୯ ନମ୍ବର ଲେଖା ଲାଇଟ ଫାଟିଲା: ଚିନ୍ତାରେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ
କାକଟପୁର/ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ):ବୁଧବାର ସକାଳୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଗୁଣ୍ଡଳବା ସମୁଦ୍ର କୂଳରେ ପୁଣି ଥରେ ଏକ ବଡ ଲୁହା ବୁଆ ଲାଗିଛି। ଜଙ୍କ ଲାଗିଥିବା ଏହି ବୁଆ ଉପରେ ୯ ନମ୍ବର ଲେଖା ହୋଇଥିବା ବେଳେ ଉପର ଅଂଶରେ ଥିବା ଲାଇଟ ଫ୍ରେମ ସମ୍ପୂର୍ଣ୍ଣ ଭାବେ ଫାଟି ଯାଇଛି। ଗତ ୩ ରୁ ୪ ବର୍ଷ ଭିତରେ ଏହି ଅଞ୍ଚଳରେ ଏହା ତୃତୀୟ ଥର ପାଇଁ ଲାଗିବା ଘଟଣା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବୁଧବାର ସକାଳେ ଜୁଆର ସମୟରେ ବୁଆଟି କୂଳକୁ ଭାସି ଆସିଥିଲା। ବୁଆ ଦେଖିବା ପାଇଁ ଶହ ଶହ ଲୋକ ଓ ପର୍ଯ୍ୟଟକ ସମୁଦ୍ର କୂଳରେ ଭିଡ ଜମାଇଥିଲେ। ବୁଆଟି ହେଉଛି ସମୁଦ୍ର ନୌ-ସଙ୍କେତ ବୁଆ। ସମୁଦ୍ରରେ ଚଳାଚଳ କରୁଥିବା ଜାହାଜ ଓ ମାଛ ଧରା ନୌକାଙ୍କୁ ଗଭୀରତା, ବାଲିଚର ଓ ବିପଦ ସମ୍ପର୍କରେ ସୂଚନା ଦେବା ଏହାର ମୁଖ୍ୟ କାମ। ରାତିରେ ଉପରେ ଥିବା ଲାଇଟ ଜଳି ନାବିକମାନଙ୍କୁ ରାସ୍ତା ଦେଖାଇଥାଏ। ବୁଆ ଉପରେ ଥିବା ୯ ନମ୍ବର ହେଉଛି ତାର ପରିଚୟ କୋଡ। ଏ ନେଇ ପ୍ରତିକ୍ରିୟା ରଖି ପର୍ଯ୍ୟଟକ ରଂଜିତ ରାଉତ କହିଛନ୍ତି, ଆମେ ପରିବାର ସହିତ ଅସ୍ତରଙ୍ଗ ବୁଲିବାକୁ ଆସିଥିଲୁ। ସକାଳୁ ଏତେ ବଡ ଲୁହା ବସ୍ତୁ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ। ପ୍ରଥମେ ଭାବିଲୁ କିଛି ଦୁର୍ଘଟଣା ହୋଇଛି କି ପରେ ଜଣାପଡିଲା ଏହା ସମୁଦ୍ର ବୁଆ। ସମୁଦ୍ର କେତେ ବିରାଟ ଓ ଶକ୍ତିଶାଳୀ ତାହା ଏହି ବୁଆ ଦେଖି ବୁଝାପଡୁଛି। ପ୍ରଶାସନ ଏହାକୁ ଶୀଘ୍ର ଉଦ୍ଧାର କରି ପୁଣି ସମୁଦ୍ରରେ ଲଗାଇବା ଦରକାର। ନଚେତ ପର୍ଯ୍ୟଟକଙ୍କ ପାଇଁ ବିପଦ ହୋଇପାରେ। ସେହିପରି ପରିବେଶବିତ ତଥା ସ୍ଥାନୀୟ ବାସିନ୍ଧା ବିଚିତ୍ର ବିଶ୍ୱାଳ କହିଛନ୍ତି, ଗତ ୩-୪ ବର୍ଷ ଭିତରେ ଏହି ଗୁଣ୍ଡଳବା କୂଳରେ ଏହା ତୃତୀୟ ଥର ବୁଆ ଲାଗିଲା। ଏହା ସାଧାରଣ କଥା ନୁହେଁ। ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଓ ବାତ୍ୟା ସୃଷ୍ଟି ହେଉଛି। ସମୁଦ୍ର ଉଷ୍ଣତା ବଢୁଛି, ଯୋଗୁଁ ଢେଉ ଅଧିକ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ସମୁଦ୍ରରେ ଲାଗିଥିବା ବୁଆ ଗୁଡିକ ମୁରିଙ୍ଗରୁ ଖିଆ ହୋଇ କୂଳକୁ ଭାସି ଆସୁଛନ୍ତି। ଏହା ଜଳବାୟୁ ପରିବର୍ତନର ଗୋଟେ ସଙ୍କେତ। ପ୍ରଶାସନ ସହିତ ମେରିଟାଇମ ବୋର୍ଡକୁ ଏନେଇ ଗୁରୁତ୍ୱ ଦେବା ଦରକାର। ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡିଛି ଯେ ବୁଆଟିକୁ ଉଦ୍ଧାର କରିବା ପାଇଁ ପୋର୍ଟ ଅଥରିଟିକୁ ସୂଚନା ଦିଆଯାଇଛି। ସାଧାରଣତଃ ଏଭଳି ବୁଆ ଲାଗିଲେ ତାକୁ ଛୁଇଁବା ବା ଭାଙ୍ଗିବା ଅନୁଚିତ। କାରଣ ଭିତରେ ବ୍ୟାଟେରୀ ବା ଅନ୍ୟ ବିପଦଜନକ ସାମଗ୍ରୀ ଥାଇପାରେ। ବାରମ୍ବାର ବୁଆ ଲାଗିବା ଘଟଣା ପରେ ଅସ୍ତରଙ୍ଗ କୂଳରେ ସମୁଦ୍ର ସୁରକ୍ଷା ଓ ନୌ-ସଙ୍କେତ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।


