୨୮ ବର୍ଷ ପରେ ଅସ୍ତରଙ୍ଗରେ ଗଡିବ ମହାପ୍ରଭୁଙ୍କ ରଥ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ଏହା କେବଳ କାଠ ଓ ଦଉଡିର ରଥ ନୁହେଁ। ଏହା ପୁରୀ ଜିଲ୍ଲା ଅସ୍ତରଙ୍ଗର ପ୍ରତିଟି ଘର ଭକ୍ତି, ପ୍ରାର୍ଥନା ଓ ୨୮ ବର୍ଷର ଅପେକ୍ଷାର ରଥ। ଚଳିତ ବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା କମିଟି, ଅସ୍ତରଙ୍ଗର ବ୍ୟବସ୍ଥାପନାରେ ବାଟୁଆ ଗାଦିରୁ ଅସ୍ତରଙ୍ଗ ବଜାର ଦେଇ ଭଗବତୀ ମନ୍ଦିର ପାଖ ଅସ୍ଥାୟୀ ଗୁଣ୍ଡିଚା ପର୍ଯ୍ୟନ୍ତ ଗଡିବ ରଥ। ସଭାପତି ଧୃତିବାମନ ଛାଟୋଇ, ସମ୍ପାଦକ କୁଲୁ ଛାଟୋଇ ଓ କୋଷାଧକ୍ଷ ରାକେଶ ମହାନ୍ତି ଙ୍କ ସମେତ କମିଟି ସମସ୍ତ ନେତୃତ୍ୱରେ ମୁଖ୍ୟ କାରିଗର ବୃନ୍ଦାବନ ମହାରଣାଙ୍କ ତତ୍ତ୍ୱାବଧାନରେ ୨୧ ଫୁଟ ଉଚ୍ଚ, ୧୬ ଫୁଟ ଚଉଡା, ୮ଟି ଚକ ଓ ୬ଟି ଘୋଡା ବିଶିଷ୍ଟ ରଥର ୮୦ପ୍ରତିଶତ କାମ ସରିସାରିଛି। ରଥଯାତ୍ରା ଦିନ ମଧ୍ୟାହ୍ନ ୧୨ ଘଟିକା ପହଣ୍ଡି ଦିନ ଓ ଅପରାହ୍ନ ୨ଘଟିକା ରେ ରଥଟଣା ହେବ। ଛେରା ପହଁରା କରିବେ ବାମଦେବ ସାହୁ। କିନ୍ତୁ ଏହି ରଥର ପ୍ରତି କାଠରେ ଲେଖା ହୋଇଛି ଏକ ସଂଘର୍ଷର କାହାଣୀ। ସେହି କାହାଣୀର ଜୀବନ୍ତ ସାକ୍ଷୀ ହେଉଛନ୍ତି କମିଟିର ଉପଦେଷ୍ଟା ତଥା ବରିଷ୍ଠ ଶିକ୍ଷାବିତ ରବୀନ୍ଦ୍ର ମହାନ୍ତି। ରବୀନ୍ଦ୍ର ମହାନ୍ତି କହିଛନ୍ତି ୧୯୯୭ ମସିହା ଥିଲା। ଆମେ କିଛି ଯୁବକ ମିଶି ସଂକଳ୍ପ ନେଲୁ ଅସ୍ତରଙ୍ଗରେ ରଥ ହେବ। ମା ମଙ୍ଗଳାଙ୍କ ପାଖକୁ ଗଲୁ, ଦଶହରା ଦିନ ଆଜ୍ଞାମାଳ ମାଗିଲୁ। ମା ଆମକୁ ଆଜ୍ଞା ଦେଲେ। ଖୁସିରେ ଝାରିଆ ଓ କନ୍ତ ପହରା ଚିହ୍ନଟ କଲୁ। କିନ୍ତୁ ୧୯୯୯ମସିହା ମହାବାତ୍ୟା ସବୁ ଧ୍ୱଂସ କରିଦେଲା।ଆମ ସ୍ୱପ୍ନ ସହ ସେହି ଗଛ ମଧ୍ୟ ଭାଙ୍ଗିଗଲା। ସେଦିନ ଲାଗିଲା ଆମ ଭକ୍ତିରେ କିଛି ତ୍ରୁଟି ରହିଗଲା। ୨୮ ବର୍ଷ ଧରି ଛାତିରେ ପଥର ରଖିଲୁ। ପ୍ରତି ବର୍ଷ ରଥଯାତ୍ରା ଦିନ ପୁରୀ ଯାଇ ଠାକୁରଙ୍କୁ ଦେଖି ଆସୁଥିଲୁ ଆଉ ଭାବୁଥିଲୁ – ହେ ପ୍ରଭୁ କେବେ ତୁମେ ଆମ ଗାଁକୁ ଆସିବ? ଚଳିତ ବର୍ଷ ପୁଣି ଠାକୁର ଡାକିଲେ।କିଛି ଯୁବକ ଆସି ହାତ ଧରିଲେ। ଆମେ ପୁଣି ଜଗନ୍ନାଥ ଓ ମା” ମଙ୍ଗଳାଙ୍କ ପାଖରୁ ଆଜ୍ଞାମାଳ ଆଣିଲୁ। ସେଦିନ ବୁଝିଲୁ ଠାକୁର ଆମକୁ ପରୀକ୍ଷା କରୁଥିଲେ। ଆଜି ବଟୁଆ ଗାଦି ନିକଟରେ ରଥ ତିଆରି ହେଉଥିବା ଦେଖି ମୋ ଆଖିରୁ ଲୁହ ଅଟକୁ ନାହିଁ। ଲାଗୁଛି ଏହି ୨୮ ବର୍ଷର ପ୍ରାର୍ଥନା ସବୁ ସଫଳ ହେଲା। ଏହା ଆମର ରଥ ନୁହେଁ, ଏହା ମା ମଙ୍ଗଳାଙ୍କ ରଥ। ଏହା ଅସ୍ତରଙ୍ଗର ପ୍ରତି ଘର ରଥ। ଯେଉଁ ଦିନ ରଥ ଗଡିବ ସେଦିନ ମୋର ମନେ ହେବ ଠାକୁର ସତରେ ଆମ ଘରକୁ ପାଦ ଦେଇଛନ୍ତି। ମୋର ଗୋଟିଏ ହିଁ ପ୍ରାର୍ଥନା – ଆମ ଗାଁର ପିଲାମାନେ ଯେପରି ପ୍ରତିବର୍ଷ ନିଜ ହାତରେ ତୁମକୁ ଟାଣି ପାରିବେ।” ରବୀନ୍ଦ୍ର ବାବୁଙ୍କ ଏହି କଥା ଶୁଣିଲେ ବୁଝାପଡେ ଭକ୍ତି କାହାକୁ କୁହନ୍ତି। ୨୮ ବର୍ଷ ପରେ ଆସୁଥିବା ଏହି ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଅସ୍ତରଙ୍ଗର ବିଶ୍ୱାସର ବିଜୟ। ସ୍ଥାନୀୟ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁବେ।


