ବ୍ରାଉନସୁଗାର ଜବତ : ଜଣେ ଗିରଫ
କଟକ,(ଓ୍ବାଇଏନଏସ): ରଥଯାତ୍ରା ଉପଲକ୍ଷେ ନିଶା କାରବାର ଉପରେ କଡ଼ା ନଜର ରଖିବା ପାଇଁ ଅବକାରୀ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍-୧ (ଫ୍ଲାଇଂ ସ୍କ୍ୱାର୍ଡ), କଟକ ପକ୍ଷରୁ ପୁରୀ ଜିଲ୍ଲାରେ ଆଉ ଗୋଟିଏ ବଡ଼ ଏନଡ଼ିପିଏସ ମାମଲା ରୁଜୁ କରାଯାଇଛି। ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ୍ ଶ୍ରୀ ସମରଜିତ୍ ଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଶ୍ରୀ ରୋଶନ ଇସୁ ହାଂସଦାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ସମ୍ଭୁଭାରତି ପାଟଣା ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସମ୍ଭୁଭାରତି ନିବାସୀ ଚିନ୍ମୟ ସାହୁ (୩୭)ଙ୍କ ନିକଟରୁ ୧୮୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ₹୧୮.୭ ଲକ୍ଷ ହେବ। ଅଭିଯୁକ୍ତଙ୍କୁ ଏନଡ଼ିପିଏସ Act ୧୯୮୫ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ସୁଶାନ୍ତ କୁମାର ମହପାତ୍ର, ସବ୍ ଇନ୍ସପେକ୍ଟର ଅମିତ୍ କୁମାର ବିଶ୍ଵାଳ, ସବ୍ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ୍, ସହକାରୀ ସବ୍ ଇନ୍ସପେକ୍ଟର ସୁମତି ମହାନ୍ତି, କନଷ୍ଟେବଲ ଦେବାଶିଷ ବେହେରା, ପବିତ୍ର କୁମାର ଦାଶ, ଶଙ୍କର୍ଷଣ ରାଉତ, ଚନ୍ଦ୍ରକାନ୍ତ ସାହୁ, ମୁନିରାମ ହାଁସଦା ଏବଂ ଡ୍ରାଇଭର କୃଷ୍ଣ ମୋହନ ଦାସ ପ୍ରମୁଖ ଅଧିକାରୀ ମାନେ ସାମିଲ ଥିଲେ। ରଥଯାତ୍ରା ସମୟରେ ଅଞ୍ଚଳକୁ ନିଶାମୁକ୍ତ ରଖିବା ପାଇଁ ଅବକାରୀ ବିଭାଗର ଏହି ଅଭିଯାନ ଜାରି ରହିବ।


