ମାସ ମାସ ବିତୁଛି, ମିଳୁନି ହରିଶ୍ଚନ୍ଦ୍ର ଯୋଜନା ସହାୟତା
ହାଟଡିହି (ଓ୍ବାଇଏନଏସ): ବିଗତ ସରକାର ଗରିବ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଶବ ସତ୍କାର ପାଇଁ ତୁରନ୍ତ ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା କରିଥିଲେ। ବିଗତ ସରକାର ସମୟରେ ଦୁଇ ହଜାର କରି ସହାୟତା ଯୋଗାଇ ଦିଆ ଯାଉଥିବା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇ ୩ ହଜାର କରା ଯାଇଛି। କିନ୍ତୁ କିଛି ସରକାରୀ ବାବୁଙ୍କ ପାଇଁ ଏହି ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଗେଡ଼ମା ପଞ୍ଚାୟତରେ। ଏହି ପଞ୍ଚାୟତରେ ବିଗତ ୬ମାସ ଭିତରେ ୨୦ରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଥିଲେ ବି ସେମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ମିଳି ପାରିନି। ଯାହାକୁ ନେଇ ହିତାଧିକାରୀ ମାନେ ନିୟମିତ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକକୁ ଦୌଡୁଥିବା ଦେଖିବାକୁ ମିଳିଛି। ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ଲକ୍ଷ୍ମୀ ପ୍ରିୟା ରାଉତ ୬ମାସ ତଳେ ମୃତ୍ୟୁ ବରଣ କରିଥିବା ବେଳେ ବିପ୍ଳବ କେଶରୀ ଜେନା ହରିଶ୍ଚନ୍ଦ୍ର ସହାୟତା ପାଇଁ ଆବେଦନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ସହାୟତା ମିଳିଲାନି। ସେହିପରି ଚତୁର୍ଭୁଜ ଚକ୍ର ୫ମାସ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରବୋଧ କୁମାର ନାୟକ ୬ମାସ ତଳେ, ରେବତୀ ପ୍ରଧାନ, ଗୀତାରାଣୀ ସ୍ୱାଇଁ, ଭାମା ସାହୁ, ଗେଡ଼ମା ଗ୍ରାମର ଲକ୍ଷ୍ମୀଧର ଜେନା ପ୍ରମୁଖ ୨୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି /୬ ମାସ ତଳୁ ମୃତ୍ୟୁବରଣ କରିଥିଲେ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ପାଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସିଲା ରାଣୀ କାଣ୍ଡିଙ୍କୁ ପଚାରିବାରେ ବ୍ଲକରୁ ସହାୟତା ରାଶି ମିଳୁ ନଥିବାରୁ ଏପରି ସମସ୍ୟା ଦେଖା ଦେଇଛି ବୋଲି କହିଛନ୍ତି। ଜିଲ୍ଲା ପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି।


