ରାୟଗଡ଼ା ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ନବାଗତଙ୍କ ଭବ୍ୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ରାୟଗଡା, ( ଯୋଗେଶ୍ୱର ଦାସ ) ରାୟଗଡ଼ା ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ରାୟଗଡା ପକ୍ଷରୁ ବୁଧବାର ଏକାଦଶ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭବ୍ୟ -ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ- ଆୟୋଜିତ ହୋଇଥିଲା। ପ୍ରାୟ ୧୩୦ ଜଣ ନବାଗତ ଛାତ୍ରଛାତ୍ରୀସେମାନଙ୍କର ଅଭିଭାବକ ଓ ପରିବାର ସଦସ୍ୟଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ଶିକ୍ଷାଜୀବନର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢ଼ୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଶୃଙ୍ଖଳା, ନୈତିକତା, ସମୟାନୁବର୍ତ୍ତିତା ଓ ନିରନ୍ତର ପରିଶ୍ରମ ହେଉଛି ସଫଳତାର ମୂଳମନ୍ତ୍ର। ସେ ଆଧୁନିକ ଶିକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ)ର ଗୁରୁତ୍ୱ, ଏହାର ସକାରାତ୍ମକ ବ୍ୟବହାର ଏବଂ ଭବିଷ୍ୟତରେ AI-ଭିତ୍ତିକ କ୍ୟାରିଅର ସୁଯୋଗ ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ଜ୍ଞାନ ସହ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ନିୟମାବଳୀ, ଶୃଙ୍ଖଳା, CBSE ନିର୍ଦ୍ଦେଶାବଳୀ, ଉପସ୍ଥାନ, ଶ୍ରେଣୀକାର୍ଯ୍ୟ, ଗୃହକାର୍ଯ୍ୟ, ଆଭ୍ୟନ୍ତରୀଣ ମୂଲ୍ୟାୟନ, ପରୀକ୍ଷା ପ୍ରଣାଳୀ, ୟୁନିଫର୍ମ ଏବଂ ସହପାଠ୍ୟକ୍ରମ କାର୍ଯ୍ୟକଳାପ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ସେଞ୍ଚୁରିଅନ ସ୍କୁଲ ମୋବାଇଲ୍ ଆପ୍ ର ଉପସ୍ଥାପନା। ଏହି ଆପ୍ ମାଧ୍ୟମରେ ଅଭିଭାବକମାନେ ଘରେ ବସି ନିଜ ସନ୍ତାନଙ୍କର ଦୈନିକ ଉପସ୍ଥାନ, ଶ୍ରେଣୀକାର୍ଯ୍ୟ, ପରୀକ୍ଷା ସୂଚନା, ଫଳାଫଳ, ବିଜ୍ଞପ୍ତି ଏବଂ ବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଅନଲାଇନ୍ରେ ସହଜରେ ପାଇପାରିବେ ବୋଲି ପ୍ରଦର୍ଶନ କରାଯାଇଥିଲା। ଏହି ଅତ୍ୟାଧୁନିକ ଡିଜିଟାଲ୍ ବ୍ୟବସ୍ଥାକୁ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ସବୁଜ-ସୁନ୍ଦର, ପ୍ରଦୂଷଣମୁକ୍ତ ଓ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ କ୍ୟାମ୍ପସ, ବିଶାଳ ଖେଳ ପଡ଼ିଆ, ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର ଓ ଛାତ୍ରବନ୍ଧବ ପରିବେଶ ଦେଖି ଅଭିଭାବକମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ବିଦ୍ୟାଳୟର ଶିକ୍ଷା ଓ ସୁରକ୍ଷା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ। ନୂତନ ପରିବେଶ ସହ ପରିଚିତ କରାଇବା, ଛାତ୍ର–ଅଭିଭାବକ–ବିଦ୍ୟାଳୟ ମଧ୍ୟରେ ଦୃଢ଼ ସମନ୍ୱୟ ସ୍ଥାପନ କରିବା ଏବଂ ଏକ ସଫଳ ଶିକ୍ଷାଯାତ୍ରାର ମଜବୁତ ଭିତ୍ତି ପ୍ରସ୍ତୁତ କରିବାରେ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା।ଏହି କାର୍ଯ୍ୟକ୍ରମଟିକୁ ଅଧ୍ୟାପିକା ସିମରନ ନାୟକ, ଐଶ୍ୱର୍ୟା ପଟନାୟକ ଓ ନିହାରିକା ପାତ୍ର ପରିଚାଳନା, ପ୍ରିନସିପାଲ ଶ୍ରୀ ରାଧାକୃଷ୍ଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରିଥିଲେ I


