ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କଂଗ୍ରେସ ନେତୃମଣ୍ଡଳୀ
କଟକ(ଓ୍ବାଇଏନଏସ) : ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଥିବା ପଂଚାୟତ ଓ ବ୍ଳକ ସ୍ତରରେ ହୋଇଥିବା ଦୁର୍ନୀତି, ପ୍ରିୟା ପ୍ରୀତି ତୋଷଣ ଆଦି ସଂପର୍କରେ ଆଜି ଜିଲ୍ଲାର କଂଗ୍ରେସ ନେତୃମଣ୍ଡଳୀ ଜିଲ୍ଲାପାଳ ଙ୍କୁ ଭେଟି ସବିଶେଷ ଆଲୋଚନା କରିଥିଲେ। ଜିଲ୍ଲା କଂଗ୍ରେସ ର ସଭାପତି ପ୍ରଦୀପ୍ତ କୁମାର ଦାସ ଙ୍କ ନେତୃତ୍ବରେ ପିସିସି ଉପସଭାପତି ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ବିଶ୍ବଜିତ ଦାସ, କଂଗ୍ରେସ ନେତା ଆକ୍ୟୁବ ଖାଁ, ବାଙ୍କନିଧି ବେହେରା, ସୁଦର୍ଶନ ସାହୁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ବରଂଜନ ଜେଠୀ, ଉଗ୍ରସେନ ଭୂୟାଁ, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରୀତିଛନ୍ଦା କୈବଲ୍ୟ ନାୟକ,ବିପିନ ପଶାୟତ ପ୍ରମୁଖ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ୟା ଗୁଡ଼ିକ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସଂପ୍ରତି ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଉଁଶ ପୁଟ୍ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହୋଇଥିବା ଦୁର୍ନୀତି ଓ ସରପଞ୍ଚ ଙ୍କ ଦ୍ଵାରା ହୋଇଥିବା ବିଭିନ୍ନ ଅନୀୟମିତତା କୁ ନେଇ ସ୍ଥାନୀୟ କଂଗ୍ରେସ ସମର୍ଥକ ମନୋଜ ପଣ୍ଡା ଅନଶନ କରି ଗୁରୁତର ଅସୁସ୍ଥ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ନୀତି ସଂପର୍କରେ ତଦନ୍ତ ହୋଇଥିଲେ ମଧ୍ୟ ସଂପୃକ୍ତ ସରପଞ୍ଚ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ତୁରନ୍ତ ତାଙ୍କ ପ୍ରତି ଆଇନାନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା।ସମସ୍ତ ଘଟଣାବଳୀକୁ ତଦନ୍ତ କରାଯାଇ ଯିଏ କେହି ବି ଦୁର୍ନୀତି ରେ ସଂପୃକ୍ତ ଥିବେ ସେମାନଙ୍କ ପ୍ରତି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ନିର୍ଦିଷ୍ଟ ବିଷୟରେ ଉପଯୁକ୍ତ ଫୋରମ୍ ରେ ଅଭିଯୋଗ ଆସିଲେ ତାହା ତଦନ୍ତ ପରିସରଭୁକ୍ତ ହୋଇ ପାରିବ ବୋଲି ସେ ସୂଚନା ଦେଇଥିଲେ।ପରେ ପରେ ନେତୃମଣ୍ଡଳୀ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ଅନଶନ ଜାରି ରଖିଥିବା କଂଗ୍ରେସ କର୍ମୀ ମନୋଜ ପଣ୍ଡା ଙ୍କୁ ଭେଟି ତାଙ୍କୁ ଅନଶନ ଭାଙ୍ଗିବାକୁ ବୂଝାଇବା ସହିତ ଦାୟିତ୍ଵ ରେ ଥିବା ଚିକିତ୍ସକ ଙ୍କ ଉପସ୍ଥିତି ରେ ଫଳରସ ପିଆଇ ତାଙ୍କୁ ଅନଶନ ରୁ ବିରତ କରାଇଥିଲେ।


