ଭାବ ମନ୍ଦାକିନୀ

ହେମନ୍ତ କୁମାର ଗନ୍ତାୟତ
ଜଗତର ନାଥ ଆହେ ଜଗନ୍ନାଥ
ପ୍ରତୀକ୍ଷା ମୁଁ କରି ଅଛି
ବିରହେ ବସିଛି ତୁମକୁ ଖୋଜୁଛି
ଲୋଡ଼େ ନାହିଁ ଆଉ କିଛି ।।
ଆସିଯାଅ ହରି ଵାରେ ଦୟାକରି
ସେବିବି ତୁମକୁ ବିଭୁ
ମୋ ନୟନ ନୀରେ ତୁମ ପୟରକୁ
ଧୋଇଦେବି ମହାପ୍ରଭୁ ।।
ମୋ ବିଚ୍ଛେଦ ସ୍ୱର କହେ ନିରନ୍ତର
ହୋଇବ ସେ ଶଙ୍ଖ ଧ୍ୱନି
ହୃଦୟର ଶବ୍ଦ ହେବ ଘଣ୍ଟ ନାଦ
ହସ୍ତ ବଜାଇବ ଗିନି ।।
ଭାବ ମନ୍ଦାକିନୀ ଜଳେ ପଖାଳିବି
ବିମଳ ଅଙ୍ଗକୁ ତବ
ଭକ୍ତି ଚନ୍ଦନରେ ଶ୍ରୀଅଙ୍ଗ ବୋଳିବି
ବାସୁଥିବ ହେ ମାଧବ !
ଚିତ୍ତ ମଧୁବନୁ ମନ ତୋଳିଦେବ
ପ୍ରୀତିର ସୁଗନ୍ଧ ଫୁଲ
ଜୀବନ ସୂତାରେ ମାଳାକୁ ଗୁନ୍ଥିବି
ଦିଶୁଥିବ ଝଲମଲ ।।
ଅନ୍ତର ଜ୍ୟୋତିରେ ପ୍ରଦୀପ ଜାଳିବି
ଦେଖିବି ନୟନ ଭରି
ସେହି ରୂପେ ମଜି ଯିବି ମୁହିଁ ହଜି
ତୋଷିବି ନୈବେଦ୍ୟେ ହରି ।।
ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


