ସବ୍ ରେଜିଷ୍ଟର ଅଫିସର କାର୍ଯ୍ୟରତ କନିଷ୍ଠ କିରାଣୀଙ୍କ ପରଲୋକ
ଧାମନଗର (ଓ୍ବାଇଏନଏସ): ଧାମନଗର ସବ୍ ରେଜିଷ୍ଟର ଅଫିସର କାର୍ଯ୍ୟରତ କନିଷ୍ଠ କିରାଣୀ ମୀର ନୁରମହମ୍ମଦଙ୍କ ହୃଦ୍ଘାତରେ ପରଲୋକ ଘଟିଛି। ଜିଲ୍ଲାର ଅନ୍ତର୍ଗତ ବନ୍ତ ଏବଂ ଧୁଷୁରୀ ସବ୍ ରେଜିଷ୍ଟର ଅଫିସରେ ନିଷ୍ଠାପର ସହ କାର୍ଯ୍ୟ କରି ଉକ୍ତ ଅଞ୍ଚଳରେ ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଏବେ ଅଳ୍ପ ଦିନ ତଳେ ଧୁଷୁରୀ ଠାରୁ ବଦଳି ହୋଇ ଧାମନଗର ସବ୍ ରେଜିଷ୍ଟର ଅଫିସରେ ଗତ ମାସ୧୨ତାରିଖରେ ଯୋଗ ଦେଇ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ଟା ମଧ୍ୟରେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଧାମନଗର ଡାକ୍ତରଖାନାରେ ଭରତୀ କରି ପ୍ରାଥମିକ ଚିକିତ୍ସା ଆରମ୍ଭ ପରେ ଅଧିକ ଚିକିତ୍ସା ପାଇଁ ପଡୋଶୀ ଜିଲ୍ଲା ଯାଜପୁର ମେଡିକାଲକୁ ନେଇ ଚିକିତ୍ସା କରାଯାଉଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାକେନ୍ଦ୍ର ତଥା କେୟାର ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ସକାଳ ୬ଟା ସମୟରେ ଦେହାନ୍ତ ହୋଇଛି। ସେ ଜଣେ ମେଳାପୀ,ପରୋପକାରୀ,ସ୍ନେହି,ମିଷ୍ଠା ଭାସି ମଣିଷ ଥିଲେ। ତାଙ୍କ କାର୍ଯ୍ୟ କାଳରେ ଲୋକଙ୍କୁ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ। ଏହି ଦୁଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଖବର ଶୁଣି କାର୍ଯ୍ୟାଳୟ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖାଦେଇଥିଲା। ଭୁବନେଶ୍ୱରରୁ ଅପରାହ୍ନ ୩ଟାରେ ମୀର ନୁରମହମ୍ମଦଙ୍କ ମୃତ ଦେହ ବାସଭବନରେ ପହଞ୍ଚିବା ଖବର ଶୁଣି ଧାମନଗର ସବ୍ ରେଜିଷ୍ଟର ସତ୍ୟାନନ୍ଦ ପାତ୍ର ଓ ସମସ୍ତ କର୍ମଚାରୀ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶେଷ ଦର୍ଶନ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଆମ କାର୍ଯ୍ୟାଳୟ ପାଇଁ ଅପୁର୍ବ କ୍ଷତି ହୋଇଛି ତାଙ୍କ ପାଇଁ ଯେ କୌଣସି ସରକାରୀ କାର୍ଯ୍ୟରେ ମୁଁ ସହଯୋଗ କରିବି ବୋଲି ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ସେହିପରି ଖାନଙ୍କା ହବିବିୟା ଧାମନଗର ସରିଫର ନୂତନ ଟ୍ରଷ୍ଟ ସଭାପତି ମୌଲାନା ଆଲହାଜ ସୟଦ ଗୋଲାମ ଅହେମ୍ମଦ ହବିବି (ମସ୍ତାନ-ଏ ମିଲ୍ଲତ୍) ଏବଂ ସମାଜସେବୀ ଏମଡି ଫଜଲେ ବାରି,ମୀର ନୁରମହମ୍ମଦଙ୍କ ବାସଭବନରେ ପହଞ୍ଚି ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ବାସଭବନରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନ ପର୍ଯ୍ୟନ୍ତ ବୁଝାସୁଝା କରିଛନ୍ତି। ଖବର ପାଇ ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,କାଉନସିଲର ଏମଡି ଜୟନୁଲ ହକ,ବିଜେଡି ନଗର ସଭାପତି ବିଜୟ କେତନ ସାହୁ,କାଉନସିଲର ପ୍ରତିନିଧି ମୀର ମୁରତୁଜା, ସାମ୍ବାଦିକ ସେକ ଜାଫର ଅଲ୍ଲୀ,ସମାଜସେବୀ ସେକ ଅବଦୁଲ ହାକିମ,ଏମଡି ହବିବୁର ରହେମାନ,ସେକ ମୋହିଉଦ୍ଦିନ,ସେକ କଲିମୁଦ୍ଦିନ,ସେକ ଆବେଦିନ,ସେକ ହଲିମ,ସେକ ଜାଫର ଅଲ୍ଲୀ,ସେକ ନେଜାମୁଦ୍ଦିନ,ସେକ ମକଦୁମ,ସେକ ମୋହିଉଦ୍ଦିନ,ସେକ ଇବ୍ରାହିମ,ମୀର ଇସଲାମଙ୍କ ସମେତ ବନ୍ଧୁ ବାନ୍ଧନ ଓ ଶୁଭେଚ୍ଛୁ ପ୍ରମୁଖ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରଛନ୍ତି। ସନ୍ଧ୍ୟାରେ ଖାନଙ୍କା ସରିଫ ପରିସରରେ (ଜନାଜ)ର ନମାଜ ପାଠରେ ପ୍ରବଳ ଲୋକ ଯୋଗ ଦେଇଥିବା ବେଳେ ଗ୍ରାମର ଏକ କବରସ୍ତାନ ଠାରେ କବର ଦିଆଯାଇଛି।


