ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ବିଜୁ ପଟ୍ଟନାୟକ ଛକରେ ପାନୀୟ ଜଳଯୋଗାଣ ମେସିନ୍ ଅଚଳ
ଆସିକା (ୱାଇଏନ୍ଏସ୍): ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସହରର ବ୍ୟସ୍ତବହୁଳ ତଥା ସଦାସର୍ବଦା ଜଳଗହଳପୂର୍ଣ୍ଣ ବିଜୁ ପଟ୍ଟନାୟକ ଛକ ନିକଟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ କ୍ରୟ କରାଯାଇ ଜନସାଧାରଣଙ୍କ ତୃଷା ମେଣ୍ଟାଇବା ପାଇଁ ଗତ କିଛି ବର୍ଷ ତଳେ ସ୍ଥାପନ କରାଯାଇଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ମେସିନ୍ ବିଗତ କିଛି ଦିନ ହେଲା ଅଟଳ ହୋଇପଡିଥିଲେ ମଧ୍ୟ ତାହାକୁ ସଜାଡି କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନର ନିଘୋଡ ନିଦ୍ରା ଭାଙ୍ଗୁନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଚଳିତ ମେ ମାସ ଚତୁର୍ଥ ସପ୍ତାହରେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଟାଇଁ ଟାଇଁ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଆସିକାର ବ୍ୟସ୍ତବହୁଳ ବିଜୁ ପଟ୍ଟନାୟକ ଛକରେ ଅଚଳ ହୋଇପଡିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ମେସିନ୍କୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସିକା ସହରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେଉଛି ବିଜୁ ପଟ୍ଟନାୟକ ଛକ । ଉକ୍ତ ଛକକୁ ଦୈନିକ ଶହ ଶହ ଜନତା ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି ଓ ଯାଇଥାନ୍ତି । ତେବେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାପିତ ହୋଇଥିବା ପାନୀୟ ଜଳଯୋଗାଣ ମେସିନ୍ ଦୀର୍ଘ ଦିନ ଧରି ଅଚଳ ହୋଇପଡିଥିବା ଯୋଗୁଁ ବହୁ ସ୍ୱଚ୍ଛଳ ବର୍ଗର ଜନସାଧାରଣ କିଣା ପାଣି ପାନ କରି ଶୋଷ ମେଣ୍ଟାଉଥିଲା ବେଳେ ଗରିବ ଶ୍ରେଣୀର ଜନତା ପାଣିଟୋପାଏ ପାଇଁ ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ଓ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି । ଆସିକା ବିଜୁ ପଟ୍ଟନାୟକ ଛକରେ ଅଚଳ ହୋଇପଡିଥିବା ବିଶୁଦ୍ଧ ପାନୀୟ ଜଳଯୋଗାଣ ମେସିନ୍କୁ ନସଜାଡିବା ଦିଗରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ୍ୟ । ଆସିକା ସହରର ୧୨ ନମ୍ବର ୱାର୍ଡ ଅଧୀନସ୍ଥ ବିଜୁ ପଟ୍ଟନାୟକ ଛକରେ ଦୀର୍ଘ ଦିନ ହେଲା ପାନୀୟ ଜଳଯୋଗାଣ ମେସିନ୍ ଅଚଳ ହୋଇପଡିଥିଲେ ମଧ୍ୟ ସଜାଡିବା ଦିଗରେ ନିର୍ବାଚିତ ଲୋକ ପ୍ରତିନିଧି ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନୀରବତାକୁ ନେଇ ମଧ୍ୟ ନାନା କଥା ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପଥଚାରୀମାନଙ୍କୁ ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳଯୋଗାଣ ମେସିନ୍ ସ୍ଥାପନ କରାଯାଇଛି । ଅତୀତରେ ବିଜୁ ପଟ୍ଟନାୟକ ଛକରେ ସ୍ଥାପିତ ହୋଇଥିବା ଉକ୍ତ ପାନୀୟ ଜଳଯୋଗାଣ ମେସିନ୍ରୁ ପଥଚାରୀ, ବାଟୋଇ ଓ ସାଧାରଣ ଜନତା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଉଥିଲେ । ରାତି ପାହିଲେ ବ୍ୟସ୍ତବହୁଳ ଆସିକା ବିଜୁ ପଟ୍ଟନାୟକ ଛକକୁ ଶହ ଶହ ଜନତା ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି ଓ ଅତୀତରେ ଗୃହ ଓ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ଥାପିତ ହୋଇଥିବା ଏହି ପାନୀୟ ଜଳ ଯୋଗାଣ ମେସିନ୍ ପଥଚାରୀମାନଙ୍କୁ ଜଳଯୋଗାଣ କ୍ଷେତ୍ରରେ ବିଶେଷ ସହାୟକ ହେଉଥିଲା । ତେବେ ବିଗତ କିଛି ମାସ ହେଲା ମେସିନ୍ଟି ଅଚଳ ହୋଇପଡିଥିବା ଯୋଗୁଁ ପଥଚାରୀମାନେ ପାଣି ଟୋପାଏ ପାଇବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ବିଜୁ ପଟ୍ଟନାୟକ ଛକ ଉପରେ ନିର୍ଭର କରୁଥିବା ଶହ ଶହ ଜନତାଙ୍କ ବାସ୍ତବ ସମସ୍ୟାକୁ ôହୃଦୟଙ୍ଗମ କରି ଅଚଳ ହୋଇପଡିଥିବା ପାନୀୟ ଜଳଯୋଗାଣ ମେସିନ୍କୁ ସଜାଡିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


