ନାବାଳିକା ଶାଳୀକୁ ଗର୍ଭବତୀ କରି ଭିଣୋଇ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ରାୟଗଡ ବ୍ଲକ ଅନ୍ତର୍ଗତ ସାନ ଅନତାରସିଂ ଗ୍ରାମର ଜଣେ ବିବାହିତ ଯୁବକ ନିଜର ନାବାଳିକା ଶାଳୀକୁ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହୋଇଥିବାର ଜଣାପଡିଛି । ଏନେଇ ଗାରାବନ୍ଧ ଥାନାରେ ପୀଡିତା ନାବାଳିକା ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ପୀଡିତାଙ୍କ ଭିଣୋଇଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗାରାବନ୍ଧ ପୁଲିସର ସୁଚନା ପ୍ରକାରେ ସାନ ଅନତାରସିଂ ଗ୍ରାମର ପ୍ରମୋଦ ଶବର (25) ତାଙ୍କ 17 ବର୍ଷିୟ ଶାଳିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ସ୍ଥାପନ କରି ଆସୁଥିଲେ । ଭିଣୋଇଙ୍କ ପ୍ରଲୋଭନରେ ପଡି ଶାଳୀ ଜଣକ ଇତି ମଧ୍ୟରେ 6 ମାସର ଗର୍ଭବତୀ ହୋଇଯାଇଥିଲେ । ତେବେ ଏସବୁ ଘଟଣା ଲୁଚାଛପାରେ ଚାଲିଥିବା ବେଳେ ନାବାଳିକାଙ୍କ ପରିବାର ଲୋକେ କୌଣସି ମତେ ଜାଣିପାରିଥିଲେ । ଯାହାପରେ ପ୍ରମୋଦଙ୍କ ବିରୁଦ୍ଧରେ ଗାରାବନ୍ଧ ଥାନାରେ 17 ବର୍ଷିୟ ନାବାଳିକା ପୀଡିତା ଜଣକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଗାରାବନ୍ଧ ଥାନାରେ 50/26ରେ ପକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା ଧାରାରେ ମାମଲା ରୁଜୁ କରି ତଦନ୍ତ କରିଥିଲା ଗାରାବନ୍ଧ ପୁଲିସ । ନାବାଳିକାଙ୍କ ଡାକ୍ତରି ମାଇନା ପରେ ସେ 6 ମାସ ଗର୍ଭବତୀ ହୋଇଥିବାର ଜଣାପଡିଥିଲା । ଘଟଣାର ତଦନ୍ତ ପରେ ଗାରାବନ୍ଧ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି.


