ମୃତ ଯୁବକଙ୍କ ପରିବାରକୁ ଗରିବର ବନ୍ଧୁ ପକ୍ଷରୁ ସହାୟତା
ପାତ୍ରପୁର,(ୱେଇଏନଏସ): ପାତ୍ରପୁର ବ୍ଲକ ଅନ୍ତର୍ଗତ ଖାରିଆଗୁଡ଼ା ପଞ୍ଚାୟତର ତାଳପଡ଼ା ଗ୍ରାମରେ ଆଜି “ଗରିବ ର ବନ୍ଧୁ” ସଂଗଠନର ସଦସ୍ୟମାନେ ପହଞ୍ଚି ଦୁର୍ଘଟଣାରେ ମୃତ ଯୁବକ ସୁଶାନ୍ତ ସାହୁଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ। ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଏକ ବାଇକ ଦୁର୍ଘଟଣାରେ ସୁଶାନ୍ତ ସାହୁଙ୍କ ଅକାଳ ମୃତ୍ୟୁ ଘଟିଥିଲା। ତାଙ୍କ ଅସମୟରେ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ସେ ମୃତ୍ୟୁ ପରେ ମଧ୍ୟ ନିଜର ଚକ୍ଷୁ ଦାନ କରି ମାନବିକତାର ଏକ ଅମର ଉଦାହରଣ ସୃଷ୍ଟି କରିଯାଇଛନ୍ତି। ତାଙ୍କର ଏହି ମହାନ ଦାନ ଦ୍ୱାରା ଅନ୍ୟ କାହାରି ଜୀବନରେ ଆଲୋକ ଫେରିବ ବୋଲି ଗ୍ରାମବାସୀମାନେ କହିଛନ୍ତି। ପରିବାରରେ ସ୍ତ୍ରୀ, ଜଣେ ପୁଅ ଓ ଜଣେ ଝିଅ ଥିବା ବେଳେ ସେମାନଙ୍କ ଦୁଃଖଦ ସ୍ଥିତିକୁ ଦେଖି “ଗରିବ ର ବନ୍ଧୁ” ସଂଗଠନ ପକ୍ଷରୁ ନଗଦ ୩୦ ହଜାର ଟଙ୍କା ସହାୟତା ରାଶି ସନ୍ତାନଙ୍କ ହାତରେ ପ୍ରଦାନ କରାଯାଇଥିଲା। ସଂଗଠନର ସଦସ୍ୟମାନେ ପରିବାରକୁ ସାହସ ଓ ସମବେଦନା ଜଣାଇଥିଲେ। ଏହି ସମୟରେ ଗ୍ରାମର ବହୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ସୁଶାନ୍ତଙ୍କ ଚକ୍ଷୁଦାନ ଭଳି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ। “ଗରିବ ର ବନ୍ଧୁ”ର ଏହି ମାନବିକ ସହଯୋଗକୁ ମଧ୍ୟ ସମସ୍ତେ ସ୍ୱାଗତ କରିଥିଲେ।


