। କାରଣ ଗଣେଶ୍ୱର ତାଙ୍କ ପଞ୍ଚାୟତ ପୁରୁଷୋତ୍ତମପୁର ପଞ୍ଚାୟତର ଉନ୍ନତି ପାଇଁ ବିଜେଡି କର୍ମୀ ଓ ନେତାଙ୍କୁ କାମ ନ ଦେଇ ତାଙ୍କ ସହ ବୁଲୁଥିବା କଂଗ୍ରେସ କର୍ମୀ ଓ ନେତାଙ୍କୁ ଦେଉଛନ୍ତି। ଯେହେତୁ ତାଙ୍କୁ ଲ୍ୟାଡ ଦେଇ ନାହାଁନ୍ତି ତେଣୁ ତାଙ୍କ ପାଇଁ କାହିଁକି ସେ ଲୋକ ଯୋଗାଡ କରିବେ ବୋଲି ପ୍ରଶ୍ନ କରିଥିଲେ। ଫଳରେ ବିଧାୟକ ହାସ୍ୟାସ୍ପଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ନିଜକୁ ଏହି ପରିସ୍ଥିତିରୁ ମୁକୁଳାଇବାକୁ ଯାଇ ବିଧାୟକ କହିଥିଲେ ତୁମେ ବିଜେଡିର କର୍ମୀ ନୁହେଁ। ଏହି କଥା ମଧ୍ୟ ବିଧାୟକଙ୍କ ପାଇଁ ମହଙ୍ଗା ପଡିଥିଲା। କାରଣ ଅନନ୍ତ ସେଠୀ ୨୦୦୭ ମସିହାରେ ବିଜେଡି ଟିକଟରେ ୮ ନଂ. ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ୨୦୦୨ ମସିହାରେ ବିଜେଡି ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚନ ଜିତିଥିଲେ। ତାଙ୍କ ବୋହୁ ୨୦୨୨ ମସିହାରେ ବିଜେଡି ସମର୍ଥନରେ ସରପଞ୍ଚଭାବେ ନିର୍ବାଚିତ ହୋଇଥିଲେ। ତେଣୁ ସେ ବିଜୁ ପରିବାରର ଜଣେ ସକ୍ରିୟ ସଦସ୍ୟ ଓ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ତାଙ୍କର ସଂଗଠନ ବେଶ ସୁଦୃଢ ବୋଲି ସେ କହିବାରୁ ବିଧାୟକଙ୍କ ପାଟି ଚୁପ ହୋଇଯାଇଥିଲା। ଏହାପରେ ଅନନ୍ତ ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳଙ୍କ ନିକଟରେ ଦାବି କରିଥିଲେ ଯଦି ବିଧାୟକଙ୍କ କହିବାନୁଯାୟୀ ମୁଁ ଦଳର ନୁହେଁ ତେବେ ମୋତେ ଦଳରୁ ବହିସ୍କାର କରାଯାଉ। ଶ୍ରୀ ଭଳ ଅନନ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ହେଲେ କେନ୍ଦ୍ରାପଡ଼ା ରାଜନୀତିରେ ଜଣେ ସିଟିଂ ବିଧାୟକ ନିଜ ଦଳର କର୍ମୀଙ୍କ ଦ୍ୱାରା ଏକ ବୈଠକରେ ଲୋକହସା ହେବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଅବସରରେ ଶ୍ରୀ ସେଠୀଙ୍କ ମତାମତ ନେବାରୁ ସେ କହିଲେ ଗଣେଶ ବାବୁ ୪୦ ବର୍ଷ ହେବ କଂଗ୍ରେସରେ ଥିଲେ। କଂଗ୍ରେସ ଟିକଟରେ ୨୫ ବର୍ଷ ହାରିଲେ। ତାଙ୍କ ରାଜନୈତିକ କ୍ୟାରିୟର ଫିକା ପଡିଗଲା। ସେ ନିଶ୍ଚିତ ହୋଇଗଲେ କଂଗ୍ରେସ ଟିକଟରେ ବିଧାନସଭା ଏଣ୍ଟ୍ର୍ରି କରିବା ସାତ ସପନ। ତେଣୁ ବିଧାନସଭା ଯିବା ଲୋଭରେ ୨୦୨୪ରେ କଂଗ୍ରେସକୁ ନାତ ମାରି ବିଜେଡିକୁ ଆସିଛନ୍ତି। ତାଙ୍କ ଦେହ ବିଜେଡି ହେଲେ ମନ କଂଗ୍ରେସ। ତେଣୁ ସେ ବିଜେଡିର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଛାମୁଆ ନେତାମାନଙ୍କୁ ଚିହ୍ନି ପାରୁନାହାଁନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ