ଚୈତନ୍ୟର ଅବିଚ୍ଛେଦ୍ୟ ଅଙ୍ଗ ବିଜ୍ଞାନ


ହେମନ୍ତ କୁମାର ଗନ୍ତାୟତ

ସନାତନ ଧର୍ମ ସମଗ୍ର ବିଶ୍ୱବାସୀଙ୍କ ନିମନ୍ତେ ଏକ ଆଲୋକ ବର୍ତ୍ତିକା। ଏହି ଆଲୋକ ବର୍ତ୍ତିକାର ଜ୍ୟୋତି ସମୂହ ଏହାର ବୈଦିକ ସାହିତ୍ୟ। ଯାର ମାର୍ଗଦର୍ଶକ ହେଉଛନ୍ତି ସନାତନୀ ମହାନୁଭଵୀ ମହର୍ଷିମାନେ। ଯେଉଁମାନେ ନିଜର ଦାର୍ଶନିକ ଅନୁଭୂତି ଓ ସିଦ୍ଧାନ୍ତ ବଳରେ, ମାନଵ ସମାଜର କଲ୍ୟାଣ ପାଇଁ ବହୁବିଧ ଉପାୟମାନ ପ୍ରଦର୍ଶନ କରି ଯାଇଛନ୍ତି। ସେଥି ମଧ୍ୟରୁ ଚୈତନ୍ୟ ଏବଂ ବିଜ୍ଞାନର ସମ୍ପର୍କକୁ ଅତି ଗଭୀର ଭାବେ ବ୍ୟାଖ୍ୟା କରାଯାଇଛି। ଉପନିଷଦରେ ‘ବିଜ୍ଞାନମୟ କୋଷ’ ବିଷୟରେ କୁହାଯାଇଛି, ଯାହା ମନୁଷ୍ୟର ବୁଦ୍ଧି ଓ ଚୈତନ୍ୟର ସମନ୍ୱୟକୁ ଦର୍ଶାଏ। ପ୍ରାଚୀନ ଭାରତର ଋଷିମାନେ କେବଳ ଆଧ୍ୟାତ୍ମିକବାଦୀ ନଥିଲେ, ଅପିତୁ ଥିଲେ ଜଣେ ଜଣେ ବୈଜ୍ଞାନିକ। ସେମାନେ ଜାଣିଥିଲେ ମନୁଷ୍ୟର ମନ ହିଁ ବିଜ୍ଞାନ ଓ ଚୈତନ୍ୟର ମାଧ୍ୟମ। କାରଣ ମନ ହିଁ ବନ୍ଧନ( ଵିଷୟ) ଏବଂ ମୋକ୍ଷ ବା ମୁକ୍ତାବସ୍ଥା ଦେଇଥାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି: “ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ”। ଯେତେବେଳେ ସାଧାରଣ ମଣିଷର ମନ ବହିର୍ଜଗତରେ ପରିଭ୍ରମଣ କରେ, ସେତେବେଳେ ତାର ମନ ଅଶାନ୍ତ ହେବାକୁ ଲାଗେ । କିନ୍ତୁ ସାଧକ ବା ଜିଜ୍ଞାସୁ ନିଜ ମନକୁ ଅନ୍ତର୍ମୁଖୀ କଲେ, ସେ ସେହି ପରମ ତତ୍ତ୍ୱକୁ ବୋଧ କରିପାରେ। ଯାହା ଫଳାରେ ତାର ଉଚ୍ଚତର ଜ୍ଞାନ ବା ବିଜ୍ଞାନ, ପରମ ଆନନ୍ଦ ଏବଂ ସେହି ଦିବ୍ୟ ଚେତନାର ଜାଗରଣ ହୋଇଥାଏ। ସଂକ୍ଷେପରେ କହିବାକୁ ଗଲେ, ବାହ୍ୟ ଜଗତରୁ ମନକୁ ହଟାଇ ନିଜ ଭିତରେ ଈଶ୍ୱରଙ୍କୁ ଅନ୍ୱେଷଣ କଲେ ହିଁ ପ୍ରକୃତ ଜ୍ଞାନ ଓ ଆନନ୍ଦ ମିଳିଥାଏ।

ଚୈତନ୍ୟ ହେଉଛି ଜୀବନର ସେହି ଅଦୃଶ୍ୟ ଶକ୍ତି, ଯାହା ମଣିଷକୁ ନିଜ ବିଷୟରେ ଏବଂ ଚତୁର୍ପାର୍ଶ୍ୱର ବିଶ୍ୱ ବିଷୟରେ ସଚେତନ କରାଏ। ଯେତେବେଳେ ମାନବର ଚୈତନ୍ୟ ଜାଗ୍ରତ ହୁଏ, ସେତେବେଳେ ତା’ ମନରେ ଅନେକ ପ୍ରଶ୍ନ ଉଠେ,”ଏହି ସୃଷ୍ଟି କ’ଣ”?, “ଆମେ କେଉଁଠୁ ଆସିଛୁ”?, “ଋତୁ ପରିବର୍ତ୍ତନ କାହିଁକି ହୁଏ”? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସେ ସେତେବେଳେ ପାଏ, ଯେତେବେଳେ ସେ ଜ୍ଞାନ ବା ବୈଜ୍ଞାନିକ ପଦ୍ଧତିକୁ ଅବଲମ୍ବନ କରେ। କାରଣ ବିଜ୍ଞାନ ହେଉଛି ସତ୍ୟର ଅନ୍ୱେଷଣ ଏବଂ ଜ୍ଞାନର ଆଧାର। ପ୍ରତ୍ୟେକ ମଣିଷଙ୍କ ଭିତରେ ରହିଥିବା ଜିଜ୍ଞାସା ବା ଜାଣିବାର ଇଚ୍ଛାକୁ ହିଁ ବିଜ୍ଞାନ ସାକାର କରିଥାଏ। ଏହା କୌଣସି ଅନ୍ଧବିଶ୍ୱାସ ଉପରେ ଆଧାରିତ ନୁହେଁ, ବରମ୍ ସର୍ବଦା କାର୍ଯ୍ୟ-କାରଣ ସମ୍ପର୍କ, ପରୀକ୍ଷା ଏବଂ ପ୍ରମାଣ ଉପରେ ପର୍ଯ୍ୟବେସିତ। ଏହି ପ୍ରକ୍ରିୟା ମଣିଷକୁ ସତ୍ୟର ସନ୍ଧାନ ଦେଇଥାଏ। ଆଦିମ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ମଣିଷ ଯେତେବେଳେ ବି କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି, ବିଜ୍ଞାନ ତାର ସମାଧାନ କରିଛି। ଯେତେବେଳେ ମଣିଷ ପ୍ରକୃତିର ନିୟମକୁ ବୁଝିବାକୁ ଚେଷ୍ଟା କରେ ଏବଂ ନୂତନ ଆବିଷ୍କାର କରେ, ସେତେବେଳେ ତା’ ମନରେ ଏକ ଅନିର୍ବଚନୀୟ ଆନନ୍ଦ ସୃଷ୍ଟି ହୁଏ। ଯାହା ଫଳରେ ସେ ତୃପ୍ତ ଅନୁଭବ କରେ। ବିଜ୍ଞାନ କେବଳ ଯନ୍ତ୍ରପାତି କିମ୍ବା ଆଧୁନିକ ଜ୍ଞାନକୌଶଳ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନବ ସମାଜରେ ଏକ ନୂତନ ଚେତନା ଏବଂ ବିଚାରଧାରା ସୃଷ୍ଟି କରିବାର ଏକ ସହଜ ମାଧ୍ୟମ ଅଟେ। ମହାନ୍ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହିଥିଲେ ଯେ, ବ୍ରହ୍ମାଣ୍ଡର ବିଶାଳତା ଏବଂ ଏହାର ଶୃଙ୍ଖଳାକୁ ଦେଖିଲେ ମନରେ ଏକ ଗଭୀର ରହସ୍ୟମୟ ଆନନ୍ଦ ଓ ବିସ୍ମୟ ସୃଷ୍ଟି ହୁଏ। ବିଜ୍ଞାନ ଯେତେବେଳେ ପ୍ରକୃତିର ନିୟମକୁ ସରଳ କରି ବୁଝାଇଦିଏ, ସେତେବେଳେ ମାନବ ଚେତନା ଏକ ଦିବ୍ୟ ଆନନ୍ଦ ଅନୁଭବ କରେ।

ଆଧୁନିକ ପଦାର୍ଥ ବିଜ୍ଞାନର ସବୁଠାରୁ ଉନ୍ନତ ଶାଖା ‘କ୍ୱାଣ୍ଟମ୍ ଫିଜିକ୍ସ’ (Quantum Physics) ଆଜି ଚୈତନ୍ୟର ଅସ୍ତିତ୍ୱକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛି। ପ୍ରାଚୀନ ଭୌତିକ ବିଜ୍ଞାନ ଭାବୁଥିଲା ଯେ ବିଶ୍ୱ ଏକ ମେସିନ୍ ଭଳି ଏବଂ ଏହା ମଣିଷର ଚୈତନ୍ୟ ବିନା ମଧ୍ୟ ଚାଲିପାରିବ। କିନ୍ତୁ କ୍ୱାଣ୍ଟମ୍ ବିଜ୍ଞାନ ଏହାକୁ ଭୁଲ୍ ପ୍ରମାଣିତ କରିଛି। ଆଧୁନିକ ଜୈବିକ ବିଜ୍ଞାନ ଆଜି ଚୈତନ୍ୟର ସ୍ୱରୂପକୁ ବୁଝିବା ପାଇଁ ସ୍ନାୟୁବିଜ୍ଞାନ (Neuroscience)ର ସାହାଯ୍ୟ ନେଉଛି। ସ୍ନାୟୁବିଜ୍ଞାନ ଅନୁସାରେ, ଆମର ସମସ୍ତ ଭାବନା, ସ୍ମୃତି, ପ୍ରେମ, ଏବଂ ଚୈତନ୍ୟ ମସ୍ତିଷ୍କରେ ଥିବା ବିଲିୟନ ବିଲିୟନ ନ୍ୟୁରୋନ୍ (Neurons) ଏବଂ ସେଗୁଡ଼ିକ ମଧ୍ୟରେ ହେଉଥିବା ବିଦ୍ୟୁତ୍-ରାସାୟନିକ (Electrochemical) ପ୍ରକ୍ରିୟାର ପରିଣାମ।ଯେତେବେଳେ ଆମେ କିଛି ଦେଖୁ, ଶୁଣୁ ବା ଚିନ୍ତା କରୁ ସେତେବେଳେ ମସ୍ତିଷ୍କର ନିର୍ଦ୍ଦିଷ୍ଟ ଅଂଶ ସକ୍ରିୟ ହୋଇଉଠେ। ବିଜ୍ଞାନ ଆଜି MRI ଏବଂ ECG ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଚୈତନ୍ୟର ଏହି ଗତିବିଧିକୁ ମାପିବାରେ ସକ୍ଷମ ହୋଇଛି। ପରନ୍ତୁ କିଛି ବ୍ୟକ୍ତି ବିଜ୍ଞାନ ଓ ଆଧ୍ୟାତ୍ମିକତାର ମିଳନ ପରସ୍ପର ବିରୋଧୀ ବୋଲି ଅନେକ ସମୟରେ ଭାବିଥା’ନ୍ତି। କିନ୍ତୁ ବାସ୍ତବରେ ତାହା ଠିକ୍ ନୁହେଁ। ବିଜ୍ଞାନ ସର୍ଵଦା ବାହ୍ୟ ଜଗତରେ ସତ୍ୟ ଖୋଜିଥାଏ, ଯେତେବେଳେ କି ଆଧ୍ୟାତ୍ମିକତା ଅନ୍ତର୍ଜଗତର ସତ୍ୟକୁ ଅନୁସନ୍ଧାନ କରି ଚାଲିଥାଏ। ପରନ୍ତୁ ଉଭୟଙ୍କର ଲକ୍ଷ୍ୟ ହେଉଛି ଏକ, ଯାହା ସତ୍ୟର ସନ୍ଧାନ। ଯୋଗ, ଧ୍ୟାନ ଏବଂ ମନସ୍ତତ୍ତ୍ୱ ବିଜ୍ଞାନ ଆଜି ପ୍ରମାଣ କରିସାରିଛି ଯେ, ମାନସିକ ଶାନ୍ତି ଏବଂ ଆନନ୍ଦ ପାଇଁ ଆଧ୍ୟାତ୍ମିକ ଚେତନା ନିତାନ୍ତ ଆବଶ୍ୟକ। ସୁସ୍ଥ ଶରୀର ଏବଂ ସୁସ୍ଥ ମନର ସମନ୍ୱୟ ହିଁ ପ୍ରକୃତ ମାନବ ଚେତନା, ଯାହା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ମିଳନରୁ ହିଁ ସମ୍ଭବପର ବୋଲି ପୂର୍ବରୁ ଚରକ ଏବଂ ସୁଶ୍ରୁତଙ୍କ ଭଳି ବୈଜ୍ଞାନିକମାନେ କହି ଯାଇଛନ୍ତି। ସେମାନେ ମାନବ ଶରୀର ଓ ମନର ସମ୍ପର୍କକୁ ବୁଝି ଚିକିତ୍ସା ବିଜ୍ଞାନର ମୂଳଦୁଆ ପକାଇଥିଲେ। ଚରକ ଓ ସୁଶ୍ରୁତଙ୍କ ମତରେ, ଶରୀର ସୁସ୍ଥ ରହିବା ସହ ଚୈତନ୍ୟ ବା ଆତ୍ମା ପ୍ରସନ୍ନ ରହିବା ଆବଶ୍ୟକ।

ପୂର୍ବରୁ କୁହାଯାଇଛି ଯେ, ବିଜ୍ଞାନ ଏବଂ ଚେତନା ପରସ୍ପର ପରିପୂରକ। ସେଥିମଧ୍ୟରୁ ବିଜ୍ଞାନ ହେଉଛି ଶରୀର ଏବଂ ଚେତନା ହେଉଛି ଆତ୍ମିକ ଶକ୍ତି। ଯେତେବେଳେ ମଣିଷ ବୈଜ୍ଞାନିକ ଜ୍ଞାନକୁ ସମାଜର କଲ୍ୟାଣ ଏବଂ ପ୍ରକୃତିର ସୁରକ୍ଷା ପାଇଁ ବ୍ୟବହାର କରେ, ସେତେବେଳେ ତା’ର ଜୀବନ ଆନନ୍ଦମୟ ହେବାକୁ ଲାଗେ। ଯାହା ବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ। ପରନ୍ତୁ ସାଧାରଣ ଦୃଷ୍ଟିରେ ବିଜ୍ଞାନକୁ ଏକ ନିରସ, ଯୁକ୍ତିଯୁକ୍ତ ଓ ପରୀକ୍ଷାମୂଳକ ବିଷୟ ବୋଲି ମନେ କରନ୍ତି ଏବଂ କିଛି ବ୍ୟକ୍ତି ଭାବନ୍ତି ବିଜ୍ଞାନ କେବଳ ଜାଗତିକ ସୁଖ ଓ ସୁବିଧା ସୃଷ୍ଟି କରିବାର ଏକ ମାଧ୍ୟମ। କିନ୍ତୁ ଏହା ଯଥାର୍ଥ ନୁହେଁ। ଏହି ବିଜ୍ଞାନ କେବଳ ବୈଷୟିକ ସୁବିଧାର ସୃଷ୍ଟି କରିବା ପାଇଁ ସୃଷ୍ଚି ହୋଇନାହିଁ, ବରଂ ମଣିଷର ଚେତନାକୁ ଜାଗ୍ରତ କରି ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ବିଶ୍ୱ ଗଠନ କରିବା ଏହାର ପ୍ରକୃତ ଲକ୍ଷ ଅଟେ। ଗଭୀର ଭାବେ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ଦୁଇଟି ପରସ୍ପର ବିରୋଧୀ ନୁହନ୍ତି। ବରଂ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି ସେମାନେ ପରସ୍ପର ସହ ଓତପ୍ରୋତ ଭାବେ ଜଡ଼ିତ ଏବଂ ମାନବ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଅଟନ୍ତି।

ପରିଶେଷରେ କୁହାଯାଇପାରେ ଯେ, ଚୈତନ୍ୟ ବିଜ୍ଞାନକୁ ଜନ୍ମ ଦିଏ ଏବଂ ବିଜ୍ଞାନ ଚୈତନ୍ୟର ମାର୍ଗକୁ ଅବଲମ୍ବନ କରେ। ଯଦି ବିଜ୍ଞାନ ଚୈତନ୍ୟର ମାନବୀୟ ନୈତିକତାକୁ ହରାଏ, ତେବେ ସେ ବିନାଶର କାରଣ ସାଜେ। ଏହାର ଉଦାହରଣ : ପରମାଣୁ ବୋମା, ପରିବେଶ ପ୍ରଦୂଷଣ, ଏବଂ ଜୈବିକ ଅସ୍ତ୍ରଶସ୍ତ୍ର । ଏଣୁ ମାନବ ସଭ୍ୟତାର ଚରମ କଲ୍ୟାଣ ପାଇଁ ବୈଜ୍ଞାନିକ ଉଦ୍ଭାବନ ସହିତ ଆଧ୍ୟାତ୍ମିକ ଓ ମାନବୀୟ ଚୈତନ୍ୟର ସମନ୍ୱୟ ଏକାନ୍ତ ଜରୁରୀ। ଯେତେବେଳେ ଏହି ଦୁଇଟି ଶକ୍ତି ଏକାଠି ହେବେ, ସେତେବେଳେ ପୃଥିବୀରୁ ସମସ୍ତ ଅଜ୍ଞାନତାର ଅନ୍ଧକାର ଦୂର ହେବା ସହ ଏକ ପ୍ରଗତିଶୀଳ ତଥା ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠିତ ହୋଇପାରିବ।

ଦର୍ଶନ ଅଧ୍ୟାପକ
ଆସିକା , ଗଞ୍ଜାମ।
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ