ଜୋର୍‍ ଧରିଲା ପଞ୍ଚାୟତ ସମିତି ବୈଠକ ଡାକିବା ଦାବୀ: ପ୍ରଶାସନିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଆସିକା  (ୱାଇଏନ୍‍ଏସ୍‍) :ଦୀର୍ଘ ପ୍ରାୟ ୧ ବର୍ଷ ହେଲା ବସିନଥିବା ଆସିକା ପଞ୍ଚାୟତ ସମିତିର ବୈଠକ ତୁରନ୍ତ ଡାକି ଗ୍ରାମ ପଞ୍ଚାୟତ ଗୁଡିକର ବିଭିନ୍ନ ମୌଳିକ ସମସ୍ୟା ଯଥା ପାନୀୟ ଜଳ ଯୋଗାଣ, ପରିମଳ, ଗ୍ରାମ୍ୟ ସଡକ, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ, ସ୍ୱାସ୍ଥ୍ୟ, ବିଦ୍ୟୁତ, ଶିକ୍ଷା, କୃଷି, ଅନ୍ତୋଦୟ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଯୋଜନା, କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନର ବିନିଯୋଗ, ସମାଜ କଲ୍ୟାଣ ଯୋଜନା, ଗ୍ରାମ୍ୟ ଉନ୍ନୟନ ଯୋଜନା,ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସମୂହ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ସମେତ ଅନ୍ୟାନ୍ୟ ଗ୍ରାମୀଣ ଯୋଜନା ଗୁଡିକୁ ନେଇ ଲାଗି ରହିଥିବା ସମସ୍ୟା ସମାଧାନ ଦାବୀରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ କେତେକ ଜୋନ୍‍ର ଜିଲ୍ଲା ପରିଷଦ ସଦସ୍ୟ ମିଳିତ ଭାବେ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଓ ଆସିକା ବ୍ଳକର ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଆସିକା ବ୍ଳକ ଅଧୀନସ୍ଥ କେତେକ ଗ୍ରାମ ପଞ୍ଚାୟତରେ ଗ୍ରାମ୍ୟ କୋଠଘର, ଆମ ଓଡିଶା ବିକଶିତ ଓଡିଶା, ଅଙ୍ଗନବାଡି କେନ୍ଦ୍ର, ଏଏନ୍‍ଏମ୍‍ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ ସମେତ ଅନ୍ୟାନ୍ୟ ଅନୁଦାନରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ସଂପନ୍ନ ହୋଇଥିଲେ ବିି ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଆସିଥିବା ଅଭିଯୋଗ କରାଯାଇଛି । ତେଣୁ ବକେୟା ପ୍ରାପ୍ୟ ପୈଠ କରିବା ପାଇଁ ସ୍ମାରକପତ୍ରରେ ଅନୁରୋଧ କରାଯିବା ସହ ୭ ଦିନ ମଧ୍ୟରେ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ପଞ୍ଚାୟତ ସମିତି ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦିଆଯାଇଥିବା ଜଣାପଡିଛି । ଆସିକାର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଆସିକା ବ୍ଳକର ବିଭିନ୍ନ ପଞ୍ଚାୟତର ବହୁ ଜନପ୍ରତିନିଧି ସମସ୍ୟା ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲା ବେଳେ ସ୍ମାରକପତ୍ରର ନକଲ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରିଥିବା ଉଲ୍ଲେଖ କରାଯାଇଛି । ଆସିକା ପଞ୍ଚାୟତ ସମିତିର ବୈଠକ ତୁରନ୍ତ ଡାକିବା ଏବଂ କେତେକ ପଞ୍ଚାୟତରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ବକେୟା ପ୍ରାପ୍ୟ ପ୍ରଦାନ କରିବା ସାଙ୍ଗକୁ ଅନ୍ୟାନ୍ୟ ବହୁବିଧ ସମସ୍ୟାର ସମାଧାନ ଲାଗି ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ଆଇନଜୀବୀ ନଚିକେତା ସ୍ୱାଇଁ, ସରପଞ୍ଚ ଭବାନୀ ଶଙ୍କର ମଲିକ ଓ ବିଦ୍ୟାନ୍ତ କୁମାର ଚର୍ଚ୍ଚି ଏବଂ ଜୟସେନ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ପୂର୍ବତନ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ପଞ୍ଚାୟତସ୍ତରୀୟ ନେତା ଅନିଲ୍‍ କୁମାର ନାୟକ, ଅରୁଣ ଦଳେଇ, ଅଶ୍ୱିନୀ ବିଷୋୟୀ, ଦେବରାଜ ନାୟକ, ରବିନ୍ଦ୍ରନାଥ ସାହୁ, ରାଜେନ୍ଦ୍ର କୁମାର ବେହେରା, ପାଣ ମଲିକ, ଯୋଗେନ୍ଦ୍ର ସେଠୀ, ମନୋଜ ପରିଡା, ପିତାମ୍ବର ଜେନା, ସତ୍ୟନାରାୟଣ ସାମନ୍ତରା, ସନାତନ ବିଶ୍ୱାଳ, ମଣ୍ଟୁ ପ୍ରଧାନ, ଆଶିଷ୍‍ ମିଶ୍ର, ଅମିତ୍‍ ନାହାକ, ତ୍ରିନାଥ ବେହେରା, ଯୁବ ବିଜେଡି ନେତା ନଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଶିବପ୍ରସାଦ ଶତପଥୀ, ବିମଳ ପ୍ରଧାନ, ଆକାଶ ସ୍ୱାଇଁ, କେ.ରବିନ୍‍ କୁମାର ପାତ୍ରଙ୍କ ସମେତ ଶତାଧୀକ ସଚେତନ ନାଗରିକ ସାମିଲ୍‍ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ