ରୋୟାଲ୍ସ ଜେପିଏଲ୍ ସିଜିନ୍- ୩ ଚମ୍ପିୟାନ

ଜୟପୁର, (ହେମନ୍ତ ପାଣିଗ୍ରାହୀ) : ଜୟପୁର ଜେପିଏଲ ୩ କ୍ରିକେଟ ଲିଗ ର ଉଦଯାପନୀ ଦିବସ ସ୍ଥାନୀୟ ଦଶହରା ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୨ ଦିନ ଧରି ଚାଲିଥିବା ଜେପିଏଲ୍ ୩ ର ଶେଷ ଦିବସରେ ସମସ୍ତ ପ୍ରାୟୋଜକଙ୍କ ସହ ବିଶିଷ୍ଟ କ୍ରିକେଟର ତଥା ବ୍ୟବସାୟୀ ସୁବାଷ ରାଉତ,ବ୍ୟବସାୟୀ ସୂର୍ଯ୍ୟ ପଟ୍ଟନାୟକ, ଆୟୋଜକ ବାବୁଲା ରାଉତ ଏବଂ ପୂର୍ବତନ କ୍ରିକେଟ୍ ଖେଳାଳୀ ପ୍ରମୁଖ ମଞ୍ଚାଶିନ ଥିଲେ। ରବିବାର ଦିନ ଉଦଯାପନୀ ମ୍ୟାଚରେ ଜୟପୁର ରୋୟାଲ୍ସ ବନାମ ସନସାଇନ୍ ସୁପର କିଙ୍ଗସ୍ ସହ ଖେଳ ହୋଇଥିଲା। ସନ୍‌ସାଇନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇନିଂସ ରେ ଜୟପୁର ରୋୟାଲ୍ସ ନିର୍ଧାରିତ ୨୦ ଓଭର ରେ ୭ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୨ୟ ଇନିଂସ୍ ରେ ସନସାଇନ ସୁପର ୨୦ ଓଭରରେ ୯ ୱିକେଟ୍ ବିନିମୟରେ ୧୬୮ ରନ୍ ସଂଗ୍ରହ କରି ପାରିଥିଲା। ଫଳରେ ୨୩ ରନ୍ ରେ ଜୟପୁର ରୋୟାଲ୍ସ ବିଜୟୀ ହୋଇ ୧ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ସହ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲେ। ସନସାଇନ୍ ସୁପର କିଙ୍ଗସ୍ ୧ ଲକ୍ଷ ଟଙ୍କା ସହ ରନର୍ ଟ୍ରୋଫି ପାଇଛନ୍ତି। ଅନ୍ତିମ ମ୍ୟାଚ୍‌ର ଭୋଗେସ ଶର୍ମା ୩୦ ବଲ ରେ ୬୦ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେହିଭଳି ଶ୍ରେଷ୍ଠ ବ୍ୟାଟସମ୍ୟାନ ଦିଲ୍ଲୀପ ବିସୋଇ,ଶ୍ରେଷ୍ଠ ବୋଲର ଆଦିତ୍ୟ ଶଥପଥି, ଶ୍ରେଷ୍ଠ ୱିକେଟ କିପର ଜୀବନ କୁମାର,ବେଷ୍ଟ ଫିଲ୍ଡର ଦିଲ୍ଲୀପ କେ ସ୍ୱାଇନ ଏବଂ ଅଭିଷେକ, ସିରିଜର ଶ୍ରେଷ୍ଠ ଖେଳାଳି ଅର୍ଜୁନ ମାଲ୍ୟ,ଶ୍ରେଷ୍ଠ ଅଧିନାୟକ ଜି କୃଷ୍ଣା ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ଅବିଭକ୍ତ କୋରାପୁଟ ଜିଲ୍ଲା କ୍ରିକେଟ କ୍ଲବ ଏବଂ ପୋଡଶି ଛତିଶଗଡ଼ରୁ ମଧ୍ୟ କିଛି କ୍ରିକେଟ କ୍ଲବ ଏହି ଜେପିଏଲ ୩ ରେ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୧୩ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଚଳିତ ବର୍ଷ ଛତିଶଗଡର ଖେଳାଳିମାନେ ଜେପିଏଲ ୩ ରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ପଡୋଶୀ ଆନ୍ଦ୍ରପ୍ରଦେଶ ତେଲେଙ୍ଗାନା ବିହାର ପଶ୍ଚିମବଙ୍ଗର କ୍ରିକେଟ କ୍ଲବ ଗୁଡ଼ିକୁ ସାମିଲ କରି ଏହି ଜେପିଏଲକୁ ରାଷ୍ଟ୍ର ସ୍ତରୀୟ ଖେଳ କରିବାକୁ ଯୋଜନା ରହିଛି ବୋଲି ଆୟୋଜକ ବାବୁଲା ରାଉତ କହିଛନ୍ତି। ଜିଲ୍ଲା ରେ କ୍ରିକେଟ ଖେଳାଳୀ ମାନଙ୍କ ମନୋବଳ ଦୃଢ଼ କରିବା ପାଇଁ ଏପରି ଲିଗ୍ ମ୍ୟାଚର ଆୟୋଜିତ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କ୍ରିକେଟ ଖେଳାଳିଙ୍କ ଭବିଷ୍ୟତ ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଆୟୋଜକ ଶ୍ରୀ ରାଉତ କହିଛନ୍ତି। ଏହି ଲିଗ ମ୍ୟାଚକୁ ସ୍ଥାନୀୟ କ୍ରୀଡାବିତ ମାନଙ୍କ ସହ କ୍ରିକେଟ ଖେଳାଳି ସଚ୍ଚିଦାନନ୍ଦ ପରିଡ଼ା ପରିଚାଳନା ରେ ସହଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳର କ୍ରିକେଟ୍ ପ୍ରେମୀ ମାନେ ଉପସ୍ଥିତ ରହି ଉଦଯାପନୀ ମ୍ୟାଚ୍ ର ମଜା ନେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ