ବର୍ଷା ହେଲେ ବୁଡ଼ି ଯାଉଛି କଟକ ସହର

କଟକ, (ଓ୍ବାଇଏସଏସ): ବର୍ଷାରେ ବେହାଲ କଟକ ସହର । ଡ୍ରେନ ଗୁଡ଼ିକରେ କୁଢ଼କୁଢ଼ ଅଳିଆ ଆବର୍ଜନା ସହ ପଙ୍କ ଭର୍ତ୍ତି ହୋଇଥିବାରୁ ଏଭଳି ଜଳବନ୍ଦୀ ସମସ୍ୟା ଉପୁଜୁଛି । ତେବେ ବର୍ଷା ଦିନ ଆରମ୍ଭରୁ ଏଭଳି ସମସ୍ୟା ସହରବାସୀଙ୍କୁ ଚିନ୍ତା ବଢ଼ାଇଦେଇଛି। ଖରା ଦିନରେ ଠିକ୍ ଭାବରେ ଡ୍ରେନ ସଫା ହୋଇ ନପାରିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଯାହା ଫଳରେ ଆଗକୁ ସହରବାସୀ ଜଳବନ୍ଦୀ ସମସ୍ୟାରେ ହନ୍ତସନ୍ତ ହେବେ ବୋଲି ଏବେଠୁ ଜଳଜଳ ଦିଶୁଛି। ଏ କେବଳ ଗୋଟିଏ ବର୍ଷର ସମସ୍ୟା ନୁହେଁ, ପ୍ରତିବର୍ଷ ବର୍ଷା ଦିନରେ ଏଭଳି ସ୍ଥିତି ଉପୁଜୁଛି। ବିଶେଷ କରି ରକ୍ସି ଲେନ, ମେରିଆ ବଜାର, ଫ୍ରେଣ୍ଡସ୍‌ କଲୋନି, ସାମନ୍ତପୁର ସମେତ ଅନେକ ଜାଗାରେ ଘଣ୍ଟା ଘଣ୍ଟା ଧରି ପାଣି ଜମା ହୋଇ ରହିଥାଏ। ଫଳରେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କଟକ ସହରରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ବକ୍ସ ଡ୍ରେନ ନିର୍ମାଣ ହେଲା। କିନ୍ତୁ ବକ୍ସ ଡ୍ରେନଗୁଡ଼ିକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହୁଛି। ଯାହା ଫଳରେ ବର୍ଷା ହେଲେ ଠିକ୍ ଭାବେ ଡ୍ରେନରୁ ପାଣି ନିଷ୍କାସନ ହୋଇ ପାରୁନାହିଁ। ତେବେ ଆଗକୁ ଜଳ ନିଷ୍କାସନ ଚିନ୍ତା ବଢ଼ାଇବ। ସେପଟେ ମେୟର କହିଛନ୍ତି, କଟକ ସହର ତଳିଆ ଅଞ୍ଚଳରେ ରହିଛି। ତେଣୁ ପାଣି ଜମିବା ସ୍ବାଭାବିକ। ମାତ୍ର କେତେ ଜଲଦି ଜଳ ନିଷ୍କାସନ କରାଯାଇପାରିବ ସେ ସେନେଇ ବ୍ୟବସ୍ଥା କରାଯାଉଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ