କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଗସ୍ତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ନିମେନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆଜି ଆସିଥିଲେ। ପୂର୍ବାହ୍ଣ ୧୧ଟା ସମୟରେ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଦୁହୁରିଆଠାରେ ହଜାର ହଜାର ବିଜେପି ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ। ସେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ମନ୍ଦିରରେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରହି ପୂଜାପାଠ କରିଥିଲେ। ମନ୍ଦିରର ବିକାଶ କିପରି ହୋଇ ପାରିବ ସେ ସଂପର୍କରେ ଟ୍ରଷ୍ଟି ଓ ସେବାୟତମାନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ପରେ ପରେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଓଏସଡିଙ୍କ ବାସଗୃହ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପାଳକଣା ଗ୍ରାମକୁ ଯାଇ ବିବାହ ଭୋଜିରେ ଯୋଗ ଦେଇଥିଲେ। ସେଠାରୁ ଫେରି ଗୋପସ୍ଥିତ କମଲ ଭବନରେ ବରିଷ୍ଠ ବିଜେପି ନେତା ଭୁବନମୋହନ ଜେନାଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାର ମାଟ୍ରିକ ଏ- ଗ୍ରେଡ ଛାତ୍ରଛାତ୍ରୀ ଏବଂ ଯୁକ୍ତ ଦୁଇର ଶ୍ରେଷ୍ଠ ଏକଶତ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷାରେ ମନୋନିବେଶ କରିବେ ସେମାନଙ୍କୁ ସରକାର ସହଯୋଗ କରିବେ ବୋଲି କହିଥିଲେ। କମଳ ଭବନରେ ୨ ହଜାରରୁ ଅଧିକ ବିଜେପି କର୍ମୀ ଓ ବୁଦ୍ଧିଜୀବୀ ସମବେତ ହୋଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଡ. ଅଲେଖ ଜେନା, ସୁନାକର ବେହେରାଙ୍କ ସମେତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ନେତାମାନେ ଏବଂ ଅନ୍ୟାନ୍ୟ ସାଙ୍ଗଠନିକ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ଡ. ରାମଚନ୍ଦ୍ର ବେହେରା, ଡ. ଅପର୍ଣ୍ଣା ମହାନ୍ତି, ଶିକ୍ଷାବିତ ନନ୍ଦକିଶୋର ପରିଡ଼ା, ତୁଳସୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ବାସନ୍ତୀଶୁକ୍ଳା, ଡ. ବାସୁଦେବ ଦାସ, ଡ. ଶ୍ରୀଧର ସାମଲ, ପ୍ରମୋଦ ଧଳ, ବିଜୟ ସାମଲ ପ୍ରମୁଖ ଶତାଧିକ ଶିକ୍ଷାବିତ, ବୁଦ୍ଧିଜୀବୀ ଓ ସମାଜସେବୀ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।


