ସର୍ବସମ୍ପନ୍ନା ଭାଷା ସଂସ୍କୃତ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ପ୍ରତ୍ୟେକ ସଭ୍ୟତା ବିକଶିତ ହୋଇଥାଏ ତା’ର ଭାଷା ଓ ସଂସ୍କୃତିକୁ ନେଇ। ଭାଷା ହେଉଛି ମାନବ ସମାଜର ଚିରସ୍ରୋତା ନିର୍ଝରଣୀ। ଯେ କି ତା’ର ଜାତିକୁ ଗଢି ତୋଳିଥାଏ। ସେ’ପରି ଏକ ଭାଷା ହେଉଛି ସଂସ୍କୃତ ଭାଷା । ଏହି ଭାଷା ପୃଥିବୀର ସବୁଠାରୁ ପ୍ରାଚୀନ, ସମୃଦ୍ଧ ଏବଂ ବୈଜ୍ଞାନିକ ଭାଷା। ଏହାକୁ ଦେବଭାଷା, ଗୀର୍ବାଣବାଣୀ ଓ ଅମୃତଭାଷା ବୋଲି ମଧ୍ୟ କୁହାଯାଏ। “ସଂସ୍କୃତ” ଶବ୍ଦର ଅର୍ଥ ହେଉଛି ସଂସ୍କାର କରାଯାଇଥିବା ଏକ ପରିମାର୍ଜିତ ଭାଷା। ଏ ଭାଷା କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱର ସାହିତ୍ୟ, ସଂସ୍କୃତି ଏବଂ ବିଜ୍ଞାନର ମୂଳଦୁଆ ଉପରେ ପ୍ରତିଷ୍ଠିତ। ତେଣୁ ଏହାକୁ ଏକ ‘ବିଶ୍ୱ ଭାଷା’ ଭାବରେ ଗ୍ରହଣ କରାଯାଏ। ଏହାର ପ୍ରାଚୀନତା ହଜାର ହଜାର ବର୍ଷ ପୁରୁଣା। ବିଶ୍ୱର ସର୍ବପ୍ରାଚୀନ ଗ୍ରନ୍ଥ ‘ଋଗ୍ବେଦ’ ସଂସ୍କୃତ ଭାଷାରେ ହିଁ ରଚିତ ହୋଇଥିଲା। ଏହି ଭାଷା ଭାରତବର୍ଷର ପ୍ରାକୃତିକ ବୈଭବ ଓ ସାଂସ୍କୃତିକ ସୌରଭର ସମନ୍ୱୟକୁ ରକ୍ଷାକରି ବିଶ୍ଵବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଭାଷା ବିଜ୍ଞାନ ଦୃଷ୍ଟିରୁ ବିବେଚନା କଲେ ଜଣାଯାଏ ଯେ – ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ ଭାଷା। ଏ ଭାଷାର ଅନେକ ଶବ୍ଦ ୟୁରୋପୀୟ ଭାଷା ପରିବାରର ପ୍ରାୟ ଶବ୍ଦମାନଙ୍କ ସହ ଯଥେଷ୍ଟ ସମ୍ପର୍କ ରହିଛି। ଏହି ଭାଷାରେ ରଚନା କରାଯାଇଥିବା ସମସ୍ତ ସାହିତ୍ୟ କେବଳ ଭାରତବର୍ଷ ପାଇଁ ଉଦ୍ଧିଷ୍ଟ ନୁହେଁ ; ବରଂ ଏହା ବିଶ୍ୱର ସମସ୍ତ ଦେଶ ପାଇଁ ବରଦାନ ସ୍ବରୂପ।ତେଣୁ ସଂସ୍କୃତ ଭାଷାର ସୁରକ୍ଷା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ବାରା ୧୯୬୯ ମସିହା ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ବିଶ୍ବ ସଂସ୍କୃତ ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।
ଆମ’ ସଂସ୍କୃତ ଭାଷା ପ୍ରତି ସମଗ୍ର ବିଶ୍ଵବାସୀ ଆକୃଷ୍ଟ ହେବାର ଯଥାର୍ଥତା ରହିଛି। କାରଣ ଏହି ଭାଷା ହେଉଛି ବିଶୁଦ୍ଧା। ଏହାର ଦର୍ଶନ, ପଦାର୍ଥ ବିଜ୍ଞାନ, ଭେଷଜ ଶାସ୍ତ୍ର, ବୈଦିକ ଗଣିତ, ଅର୍ଥ ଶାସ୍ତ୍ର ଓ ପାଣିନୀୟ ବ୍ୟାକରଣ ଶାସ୍ତ୍ରାଦି ବିଜ୍ଞାନ ସମ୍ମତ। ସାମ୍ପ୍ରତିକ ସମୟରେ କମ୍ପ୍ୟୁଟର ପାଇଁ ଏହି ଭାଷା ପ୍ରଯୁଜ୍ୟ ହୋଇପାରିଛି । ସଂସ୍କୃତ ଭାଷାର ଚିନ୍ତାଧାରା ଅତିବ ବ୍ୟାପକ ଅଟେ। ଏହି ଭାଷା ବିଶ୍ୱକୁ ଗୋଟିଏ ପରିବାର ବୋଲି ଅଭିହିତ କରିଛି । ଯାହାର ପ୍ରମାଣ:-
ଅୟଂ ନିଜଃ ପରୋ ବେତି ଗଣନା ଲଘୁ ଚେତସାମ୍
ଉଦାର ଚରିତାନାମ୍ ତୁ ବସୁଧୈବ କୁଟୁମ୍ବକମ୍ ।।
ଏହାର ଅର୍ଥ ସଂସ୍କୃତ ଭାଷା ପାଖରେ ନିଜର ଓ ପରର ବୋଲି ସଂକୀର୍ଣ୍ଣ ଭାବନା ନାହିଁ। ସମଗ୍ର ବସୁଧା ବା ବିଶ୍ୱ ହେଉଛି ତା’ର ଗୋଟିଏ ପରିବାର ସଦୃଶ। ତତ୍ ସହିତ ଏ ଭାଷା ସଦା ସର୍ବଦା ସଂସାରର ମଙ୍ଗଳ ଚିନ୍ତନ କରିଆସିଛି । ଏହାର ପ୍ରମାଣ ବୈଦିକ ସାହିତ୍ୟରେ ଦେଖିବାକୁ ମିଳେ । ଉଦାହରଣ ସ୍ୱରୂପ –
ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍।।
ସଂସ୍କୃତ ଭାଷା ହେଉଛି ବିଶ୍ଵ ସାହିତ୍ୟ ନିମନ୍ତେ ଏକ କଳ୍ପଦ୍ରୁମ ସଦୃଶ। ଏହାର ପ୍ରତି ଛତ୍ରେ ଛତ୍ରେ ବିଶ୍ଵଚେତନା ଓ ବିଶ୍ଵଭ୍ରାତୃତ୍ଵର ମହନୀୟତା ପ୍ରସ୍ଫୁଟିତ ହୋଇଛି। ବିଶାଳ ଭାରତବର୍ଷର ଐକ୍ୟ, ସଂହତି ଏଵଂ ସଂସ୍କୃତିର ମୂଳସୁତ୍ର ହେଉଛି ଏହି ଭାଷା। ଏହା ଭାରତର ଆତ୍ମା ସ୍ବରୂପ। ବେଦ, ବେଦାଙ୍ଗ, ଉପନିଷଦ, ବ୍ରାହ୍ମଣ, ଉପଜୀବ୍ୟକାବ୍ୟ ( ରାମାୟଣ, ମହାଭାରତ, ଶ୍ରୀମଦଭାଗବତ ), କାବ୍ୟ, ମହାକାବ୍ୟ ଐତିହାସିକ କାବ୍ୟ, ଗଦ୍ୟକାବ୍ୟ, ଚମ୍ପୂକାବ୍ୟ, ଗୀତିକାବ୍ୟ, ଭକ୍ତିକାବ୍ୟ, କଥା ସାହିତ୍ୟ, ନାଟକ ସାହିତ୍ୟ ଓ ଅଳଙ୍କାର ସାହିତ୍ୟ ଇତ୍ୟାଦି ବିଷୟରେ ବର୍ଣ୍ଣନା ରହିଛି। ଏହି ଭାଷା ଦ୍ବାରା ବିଶ୍ଵସାହିତ୍ୟ ବାଙମୟ ଋଦ୍ଧିମନ୍ତ ହୋଇପାରିଛି। ପ୍ରାଚୀନ କାଳରେ ଏହା ସମଗ୍ର ଭାରତୀୟ ଉପମହାଦ୍ୱୀପର ସଂଯୋଗୀକରଣ ଭାଷା ରହିଥିଲା।
ସଂସ୍କୃତ ଭାଷା ବ୍ୟକ୍ତିର ବୌଦ୍ଧିକ ଶକ୍ତିକୁ ବିକଶିତ କରିଥାଏ । ଯଦ୍ୱାରା ସାଂସ୍କୃତିକ ସମ୍ବେଦନା ସୃଷ୍ଟିହେବା ସହିତ ଏହା ବ୍ୟକ୍ତିତ୍ବର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ସହାଯ୍ୟ ମଧ୍ୟ କରିଥାଏ । କଳା, ସାହିତ୍ୟ, ସଙ୍ଗୀତ ଓ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ସଂସ୍କୃତ ସବୁବେଳେ ଆମ ସଂସ୍କୃତିକୁ ପ୍ରଭାବିତକରି ଆସୁଅଛି । ଉପରୋକ୍ତ କାରଣ ଯୋଗୁଁ ଆମ’ ଦେଶ ଦିନେ ବିଶ୍ୱ ଗୁରୁର ଆଖ୍ୟା ଅର୍ଜନ କରିଥିଲା। ଆଜି ବିଶ୍ୱର ବହୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ (ଯେପରିକି ଅକ୍ସଫୋର୍ଡ, ହାର୍ଭାର୍ଡ ଏବଂ ଜର୍ମାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ) ରେ ସଂସ୍କୃତ ଉପରେ ଗବେଷଣା ଚାଲିଛି। ଏହାର ସ୍ପଷ୍ଟ ଉଚ୍ଚାରଣ ମାନସିକ ଏକାଗ୍ରତା ଓ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ ବୋଲି ଆଧୁନିକ ମନୋବିଜ୍ଞାନୀମାନେ ମଧ୍ୟ ମତ ଦିଅନ୍ତି।
ସଂସ୍କୃତ ଭାଷା କେବଳ ଏକ ଅମୃତ ବା ପ୍ରାଚୀନ ଭାଷା ନୁହେଁ, ଏହା ହେଉଛି ମାନବ ସଭ୍ୟତାର ଅମୂଲ୍ୟ ସମ୍ପଦ। ଯାହାଦ୍ୱାରା ବିଶ୍ୱ ଭାଷାର ସଂରକ୍ଷଣ, ପ୍ରସାର ଏବଂ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର ଦ୍ୱାରା ହିଁ ଆମେ ଆମର ଗୌରବମୟ ଅତୀତକୁ ବଞ୍ଚାଇ ରଖିବା ସହ ଏକ ସମୃଦ୍ଧ ଭବିଷ୍ୟତ ଗଠନ କରିପାରିବା। ଏହାକୁ ଦୃଷ୍ଟିରେ ରଖି ଏହି ଭାଷାକୁ ଉଚିତ ସମ୍ମାନ ମିଳିବା ଆବଶ୍ୟକ। କାରଣ ସଂସ୍କୃତ ଭାଷା ବିନା ଭାରତବର୍ଷର ପରିକଳ୍ପନା ଅସମ୍ଭବ। ଯଦି ଏ ଭାଷାର ପ୍ରଚାର ପ୍ରସାର ନ ହୁଏ ତେବେ, ଦିନ ଆସିବ ମାନବ ସଂସ୍କୃତିର ଅଧଃପତନ ଘଟିବ। ତେଣୁ ବେଳ ଥାଉ ଥାଉ ଯଦି ଆମେ ସମସ୍ତେ , ଏହାର ଦାୟାଦ ରୂପେ କାର୍ଯ୍ୟ ନିର୍ବାହ ନ କରିବା ! ତେବେ ଆଗାମୀ ଦିନରେ ଆମର ପୂର୍ବପୀଢ଼ି ସୁସଂସ୍କୃତି ସମ୍ପନ୍ନ ହେବାରୁ ବଞ୍ଚିତ ରହିବେ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ଡଃ. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ।
୯୮୬୧୩୩୪୮୬୮


