ଜିଲ୍ଲାସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟି ବୈଠକ
କନ୍ଧମାଳ : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ର ପ୍ରଭାବୀ କାର୍ଯ୍ୟକାରିତା, ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ଏବଂ ସରକାରୀ ସହାୟତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗୁରୁବାର ଫୁଲବାଣୀସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାରେ ରୁଜୁ ହୋଇଥିବା ଅତ୍ୟାଚାର ସମ୍ବନ୍ଧୀୟ ମାମଲାର ତଦନ୍ତ, ବିଚାର ପ୍ରକ୍ରିୟା, ପୀଡ଼ିତଙ୍କୁ ଆର୍ଥିକ ସହାୟତା, ପୁନର୍ବାସ ବ୍ୟବସ୍ଥା ଓ ଆନ୍ତଃଜାତି ବିବାହ ପ୍ରୋତ୍ସାହନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ପ୍ରତ୍ୟେକ ମାମଲାର ତ୍ୱରିତ ତଦନ୍ତ, ସମୟବଦ୍ଧ ଚାର୍ଜସିଟ୍ ଦାଖଲ ଏବଂ ପୀଡ଼ିତଙ୍କୁ ବିନା ବିଳମ୍ବରେ ସରକାରୀ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଏହି ଆଇନର ଉଦ୍ଦେଶ୍ୟ କେବଳ ଅପରାଧୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ନୁହେଁ, ବରଂ ପୀଡ଼ିତଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ପୁନର୍ବାସ ସୁନିଶ୍ଚିତ କରିବା। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କୁଶଲ ଚନ୍ଦ୍ର ନାଏକ, ପି.ଏ. ଆଇଟିଡିଏ ଯୁଧିଷ୍ଠିର ମେହେର, ଜିଲ୍ଲା ମଙ୍ଗଳ ଅଧିକାରୀ ରବି ନାରାୟଣ ମିଶ୍ର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଆଇନର ସୁଫଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ପୀଡ଼ିତମାନଙ୍କୁ ଯଥାସମୟରେ ନ୍ୟାୟ ପ୍ରଦାନ ପାଇଁ ସମନ୍ୱିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।


