ଆସୁଛି ଶ୍ରାବଣ ସୋମବାର : ଜମିଲାଣି ବୋଲ୍ବମ୍ ସାମଗ୍ରୀର ବେପାର
ଆସିକା(ୱାଇଏନ୍ଏସ୍) : ଶ୍ରାବଣ ମାସ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଶୈବଭକ୍ତମାନେ ତତ୍ପର ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରମୁଖ ଶୈବପୀଠ ଗୁଡିକରେ ପୂଜା ପାଉଥିବା ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବା ଲାଗି ବିଭିନ୍ନ ଅଞ୍ଚଳର ଭକ୍ତମାନେ ମାନସିକ କରିଥିବା ବେଳେ ଏଥିପାଇଁ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ଯୋଗାଡ ପାଇଁ ଲାଗିପଡିଲେଣି । କାଉଡିଆ ସାମଗ୍ରୀ ବିକ୍ରୀ କରୁଥିବା ବ୍ୟବସାୟିକ ଅନୁଷ୍ଠାନ ଗୁଡିକରେ ବେପାର ଧିରେ ଧିରେ ଜମୁଥିବା ପରିଲକ୍ଷିତ ହେଉଛି । ଆସନ୍ତା ଅଗଷ୍ଟ ମାସ ୩ ତାରିଖ ଦିନ ପଡିବ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଦିନରେ ଶୈବପୀଠ ଗୁଡିକରେ ଜଳଲାଗି କରିବା ପାଇଁ କାଉଡିଆମାନେ ବର୍ତ୍ତମାନ ଠାରୁ ପ୍ରସ୍ତୁତିରେ ଲାଗିପଡିଲେଣି । ଶ୍ରାବଣ ପୂର୍ଣ୍ଣିମା ତିଥି ଠାରୁ ଶିବଭକ୍ତ ମାନେ ଆମିଷ ଭକ୍ଷଣ ପରିତ୍ୟାଗ କରି ମହାଦେବଙ୍କ ଆରାଧନାରେ ମନବଳେଇଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଶ୍ରାବଣ ମାସରେ ପଡୁଥିବା ସୋମବାର ଗୁଡିକରେ କିଏ କେଉଁ ଶୈବପୀଠକୁ କେଉଁ ପାଳିରେ ଯିବ ସେଥିପାଇଁ ଶିବଭକ୍ତମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପଡିଲେଣି । ଆସିକା ସହରର ପବିତ୍ର ଋଷିକୁଲ୍ୟା ନଦୀରୁ କାଉଡିଆମାନେ ପାଣି ନେଇ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଶୈବପୀଠକୁ ଅତ୍ୟନ୍ତ ନିଷ୍ଠାର ସହ ଯାତ୍ରା କରିଥାନ୍ତି । ଶୈବଭକ୍ତମାନେ ନଦୀପଠାରେ ପୂଜାପାଠ ସାରି ଗୈରିକ ବସ୍ତ୍ର ପରିଧାନ କରି ମାନସିକ ପୂରଣ ସକାଶେ କାନ୍ଧରେ ବାହୁଙ୍ଗୀ ଓ ବାହୁଙ୍ଗୀର ଦୁଇପାଶ୍ୱର୍ରେ ପୂର୍ଣ୍ଣ ଜଳକୁମ୍ଭ ଧରି ତୁଣ୍ଡରେ ବୋଲବମ୍ ହରହର ବମ୍, ଜଟିଆ ବାବା ପାର କରେଗା ଆଦି ଉଚ୍ଚାରଣ କରି ଯାତ୍ରା କରିଥାନ୍ତି । ଓଡିଆ ଜାତିର ଧାର୍ମିକ ମାସ ରୂପେ ପରିଚିତ ଥିବା ଶ୍ରାବଣ ମାସରେ ଦିନରାତି ଓ ଖରାବର୍ଷାକୁ ଖାତିର ନକରି ଶିବଙ୍କ ମସ୍ତକରେ ଜଳ ଢାଳିବା ଲାଗି କାଉଡିଆ ମାନେ ପ୍ରସ୍ତୁତ ହୋଇସାରିଲେଣି । ଶ୍ରାବଣ ମାସର ସୋମବାରରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳାଭିଷେକ କଲେ କୋଟି ତୀର୍ଥର ଫଳପ୍ରାପ୍ତି ହୁଏ ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସୁଛି । ସଂପ୍ରତି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତକିଛି ବର୍ଷ ହେଲା ଏହି ଧାର୍ମିକ ଯାତ୍ରାର ଲୋକପ୍ରିୟତା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି । ଆଉ ମାତ୍ର କିଛି ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଅଭିଷେକ କରିବା ଲାଗି ମାନସିକଧାରୀ ଭକ୍ତମାନେ ବର୍ତ୍ତମାନ ଠାରୁ ପ୍ରାକ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି । ବୋଲବମ ହରହରବମ୍, ଭୋଲାବାବା ପାର୍ କରେଗା, ଜଟିଆ ବାବା ପାର୍ କରେଗା ଆଦି ଧ୍ୱନୀରେ ରାଜରାସ୍ତା ପ୍ରକମ୍ପିତ ହେବ ବୋଲି ଜଣାପଡିଛି । ଚଳିତ ବର୍ଷ ପଞ୍ଜିକା ଅନୁସାରେ ଶ୍ରଦ୍ଧାଳୁମାନେ ଆସନ୍ତା ଅଗଷ୍ଟ ମାସ ୩ ତାରିଖ, ୧୦ ତାରିଖ, ୧୭ ତାରିଖ ଓ ୨୪ ତାରିଖରେ ଜଳଲାଗି କରିବେ ବୋଲି ଜଣାପଡିଛି । ଶ୍ରାବଣ ମାସ ଆରମ୍ଭ ହେଲେ କାଉଡିଆ ଭାଇମାନେ ଶୈବପୀଠରେ ଜଳଲାଗି କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । କେହି ମାନସିକ କରି ଶୈବପୀଠରେ ଗୋଟିଏ ସୋମବାର ପାଣି ଢାଳନ୍ତି ତ ଆଉ କିଏ ମାସ ତମାମ ସୋମବାର ଜଳଲାଗି କରିଥାନ୍ତି । ଶ୍ରାବଣ ମାସକୁ ଅନ୍ୟତମ ଧର୍ମର ମାସ ରୂପେ ଗଣନା କରାଯାଇଥାଏ । ଏହି ମାସରେ ମାତା ପାର୍ବତୀ ଓ ମହାଦେବଙ୍କୁ ବିଧିମତେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକକଥା ପ୍ରଚଳିତ ରହିଛି । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଶ୍ରାବଣ ମାସ । ଶୈବପୀଠ ଗୁଡିକରେ ବୋଲ୍ବମ୍ ଭକ୍ତଙ୍କର ଭିଡ ଲାଗିବ । ଦେବ ଦେବ ମହାଦେବଙ୍କ ପ୍ରିୟମାସ ହେଉଛି ଶ୍ରାବଣ । ମାନସିକଧାରୀ ବୋଲ୍ବମ୍ ଶୈବଭକ୍ତମାନେ ଦେବଦେବ ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ଏହି ମାସକୁ ଅପେକ୍ଷା କରିରହିଥାନ୍ତି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବୋଲବମ୍ ଭକ୍ତଙ୍କ ପାଇଁ ଆବଶ୍ୟକ ପଡୁଥିବା ବିଭିନ୍ନ ସାମଗ୍ରୀ ସୁଲଭ ମୂଲ୍ୟରେ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି ।


