କାଉଡ଼ିଆ ଯାତ୍ରା ପାଇଁ ମହାନଦୀର ଗଡ଼ଗଡ଼ିଆ ଘାଟରେ କେଏମସି ମେୟରଙ୍କ ସମୀକ୍ଷା
କଟକ, (ଓ୍ବାଇଏନଏସ): ଶ୍ରାବଣ ସୋମବାର ପ୍ରସିଦ୍ଧ କାଉଡ଼ିଆ ଯାତ୍ରା ପାଇଁ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଯାତ୍ରା ବେଳେ ମହାନଦୀରୁ ଲକ୍ଷାଧିକ ଭକ୍ତ ଜଳଭାର ନେଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି। କାଉଡ଼ିଆଙ୍କର ସୁରକ୍ଷା ଓ ନଦୀରୁ ଜଳଭାର ସଂଗ୍ରହ ସମୟରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଦିଗରେ ସର୍ବୋଚ୍ଚ ପ୍ରଥାମିକତା ଦିଆଯିବ ବୋଲି କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ କହିଛନ୍ତି । ଆଜି ମହାନଦୀର ଐତିହାସିକ ଗଡ଼ଗଡ଼ିଆ ଘାଟରେ କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ କାଉଡ଼ିଆ ଯାତ୍ରା ପରିଚାଳନା ନେଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ। କାଉଡ଼ିଆମାନେ କିଭଳି ସୁରକ୍ଷିତ ଭାବେ ସୁରୁଖୁରୁରେ, ସୁବିଧାରେ ଓ ଶୃଙ୍ଖଳାର ସହ ନଦୀରୁ ଜଳ ନେଇ ମହାଦେବଙ୍କୁ ଅର୍ପଣ କରିପାରିବେ ସେ ନେଇ ବିସ୍ତୃତ ଭାବେ ମେୟର ଆଲୋଚନା କରିଥିଲେ। ସେମାନଙ୍କର ସୁରକ୍ଷାକୁ ସର୍ବୋଚ୍ଚ ପ୍ରଥାମିକତା ଦିଆଯିବ ଏବଂ ଯେକୌଣସି ପ୍ରକାରର ଅଘଟଣକୁ ଏଡ଼ାଇବାକୁ ଓଡ୍ରାଫ୍ ଠାରୁ ଅଗ୍ନିଶମବାହାନୀ ଯାଏଁ ସମସ୍ତେ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ସମୟରେ ମହାନଗର ନିଗମର ସମସ୍ତ ବିଭାଗର ଅଧିକାରୀଙ୍କ ସହ ଓଡ୍ରାଫ, ଅଗ୍ନିଶମ, ଜଳସେଚନ ଓ ନଗର ସ୍ୱାସ୍ଥ୍ୟ ସମିତିର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। କାଉଡ଼ିଆ ଯାତ୍ରା ପୂର୍ବରୁ ଗଡ଼ଗଡ଼ିଆ ଘାଟରେ ଏକ ଅସ୍ଥାୟୀ କ୍ୟାମ୍ପ ଅଫିସର ପ୍ରତିଷ୍ଠା କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନଙ୍କୁ ପାନୀୟଜଳ ଯୋଗାଣ, ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ଆଲୋକୀକରଣ ସହ ନିୟମିତ ଭାବେ ସ୍ୱଚ୍ଛତା ରକ୍ଷା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ। ସମସ୍ତ କାଉଡ଼ିଆ ନିର୍ଦ୍ଧାରିତ ସ୍ଥାନରୁ ଏବଂ ପୂର୍ବରୁ ନିର୍ମିତ ବ୍ୟାରିକେଡ ମଧ୍ୟ ଦେଇ ଜଳ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ସେମାନଙ୍କ ସୂଚନା ପାଇଁ ବିଭିନ୍ନ ସ୍ଥାନରେ ସତର୍କ ସୂଚନା ବୋର୍ଡ ଲାଗୁ କରିବାକୁ ମେୟର କହିଛନ୍ତି। ପ୍ରତିବର୍ଷ ଶ୍ରାବଣ ମାସ ଆରମ୍ଭରୁ କାଉଡ଼ିଆମାନେ ମାନସିକ ପୂରଣ କରିବାକୁ ବିଭିନ୍ନ ଜଳାଶୟରୁ ଜଳଭାର ନେଇ ପ୍ରଭୁ ମହାଦେବଙ୍କୁ ଅର୍ପଣ କରିଥାନ୍ତି। ଏହି ସମୟରେ ସେମାନେ କିଭଳି ସୁରୁଖୁରୁରେ ଜଳଭାର ନେଇପାରିବେ ଏବଂ ମାନସିକ ପୂରଣ କରିପାରିବେ ଏହାକୁ ଦୃଷ୍ଟିରେ ରଖି କେଏମସି ଏ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ଏହି ସମୀକ୍ଷାରେ ଓ୍ୱାଟକୋ ଓ ଜଳସେଚନ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ସମୀକ୍ଷା ବୈଠକରେ କଟକ ମହାନଗର ନିଗମର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଅତିରିକ୍ତ କମିଶନର ଶ୍ରୀ କଳ୍ପତରୁ ବେହେରା, ସ୍ଥାନୀୟ କର୍ପୋରେଟରଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


