ବିଶିଷ୍ଟ ସମାଜସେବୀ ଭଗବାନ ରାଉତଙ୍କ ପରଲୋକ
ହାଟଡିହି (ଓ୍ବାଇଏନଏସ): ଓରାଳି ଗ୍ରାମପଞ୍ଚାୟତର ନନ୍ଦିପଦା ଗ୍ରାମର ବିଶିଷ୍ଟ ସମାଜସେବୀ ଭଗବାନ ରାଉତଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ଶ୍ରୀଯୁକ୍ତ ରାଉତ ଜଣେ ପରୋପକାରୀ, ସୁବକ୍ତା ଏବଂ ଜନସେବାରେ ସମର୍ପିତ ବ୍ୟକ୍ତିତ୍ୱ ଥିଲେ। କେବଳ ଓରାଳୀ ଗ୍ରାମପଞ୍ଚାୟତ ନୁହେଁ, ହାଟଡିହି ବ୍ଲକର ବିଭିନ୍ନ ଗ୍ରାମର ଛୋଟ ବଡ଼ ସମସ୍ୟାର ସମାଧାନ ପାଇଁ ତାଙ୍କୁ ସମସ୍ତେ ନିମନ୍ତ୍ରଣ କରୁଥିଲେ। ଲୋକଙ୍କ ସମସ୍ୟାର ସମାଧାନରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ଓ ନିଷ୍ଠାକୁ ସର୍ବସାଧାରଣ ପ୍ରଶଂସା କରାଯାଉଥିଲା। ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସେ ସଦା ସର୍ବଦା ତତ୍ପର ଥିଲେ। ମରେଇଗାଁ–ବଳିପୁର ବନ୍ୟା ନିୟନ୍ତ୍ରଣ ବନ୍ଧକୁ ସୁଦୃଢ଼ କରି ସ୍ଥାୟୀ ରାସ୍ତାରେ ପରିଣତ କରିବା ପାଇଁ ସେ ବାରମ୍ବାର ଜିଲ୍ଲାପାଳ, ବିଭାଗୀୟ ଯନ୍ତ୍ରୀଙ୍କୁ ଲିଖିତ ଜଣାଇ ବାରମ୍ବାର ଆଲୋଚନା କରୁଥିଲେ। ଯାହାଦ୍ୱାରା ଏହି ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେ ଅନେକ ଲୋକଙ୍କୁ ଆଇନିଗତ ସହାୟତା ଯୋଗାଇ ଦେଉଥିଲେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବାରମ୍ବାର ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରି ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେପି ନେତା ଆଲୋକ ସେଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକ ଖବର ପାଇ ମରୈଗାଁର ପୂର୍ବତନ ସାରପଞ୍ଚ ସୁଦାମ ଚରଣ ଜେନା, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ସାହୁ, ନିର୍ମଳ ଚନ୍ଦ୍ର ବାରିକ, ମନ୍ମଥ ପଣ୍ଡା, ପ୍ରଭାକର ସ୍ୱାଇଁ, ସତ୍ୟାନନ୍ଦ ମାଝୀ, ସୁଦର୍ଶନ ନାୟକ, ରାମଚନ୍ଦ୍ର ଜେନାସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମାଶନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଦେବବ୍ରତ ରାଉତ ମୁଖାଗ୍ନି ଦେଇଥିବା ବେଳେ ପୁଅ, ବୋହୁ, ନାତି ନାତୁଣୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।


