ରାମନାଗୁଡାରେ ବ୍ରାଜିଲ ମଡେଲରେ ସୋଲାର ଚାଳିତ ‘ପଠନ କେନ୍ଦ୍ର’
ଗୁଣପୁର,(ୱାଇଏନଏସ): ଗୁଣପୁର ପୋୖରାଞ୍ଚଳରେ ଦୀର୍ଘ ବର୍ଷ ଧରି ଚାଲିଥିବା ପାଠାଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ରାମନାଗୁଡା ଭଳି ଛୋଟିଆ ବ୍ଲକ ସଦର ମହକୁମାରେ ଅଭିନବ ଉପାୟରେ ଲୋକାର୍ପିତ ହୋଇଥିବା ପଠନ କେନ୍ଦ୍ର ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ରାୟଗଡା ଜିଲ୍ଲାର ଅନ୍ୟତମ ପଛୁଆ ଅଞ୍ଚଳରେ ରାମନାଗୁଡା ବ୍ଲକର ଏକ ଅଭିନବ ପ୍ରୟାସ କାରଣରୁ ଚର୍ଚ୍ଚାରେ ରହିଛି । ଶିକ୍ଷାର ବିକାଶ ଓ ପରିବେଶ ସୁରକ୍ଷାକୁ ନେଇ ରାମନାଗୁଡା ବ୍ଲକରେ ଏକ ଆନ୍ତର୍ଜାତୀୟ ସ୍ତରର ଅଭିନବ ପ୍ରୟାସ ଦେଖିବାକୁ ପେଣକମ ପଞ୍ଚାୟତଠାରେ ଏକ ସଂପୂର୍ଣ୍ଣ ସୌରଶକ୍ତି ଚାଳିତ ଅଭିନବ ପାଠାଗାର ବା ‘ ପଠନ କେନ୍ଦ୍ର’ ନିର୍ମାଣ ହୋଇ ଲୋକାର୍ପିତ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ସୁଦୂର ବ୍ରାଜିଲ ଦେଶରେ ଦେଖିବାକୁ ମିଳୁଥିବା ଆଧୁନିକ ଗ୍ରାମୀଣ ପାଠାଗାର ଶୈଳୀରେ ଏହି କେନ୍ଦ୍ରକୁ ନିର୍ମାଣ କରାଯାଇଛି। ପଞ୍ଚାୟତ ସ୍ତରରେ ଏଭଳି ଏକ ଅତ୍ୟାଧୁନିକ ଓ ପ୍ରେରଣାଦାୟୀ ପ୍ରୟାସକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଓ ବହୁ ବ୍ୟକ୍ତି ବିଶେଷ ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ପଠନ କେନ୍ଦ୍ରର ବିଶେଷତ୍ୱ ହେଉଛି ଏହା ସଂପୂର୍ଣ୍ଣ ଭାବେ ସୌରଶକ୍ତି ଦ୍ୱାରା ପରିଚାଳିତ। ବିଦ୍ୟୁତ କାଟ୍ ସମୟରେ ମଧ୍ୟ ଏଠାରେ ଆଲୋକର କୌଣସି ସମସ୍ୟା ହେବ ନାହିଁ। ପରିବେଶ ସୁରକ୍ଷାକୁ ଆଖିରେ ରଖି ଏହି ସବୁଜ ଶକ୍ତିର ବ୍ୟବହାର କରାଯାଇଛି, ଯାହା ଗ୍ରାମାଞ୍ଚଳରେ ଏକ ନୂଆ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଚି ।ବ୍ରାଜିଲର ବିଭିନ୍ନ ପ୍ରଗତିଶୀଳ ଗ୍ରାମାଞ୍ଚଳରେ ଯେଭଳି ମୁକ୍ତ ଏବଂ ଆକର୍ଷଣୀୟ ପରିବେଶରେ ଗୋଷ୍ଠୀଗତ ଅଧ୍ୟୟନ କେନ୍ଦ୍ରମାନ ଥାଏ, ଠିକ୍ ସେହି ଢାଞ୍ଚାରେ ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ରାମନାଗୁଡା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ପ୍ରକାଶ କରିଛନ୍ତି। କାନ୍ଥଗୁଡ଼ିକରେ ସୁନ୍ଦର ଚିତ୍ରକଳା ସହ କାଚ ଘେରା ଆଧୁନିକ ପୁସ୍ତକ ସେଲ୍ଫ ଏହାକୁ ଏକ ଆନ୍ତର୍ଜାତୀୟ ରୂପ ଦେବା ସହ ପାଠକଙ୍କୁ ବେସ ଆକର୍ଷିତ କରିପାରିଛି। ସ୍ଥାନୀୟ ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ରାତି ସମୟରେ ମଧ୍ୟ ବେଶ୍ ଉତ୍ସାହର ସହ ଏଠାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ବହି, ଜ୍ଞାନବର୍ଦ୍ଧକ ପୁସ୍ତକ ଓ ସାହିତ୍ୟ ବହି ମାଗଣାରେ ଉପଲବ୍ଧ କରାଯାଇଛି। ରାମନାଗୁଡା ବ୍ଲକ ତରଫରୁ ନିର୍ମିତ ଏହି ସୋଲାର ପଠନ କେନ୍ଦ୍ରରେ ୪ଲକ୍ଷ ୫୦ହଜାର ଟଙ୍ଗା ଖର୍ଚ୍ଚ ହୋଇଥିବା ବିଡିଓ ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟରେ ରାୟଗଡା ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ରାମନାଗୁଡା ବିଡିଓଙ୍କୁ ଏଭଳି ଏକ ଅଭିନବ ପାଠାଗାର ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ । ସଡିଓ ଶ୍ରୀ ଖେମୁଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାମନାଗୁଡା ବ୍ଲକ କର୍ତ୍ତୃପକ୍ଷ ଏହାର ନିର୍ମାଣ କରିଥିଲେ । ଓଡିଶାରେ ପ୍ରଥମକରି ରାମନାଗୁଡା ବ୍ଲକରେ ଏଭଳି ପାଠାଗାର ନିର୍ମାଣ କରାଯାଇଛି । ଏଠାରେ ସୂଚନାଯୋଗ୍ୟଯେ ରାମନାଗୁଡା ବିଡିଓ ଶ୍ରୀ ମଣ୍ଡଳ ବ୍ଲକରେ ଛାତ୍ର ଛାତ୍ରୀଙ୍କ ପଢ଼ାପଢ଼ି ସୁବିଧା ପାଇଁ ବ୍ଲକ ତରଫରୁ ୩ଟି ଇ ଲାଇବ୍ରେରୀ ମଧ୍ୟ ନିର୍ମାଣ କରିଛନ୍ତି । ଯେଉଁଠାରେ ଇଣ୍ଟରନେଟ ସଂଯୋଗ କରି କମ୍ପ୍ୟୁଟର ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିାପରୁଛନ୍ତି ।
ରାୟଗଡା ବ୍ଲକ କର୍ତ୍ତୃପକ୍ଷଙ୍କ ଏଭଳି ଅଭିନବ ପରିବେଶ ଅନୁକୂଳ ଥିବା ପଠନ କେନ୍ଦ୍ର ନିର୍ମାଣ ପରେ ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଏସ ଏନ ଗିରିଶ, ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଗୁଣପୁର ଉପଜିଲ୍ଲାପାଳ ଦିଲୀପ ଅଭିଷେକ ଦୁଧାଲ ପ୍ରମୁଖ ଉଚ୍ଚ ପ୍ରଶଂସା କରିଛନ୍ତି ।


