ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ଦାବି

ରାଇରଙ୍ଗପୁର,(ୱାଇଏନଏସ):ମୟୂରଭଞ୍ଜ ଜିଲ୍ଲାରେ ଜୋରଦାର ହେଲାଣି ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବା ଦାବି। ୧୯୪୮ ମସିହାରୁ ଚାଲିଆସୁଥିବା ଏହି ଅସମାପ୍ତ ସଂଗ୍ରାମ ଏବେ ଏକ ନୂଆ ମୋଡ଼ ନେଇଛି। ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଝାଡ଼ଖଣ୍ଡ ସୀମାନ୍ତ ତିରିଙ୍ଗରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଏକ ବିଶାଳ ପଦଯାତ୍ରା। ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ଦାବିରେ ଗର୍ଜିଲେଣି ଅଞ୍ଚଳବାସୀ। ବାମନଘାଟି ଓ ପାଞ୍ଚପୀଡ଼ ଉପଖଣ୍ଡକୁ ନେଇ ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ‘ରାମଦୋଳି ୟୁଥ ପାୱାର ଆସୋସିଏସନ’ ପକ୍ଷରୁ ଆରମ୍ଭ ହୋଇଛି ମହା-ପଦଯାତ୍ରା। ଝାଡ଼ଖଣ୍ଡ ସୀମାନ୍ତ ତିରିଙ୍ଗରୁ ବାହାରିଥିବା ଏହି ପଦଯାତ୍ରା ରାଇରଙ୍ଗପୁର, ଯଶିପୁର, କରଞ୍ଜିଆ, ଠାକୁରମୁଣ୍ଡା ଓ ଆନନ୍ଦପୁର ଦେଇ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ। ସେଠାରେ ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ବାରିପଦା ଏଠାରୁ ପ୍ରାୟ ୧୫୦ କିଲୋମିଟର ଦୂର। ଫଳରେ ସାଧାରଣ ଲୋକେ ନିଜର ଛୋଟବଡ଼ ପ୍ରଶାସନିକ କାର୍ଯ୍ୟ ପାଇଁ ଦୀର୍ଘ ପଥ ଅତିକ୍ରମ କରି ବହୁ ହଇରାଣ ହରକତ ହେଉଛନ୍ତି। ପୂର୍ବ ସରକାରଙ୍କ ସମୟରେ ପଦ୍ମପୁର ସହିତ ରାଇରଙ୍ଗପୁରକୁ ଜିଲ୍ଲା ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା, କୌଣସି କାରଣବଶତଃ ତାହା ସ୍ଥଗିତ ରହିଯାଇଥିଲା। ଏହାକୁ ନେଇ ପୂର୍ବରୁ ରାଇରଙ୍ଗପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନେକ ଆନ୍ଦୋଳନ ଓ ୨୪ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା। ତେବେ ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଏହି ଦାବି ପୁଣି ଥରେ ଉଜ୍ଜୀବିତ ହୋଇଛି। ନୂତନ ସରକାରଙ୍କ ପକ୍ଷରୁ ଏଥିପାଇଁ ସକାରାତ୍ମକ ସଙ୍କେତ ବା ‘ଗ୍ରୀନ୍ ସିଗ୍ନାଲ୍’ ମିଳୁଥିବାର ଆଶା ସଞ୍ଚାର ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ସରକାରଙ୍କ ବିକାଶ ଧାରାରେ ରାଇରଙ୍ଗପୁର ଜିଲ୍ଲା ଗଠନ ନିଶ୍ଚିତ ସାମିଲ ହେବ ବୋଲି ଆଶା ରଖିଛନ୍ତି ଯୁବ ସମାଜ। ଦୀର୍ଘ ଦଶନ୍ଧିର ଏହି ପ୍ରତୀକ୍ଷା ଆଗାମୀ ଦିନରେ କଣ ରୂପ ନେଉଛି, ଏବଂ ନୂତନ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଦାବିପତ୍ର ପହଞ୍ଚିବା ପରେ ରାଇରଙ୍ଗପୁରବାସୀଙ୍କୁ କେବେ ମିଳୁଛି ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା, ତାହା ଉପରେ ସମସ୍ତଙ୍କ ନଜର ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ