ବନ୍ଧ ଉପରେ ରାତି ବିତାଇଲେ କାଉଡିଆ
ହାଟଡିହି (ଓ୍ବାଇଏନଏସ): ପାଣି ଢ଼ାଳିବା ପାଇଁ କୋରାପୁଟ ଯାଇଥିଲେ ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ନୂଆଗାଁ ଗ୍ରାମର ୩୦ ରୁ ଉର୍ଦ୍ଧ କାଉଡିଆ। ପାଣି ଢାଳି ସାରି ମଙ୍ଗଳବାର ରାତିରେ ଗାଁ ନିକଟରେ ପହଂଚିବା ବେଳକୁ ଗାଁ ରାସ୍ତାରେ ପାଞ୍ଚ ଫୁଟ ଉଚ୍ଚାର ପାଣି ଚାଲୁଥିବା ବେଳେ ଗାଁ କୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। ଫଳରେ କାଉଡିଆ ମାନେ ନଦୀ ବନ୍ଧ ଉପରେ ରାତି ବିତାଇ ଥିଲେ। ସକାଳୁ ସେମାନେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ ବି କେହି ସେମାନଙ୍କ ନିକଟରେ ପହଞ୍ଚି ନଥିଲେ। ଏପରିକି ସ୍ଥାନୀୟ ସରପଞ୍ଚ ବି କୌଣସି ସହଯୋଗ କରି ନଥିଲେ। ପରେ ଗେଡ଼ମା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି ଓ ଭଦ୍ରକ ଜିଲ୍ଲାର କିଛି ସ୍ବେଛାସେବୀ ସେମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରିଥିଲେ। ଦିନ ଗୋଟାଏ ବେଳେ ତହସିଲଦାରଙ୍କ ସୂଚନା ଆଧାରରେ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ପାୱାର ବୋଟ ସହାୟତାରେ ସମସ୍ତଙ୍କୁ ଗାଁ ଭିତରକୁ ନେଇ ଛାଡିଥିଲେ।


