ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ଆସିକାର କୁନି ଝିଅ ଶ୍ରୀହିତା

ଆସିକା(ୱାଇଏନ୍‍ଏସ୍‍): ଆସିକା କଲେଜଛକ ଅଞ୍ଚଳର ବିସ୍ମୟ ଶିଶୁ ପ୍ରତିଭା ଶ୍ରୀହିତା ଶ୍ରୀୟାନ୍‍ଭି ପରିଡାଙ୍କୁ ବୟସ ମାତ୍ର ୧ ବର୍ଷ ୮ ମାସ । ଯେଉଁ ବୟସରେ ଶିଶୁମାନେ କେବଳ ବାପା ମାଆ ଓ ଗୁରୁଜନଙ୍କ ଭଳି କିଛି ହାତଗଣତି ଶବ୍ଦକୁ ମନେ ରଖି ସେହି ବୟସରେ କୁନି ଝିଅ ଶ୍ରୀହିତା ଶ୍ରୀୟାନ୍‍ଭି ପରିଡା କିନ୍ତୁ ଅନ୍ୟମାନଙ୍କ ଠାରୁ ସଂପୁର୍ଣ୍ଣ ଅଲଗା ଭାବେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ (ଆଇବିଆର୍‍)ରେ ନିଜ ନାମ ସାମିଲ୍‍ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଆସିକା କଲେଜ ଛକ ଅଞ୍ଚଳର ବରିଷ୍ଠ ଆଇନଜୀବୀ ଦ୍ୱାରିକାନାଥ ପରିଡା ଓ ଅଧ୍ୟାପିକା ଶ୍ରୀମତୀ ଭାରତୀ ପ୍ରଧାନଙ୍କ ପ୍ରତିଭାମୟୀ କନ୍ୟା ଶ୍ରୀହିତା ଶ୍ରୀୟାନ୍‍ଭି ପରିଡା ନିର୍ଭୁଲ ଭାବେ ୨୮ ଟି ରାଜ୍ୟର ରାଜଧାନୀ, ୧୨ଟି ସାଧାରଣଜ୍ଞାନ, ଇଂରାଜୀ ଓ ଓଡିଆ ବର୍ଣ୍ଣମାଳା, ବର୍ଷକର ବାର ମାସର ନାମ, ସପ୍ତାହର ସାତ ଦିନର ନାମ, ୧ ରୁ ୩୦ ପର୍ଯ୍ୟନ୍ତ ଓଡିଆରେ ଏବଂ ଇଂରାଜୀ ଭାଷାରେ ଗଣନା, ସାଇକେଲର ୧୦ଟି ଅଂଶ, ମନୁଷ୍ୟ ଶରୀରର ୧୯ଟି ଅଂଶ, ୧୮ଟି ଫ୍ଲାସ୍‍କାର୍ଡ, ୭ଟି ରଙ୍ଗ, ୪ଟି ଅଳଙ୍କାର, ୧୦ଟି ଶିଶୁବୋଧ ଗୀତ, ୧୦ଟି ପଶୁପକ୍ଷୀର ସ୍ୱର ସ୍ପଷ୍ଟ ଭାବେ ଉଚ୍ଚାରଣ କରି ଏହି ସଫଳତା ପାଇବା ସହ ଆଇବିଆର୍‍ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରମାଣ ପତ୍ର ଓ ମେଡାଲ୍‍ ହାସଲ କରିବାରେ ସକ୍ଷମ ହୋଇପାରିଥିବା ଜଣାପଡିଛି । ଅତି କମ୍‍ ବୟସରେ ବିସ୍ମୟ କୁନି ଝିଅ ଶ୍ରୀହିତା ଶ୍ରୀୟାନ୍‍ଭି ପରିଡା ନିଜର ଅଗାଢ ପାଣ୍ଡିତ୍ୟପୂର୍ଣ୍ଣ ଜ୍ଞାନ ଓ କୃତି ଏବଂ କୀର୍ତ୍ତିକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ଆଗାମୀ ଦିନରେ ଏହି ସଫଳତାର ସ୍ରୋତକୁ ଆହୁରି ଅଧିକରୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରିବାରବର୍ଗ ପ୍ରେରଣା ଯୋଗାଉଥିବା ଦେଖିବାକୁ ମିଳୁଛି । ଆସିକା କଲେଜଛକ ଅଞ୍ଚଳର କୁନି ପ୍ରତିଭା ଶ୍ରୀହିତା ଶ୍ରୀୟାନ୍‍ଭି ପରିଡାଙ୍କ ଏହି ବିରଳ ପ୍ରତିଭାକୁ ଦେଖି ପରିବାରବର୍ଗ ବେଶ୍‍ ଉତ୍ସାହିତ ହେବା ସହ ଆଗାମୀ ଦିନରେ ବିଶ୍ୱ ରେକର୍ଡ କରିବାକୁ ଅଭ୍ୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି । ଏତେ କମ୍‍ ବୟସରେ କୁନି ପ୍ରତିଭା ଶ୍ରୀହିତା ଶ୍ରୀୟାନ୍‍ଭି ପରିଡାଙ୍କ ଏହି ସଫଳତା ବାସ୍ତବରେ ଏକ ବିସ୍ମୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । କୁନି ପ୍ରତିଭା ଶ୍ରୀହିତା ଶ୍ରୀୟାନ୍‍ଭି ପରିଡା ନିର୍ଭୁଲ ଭାବେ ବିଭିନ୍ନ ବିଷୟରେ କହି ସମ୍ମାନଜନକ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ (ଆଇବିଆର୍‍)ରେ ନିଜ ନାମ ସାମିଲ୍‍ କରିବାରେ ସକ୍ଷମ ହୋଇପାରିବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିଲା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ