ଗ୍ରୀଷ୍ମ ଲହରୀ: ନୂଆପଡ଼ାରେ ୨୦ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ନୂଆପଡ଼ା,(ଲିଲାମ୍ବର ନାଗ): ଗ୍ରୀଷ୍ମ ଛୁଟି ପରେ ଗୁରୁବାରଠାରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଖୋଲୁଥିବା ବେଳେ ପ୍ରବଳ ଗ୍ରୀଷ୍ମ ଲହରୀ ଓ ଅତ୍ୟଧିକ ଗୁଳୁଗୁଳି ପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମଧୁସୂଦନ ଦାଶ ବିଦ୍ୟାଳୟଗୁଡ଼ିକର ସମୟ ପରିବର୍ତ୍ତନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ଜୁନ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ସକାଳ ୬ଟା ୩୦ ମିନିଟରୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ଏହି ନିର୍ଦ୍ଦେଶ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଏବଂ ଜବାହର ନବୋଦୟ ବିଦ୍ୟାଳୟ ପାଇଁ ଲାଗୁ ହେବ। ସମସ୍ତ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ପରିବର୍ତ୍ତିତ ସମୟସୂଚୀକୁ କଡ଼ାକଡ଼ି ପାଳନ କରିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ କଲ୍ୟାଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


