କମୁଛି ସାଇକେଲ୍ର ଚାହିଦା:ବେଉସା ଚିନ୍ତାରେ ଆସିକା ଅଞ୍ଚଳର କାରିଗର
ଆସିକା (ୱାଇଏନ୍ଏସ୍): ସମୟ ସହିତ ତାଳ ଦେଇ ବଦଳି ଯାଉଛି ଲୋକଙ୍କ ମାନସିକତା । ପୂର୍ବରୁ ଯାତାୟତ ପାଇଁ ସାଇକେଲ୍ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିଥିବା ବେଳେ ଏବେ କିନ୍ତୁ ନୂତନ ଟେକ୍ନୋଲୋଜିର ପ୍ରଭାବରେ ସାଇକେଲ୍ ହରାଇ ବସିଛି ତାହାର ଅସ୍ଥିତ୍ୱ । ସାଇକେଲ୍ର ଚାହିଦା ଦିନକୁ ଦିନ ହ୍ରାସ ପାଇ ଚାଲିଥିଲା ବେଳେ କାରିଗର ମାନଙ୍କ ଦୁଃଖ ବଢିବାରେ ଲାଗିଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପ୍ରାୟତଃ ସାଂପ୍ରତିକ ପରିସ୍ଥିତିରେ କଲେଜ ଓ ସ୍କୁଲ ପଢୁଆ ଛାତ୍ରଛାତ୍ରୀ ମାନଙ୍କଠାରୁ ଆରମ୍ଭ କରି ହାତଗଣତି କିଛି ବ୍ୟକ୍ତି ସାଇକେଲ୍ ଚଲାଉଥିବା ବେଳେ ସାଇକେଲ୍ ଚଢି ବୁଲିବା ପାଇଁ ଆଉ ଲୋକେ ଆଗଭଳି ମନ ବଳାଉନଥିବା ଦେଖିବାକୁ ମିଳୁଛି । ଦ୍ରୁତଗତିରେ ଯିବା ପାଇଁ ହେଉ କିମ୍ବା ସମୟ ବଞ୍ଚାଇବା ପାଇଁ ହେଉ ସାଇକେଲ୍ ଠାରୁ ଦୂରେଇ ରହିବାକୁ ଅଧିକାଂଶ ଯୁବପିଢୀ ପସନ୍ଦ କରୁନଥିବା ବେଳେ ପଛରେ ପଡିଯାଇଛନ୍ତି ସାଇକେଲ୍ ମରାମତି କାରିଗର । ଆଉ ଆଗଭଳି ସାଇକେଲ୍ ମରାମତି କାରିଗରଙ୍କ ନିକଟରେ ଗ୍ରାହକଙ୍କ ଭିଡ ଜମୁନି । କାଁ ଭାଁ କେତେବେଳେ ହାତଗଣତି କିଛି ବ୍ୟକ୍ତି ନିଜର ସାଇକେଲ୍ ମରାମତି କରିବାକୁ କାରିଗରଙ୍କ ନିକଟକୁ ଯାଉଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସାଇକେଲ୍ ମରାମତି କାରିଗର ମାନେ କାମଧନ୍ଦା ଅଭାବରୁ ନାନା ସମସ୍ୟାରେ କାଳାତିପାତ କରୁଛନ୍ତି । ଆସିକା ପୌର ପରିଷଦ ଅଧିନସ୍ଥ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡରେ ସାଇକେଲ୍ ମରାମତି କରୁଥିବା ୪୮ ବର୍ଷୀୟ ବ୍ୟକ୍ତି ଟୁଟୁ ବେହେରା ଦୀର୍ଘ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ବ୍ୟବସାୟରେ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ବିଗତ ଦିନରେ ଦିନକୁ ପ୍ରାୟ ସାଇକେଲ୍ ମରାମତି କଲେ ୨ଶହରୁ ୩ଶହ ଟଙ୍କା ମିଳୁଥିବା ବେଳେ ଏବେ କିନ୍ତୁ ୪୦ରୁ ୫୦ଟଙ୍କା ଦୈନିକ ମିଳୁଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି । ଦିନେ ସାଇକେଲ୍ର ଚାହିଦା ଥିବା ବେଳେ ସାଇକେଲ୍ ମରାମତି କାରିଗର ମାନଙ୍କ ବେଶ ଦୁଇପଇସା ରୋଜଗାର ହେଉଥିଲା । ଏବେ କିନ୍ତୁ ଦୁର୍ବିସହ ହୋଇପଡିଛି ତାଙ୍କର ଜୀବନଜୀବିକା । ରାଜ୍ୟ ସରକାର ଯଦି ସାଇକେଲ୍ ମରାମତି କାରିଗର ମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରି ପ୍ରୋତ୍ସାହନ ଯୋଗାଇ ନଦେବେ ତେବେ ଆଗାମୀ ଦିନରେ ସାଇକେଲ୍ ମରାମତି କାରିଗର ମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।


