ଆସିକାରେ ଦେଶୀ କାଙ୍କଡର ଚାହିଦା ବୃଦ୍ଧି
ଆସିକା (ୱାଇଏନ୍ଏସ୍): ପନିପରିବା ଭିତରେ ଦେଶୀ କାଙ୍କଡର ସ୍ୱାଦ ଟିକିଏ ନିଆରା । ବର୍ଷାଋତୁ ଆରମ୍ଭରେ ଏହି ପରିବା ଉତ୍ପାଦନ ହୋଇଥାଏ । ଆସିକା ଅଞ୍ଚଳରେ ଗତ କିଛି ଦିନ ହେଲା ଦେଶୀ କାଙ୍କଡର ବିକ୍ରୀବଟା ଆରମ୍ଭ ହୋଇଯାଇଥିଲା ବେଳେ ବହୁ ଗ୍ରାହକ ଦର ଯେତେ ଉଚ୍ଚା ହେଲେ ବି ଆଗ୍ରହର ସହକାରେ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଚଳିତବର୍ଷ ଦେଶୀ କାଙ୍କଡର କିଲୋ ୨୨୦ ରୁ ୨୪୦ ଟଙ୍କା ରହିଥିବା ଦେଖିବାକୁ ମିଳୁଛି । ସଂପ୍ରତିକ ପରିସ୍ଥିତିରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ବୈଜ୍ଞାନିକ ପଦ୍ଧତିରେ କେତେକ ଚାଷୀ ଦେଶୀ କାଙ୍କଡ ଚାଷ କରୁଥିବା ବେଳେ ଏହି ପରିବା ର ସ୍ୱାଦକୁ ପ୍ରାୟତଃ କେହି ଭୁଲିନଥାନ୍ତି । କାରଣ ବିନା ରାସାୟନିକ ସାର ପ୍ରୟୋଗରେ ଉତ୍ପାଦିତ ହୋଇ ବିକ୍ରୀ ହେଉଥିବା ଦେଶୀ କାଙ୍କଡର ଦର ଆସିକାରେ ଅନ୍ୟ ପନିପରିବା ଠାରୁ ଉଚ୍ଚା ରହୁଥିଲେ ମଧ୍ୟ ବହୁ ଗ୍ରାହକ ନିଜ ସକ୍ଷମ ଅନୁସାରେ ଅଳ୍ପ ହେଉନା କାହିଁକି କ୍ରୟ କରିନେଉଥିବା ଦେଖିବାକୁ ମିଳୁଛି । ଆଗାମୀ କିଛି ଦିନ ପରେ ଏହି ସ୍ୱାଦଭରା ଦେଶୀ କାଙ୍କଡର ଅମଳ ପ୍ରଚୁର ହେଲେ ଦର ଖସିବ ବୋଲି ଆଶା କରାଯାଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ଦିନ ହେଲା ଦୁଇଟି କିସମର କାଙ୍କଡ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ହାଇବ୍ରିଡ୍ ହୋଇଥିଲା ବେଳେ ଅନ୍ୟଟି ଦେଶୀ । ହାଇବ୍ରିଡ୍ କାଙ୍କଡର ମୂଲ୍ୟ କିଲୋ ପ୍ରତି ୮୦ ଟଙ୍କା ରହିଥିଲା ବେଳେ ଦେଶୀ କାଙ୍କଡର ମୂଲ୍ୟ କିଲୋ ପ୍ରତି ୨୨୦ ରୁ ୨୪୦ ଟଙ୍କା ରହିଥିବା ଜଣାପଡିଛି । ପରିବା ବଜାରରେ ବିକ୍ରୀ ହେଉଥିବା ଦେଶୀ କାଙ୍କଡର ସ୍ୱାଦ ନିଆରା ହୋଇଥିବାରୁ ଏହାର ଚାହିଦା ଅଧିକ ଥିବା ଦେଖିବାକୁ ମିଳୁଛି । ବର୍ଷକୁ ମାତ୍ର ୨ ମାସ ଦେଶୀ କାଙ୍କଡ ପରିବା ବଜାରରେ ଉପଲବ୍ଧ ହେଉଥିଲା ବେଳେ ଏଥିରେ ପ୍ରଚୁର ଭିଟାମିନ୍ ଥିବାରୁ ଦର ଯେତେ ଉଚ୍ଚା ରହିଲେ ବି ବହୁ ବ୍ୟକ୍ତି ନିଜ ସକ୍ଷମ ମୁତାବର ଦେଶୀ କାଙ୍କଡ କ୍ରୟ କରୁଥିବା ଜଣାପଡିଛି ।


