ଲଗାଣ ବର୍ଷାରେ ଧୋଇଗଲା ଧାନ ବିହନ ଗଜା : ବିହନ ଯୋଗାଇବା ପାଇଁ ପ୍ରଶାସନ ନିକଟରେ ଚାଷୀଙ୍କ ଦାବି

ନାଉଗାଁ,(ଓ୍ବାଇଏନଏସ):ଚଳିତ ଲଘୁଚାପ ଜନିତ ବର୍ଷାରେ ନାଉଗାଁ ବ୍ଳକରେ ଗତ ୩୦ତାରିଖ ରାତିରୁ ବର୍ଷା ଲାଗି ରହିଛି। ବ୍ଲକରୁ ମିଳିଥିବା ସୂଚନା ମୁତାବକ ପ୍ରାୟ ୫ ଦିନରେ ୯୦ ମିଲି ମିଟରରୁ ଉର୍ଦ୍ଧ୍ୱ ବର୍ଷା ରେକର୍ଡ କରାଯାଇଛି। ଏକକାଳିନ ବର୍ଷା ଯୋଗୁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। କୃଷି କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଏହି ବ୍ଳକରେ ୭ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଇଥାଏ। ଚଳିତ ବର୍ଷ ଚାଷୀମାନେ ଧାନ ଚାଷ କରିବା ପାଇଁ ହଳ କରି ବର୍ଷାକୁ ଅପେକ୍ଷା କରିଥିଲେ। ବ୍ଳକର ୧୬ଟି ପଂଚାୟତର ଚାଷୀମାନେ ନିଜସ୍ୱ ଉଦ୍ୟମରେ ସରକାରଙ୍କ ପ୍ରଦତ ବିହନ କ୍ରୟ କରି ଧାନ ଚାଷ ପାଇ ତଳି ପକାଇଥିଲେ। ଧାନ ଗଜା କରି ତଳି ପକା କାର୍ଯ୍ୟ ସାରିଥିବା ବେଳେ ଲଗାଣ ବର୍ଷା ଯୋଗୁ ଧାନ ଗଜା ସବୁ ଧୋଇ ହୋଇଯାଇଛି। ସେହିପରି ଡେରିକି, କୋରୁଅ, ତିରୁଣା ଜାମୁଗାଁ ଆଦି ପଂଚାୟତର ଅନେକ ଚାଷୀ ଧାନ ବୁଣା କାର୍ଯ୍ୟ ସାରିଥିଲେ। ଲଗାଣ ବର୍ଷା ଯୋଗୁ ବୁଣା ଯାଇଥିବା ଧାନ ସବୁ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ବିହନ କ୍ରୟ କରି ଚାଷୀ ଧାନ ତଳି ଓ ବୁଣା କାର୍ଯ୍ୟ ସାରିଥିବା ବେଳେ ବର୍ଷା ଯୋଗୁ ଧୋଇ ଯାଇଥିବାରୁ ଚାଷୀ ଚିନ୍ତାରେ ପଡି ଯାଇଚି। ପୁନର୍ବାର ଧାନ ବିହନ କ୍ରୟ କରିବା ଚାଷୀଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଚାଷୀ ମତବ୍ୟକ୍ତ କରିଛନ୍ତି। ତେଣୁ ସରକାରଙ୍କ ତରଫରୁ ଚାଷୀଙ୍କୁ ମାଗଣାରେ ବିହନ ଯୋଗାଇ ଦେବାକୁ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ, ବ୍ଲକ ସଂଯୋଜକ ପ୍ରଫୁଲ ପରିଡା,ଚାଷୀ ବଂଶୀଧର ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନବକିଶୋର ମହାନ୍ତି, ଫକୀର ମହାପାତ୍ର, ରାମଚନ୍ଦ୍ର ରାୟ, ରଞ୍ଜିତ ରାୟ ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ