ସ୍କୁଲ ଶ୍ରେଣୀଗୃହ ଭିତରେ ଆଣ୍ଠୁଏ ପାଣି : ଅନୁଧ୍ୟାନ କଲେ ଏବିଇଓ ଏବଂ ଯନ୍ତ୍ରୀ

ହାଟଡିହି (ଓ୍ବାଇଏନଏସ): ସାରା ଓଡ଼ିଶାରେ ଲଗାଣ ବର୍ଷାରେ ଲାଗି ରହିଥିବା ବେଳେ ହାଟଡିହି ବ୍ଲକରେ ଗତ ମଙ୍ଗଳବାର ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ବର୍ଷା ଜାରି ରହିଛି । ଏତେ ମାତ୍ରାରେ ବର୍ଷା ଯୋଗୁଁ ବିଲ ବାଡ଼ି ପାଣିରେ ବୁଡ଼ିଥିବା ବେଳେ କେତେକ ସ୍ଥାନରେ ରାସ୍ତା ମଧ୍ୟ୍ୟ ବୁଡି ଯାଇଛି।  ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ପାରି ନଥିବାରୁ ଅନେକ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଏହି ବର୍ଷା ଯୋଗୁଁ  ହାଟଡିହି ବ୍ଲକ ବୈଦାଖିଆ ସ୍ଥିତ ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ ଭିତରେ ଆଣ୍ଠୁଏ ପାଣି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ବାଧା ଉପୁଜିଛି। ଗତକାଲି ଠାରୁ ଶ୍ରେଣୀଗୃହରେ ବର୍ଷାପାଣି ଲହଡି ମାରୁଥିବା ବେଳେ ଶିକ୍ଷାଦାନ ହୋଇ ପାରୁନି। ଖାଲି ଶ୍ରେଣୀଗୃହ ନୁହେଁ ସ୍କୁଲ ପରିସର ପାଣିରେ ଭର୍ତ୍ତି ହୋଇଛି। ମାଧ୍ୟାନ୍ନ ଭୋଜନ ପ୍ରସ୍ତୁତିରେ ମଧ୍ୟ ବାଧା ଉପୁଜୁଛି। ଅଫିସ ଭିତରେ ପାଣି ପଶିଥିବାରୁ ରେକର୍ଡ ପତ୍ର ନଷ୍ଟ ହୋଇଛି। ୪୫ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଆଜି ସମ୍ପୂର୍ଣ୍ଣ ଶିକ୍ଷାଦାନ ବନ୍ଦ ହୋଇ ଯାଇଛି। ଗତ ସପ୍ତାହରେ ମଧ୍ୟ ଏପରି ପରିସ୍ଥିତି ଯୋଗୁଁ ଦୁଇ ତିନିଦିନ ସ୍କୁଲରେ ଶିକ୍ଷାଦାନ ହୋଇ ପାରି ନଥିଲା। ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏ ସମ୍ପର୍କରେ ଆଜି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ବ୍ଲକର ଭାରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ବିଭାଗୀୟ ଯନ୍ତ୍ରୀ କାମେଶ୍ୱର ସାହୁ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କିପରି ଜଳ ନିଷ୍କାସନ ହେବ ସେନେଇ ସରପଞ୍ଚଙ୍କ ପ୍ରତିନିଧି ନିକୁଞ୍ଜ ଓଝା ଓ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ସ୍କୁଲ ପଛପଟ ଦେଇ ଜଳ ନିଷ୍କାସନ ହୋଇ ଯାଉଥିବା ବେଳେ ବର୍ତ୍ତମାନ ପଛପଟେ ବ୍ଲକ ପକ୍ଷରୁ ଏକ ରାସ୍ତା ନିର୍ମାଣ ହୋଇଯାଇ ଥିବାରୁ ଜଳ ନିଷ୍କାସନ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ରାସ୍ତାରେ ଏକ ହୋମ ପାଇପ ପକାଇ ଜଳ ନିଷ୍କାସନ କରିବାକୁ ସରପଞ୍ଚଙ୍କ ପ୍ରତିନିଧି ପ୍ରତିଶୃତି ଦେଇଥିଲେ। ବିଭାଗୀୟ ଯନ୍ତ୍ରୀ ଏନେଇ ବ୍ଲକର ବିଡ଼ିଓ ଙ୍କ ସହିତ ଆଲୋଚନା କରିଛନ୍ତି ଓ ସ୍ଥାୟୀ ସମାଧାନ ପାଇଁ ବିଡ଼ିଓ ପ୍ରତିଶୃତି ଦେଇଥିବା ବିଭାଗୀୟ ଯନ୍ତ୍ରୀ କାମେଶ୍ୱର ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ