ଧାମନଗର (ଓ୍ବାଇଏନଏସ) ବୈତରଣୀ ନଦୀରେ ପ୍ରଳୟଙ୍କରୀ ବନ୍ଯା ଆସି ଧାମନଗର ବ୍ଳକର ବିସ୍ତୃତ ଅଞ୍ଚଳ ଜଳମଗ୍ନ କରିଛି।ଧାମନଗର ବ୍ଲକର ୨୦ ରୁ ଅଧିକ ଗ୍ରାମପଞ୍ଚାୟତ ବନ୍ଯାପାଣି ଘେରରେ ଥିବାବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।ବୈତରଣୀ ନଦୀର ଆଖୁଆପଦା ଠାରେ ବନ୍ଯାଜଳ ବୁଧବାର ଦିନ ୧୦ ଟାରେ ସର୍ବାଧିକ ୨୦.୪୫ ମିଟରରେ ପହଁଞ୍ଚି କ୍ରମଶଃ ହ୍ରାସ ପାଇବାରେ ଲାଗିଛି।ମାତ୍ର ନଦୀର ଉପରମୁଣ୍ଡରେ ବନ୍ଯାଜଳ ହ୍ରାସ ପାଉଥିବାବେଳେ ତଳମୁଣ୍ଡରେ କ୍ରମଶଃ ବୃଦ୍ଧିପାଇ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି।ବୈତରଣୀ ନଦୀର ଗୌରାଙ୍ଗପୁର,ଢାଙ୍ଗୁଆପାଟଣା,ବାଲିପଡା, ଆଠଘରିଆ,ଦାସପାରି,ସଇଲୋ କୋଚିଳା ନଦୀର ଅର୍ଜୁନପୁର,ମଠସାହି ଓ ଗେଙ୍ଗୁଟି ନଦୀର ରାମେଶ୍ଵରପୁର ଆଦି ସ୍ଥାନରେ ନଦୀବନ୍ଧ ବୁଡ଼ି ପାଣି ଚାଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ବିତ୍ପାତ ଓ ପ୍ରଳୟଙ୍କରୀ ବନ୍ୟାରେ ଧାମନଗର ବ୍ଲକର ୩୦ ଟି ପଞ୍ଚାୟତ ଓ ଦୁଇଟି ଏନଏସିର ୧ ଲକ୍ଷ ୫୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି I ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ଉଦ୍ଧାର ଓ ଥଇଥାନ କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଛି Iସେମାନଙ୍କ ପାଇଁ ରନ୍ଧା ଓ ସୁଖିଲା ଖାଦ୍ୟ,ପାଣି ବୋତଲ ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ୯ ଟି ଓଡ୍ରାଫ୍,ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଟିମ ଦିନରାତି ଲାଗିଛନ୍ତି। ବୈତରଣୀ ନଦୀ ବାମପାର୍ଶ୍ବ ବନ୍ଧର କଣ୍ଟି ,ବାଲିପୋଖରୀ,ମଲ୍ଲୀମାହାରା,ଗୌରାଙ୍ଗପୁର ଓ ଗେଙ୍ଗୁଟି ନଦୀ ଦକ୍ଷୀଣପାର୍ଶ୍ବ ବନ୍ଧର ଗାଇଛନ୍ଦା,ମଠମାହାରା,କନକେଇ ଆଦି ଏସକେପ ଗୁଡିକରେ ବନ୍ଯାଜଳ ବାହାରି ଧାମନଗର ବ୍ଲକର ବିସ୍ତୃତ ଅଞ୍ଚଳ ବୁଡିଥିବାବେଳେ ଶହ ଶହ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।ଦେହୁଡିଆନନ୍ଦପୁର, ଖଡିପଦା, ଦୋବଲ, କରଦା,ସୋହଡା,ଦଳାଂଗ,ପଧାନୀ, ନଦୀଗାଁ,ଅର୍ଜ୍ଜୁନପୁର, ଭଟ୍ଟସାହି,ଧୁଷୁରୀ,ହସନାବାଦ ଆଦି ପଞ୍ଚାୟତକୁ ବନ୍ଯାଜଳ ବୁଡାଇ ରଖିଛି। ଧାମନଗର-ଦୋବଲ,ଧାମନଗର -ଫଳପୁର,ଦୋବଲ – ଷଣ୍ଢପୁର,ଖଡିପଦା-କାଞ୍ଜିଆପାଳ, ଖଡିପଦା -ଆନନ୍ଦପୁର, ଖଡିପଦା-ପଧାନୀ,ଧୁଷୁରୀ-ହସନାବାଦ,ଧୁଷୁରୀ-ଆରଡି,ଗୋପବନ୍ଧୁନଗର-ହସନାବାଦ ଆଦି ରାସ୍ତାରେ ବନ୍ଯାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଛିନ୍ନ ହୋଇଛି। ବୈତରଣୀ ନଦୀର ତଳମୁଣ୍ଡ ଗାନ୍ଧୀଘାଟ ଠାରେ ବନ୍ଯାଜଳ ବିପଦ ସଙ୍କେତର ଉର୍ଦ୍ଧ୍ବରେ ପ୍ରବାହିତ ହେଉଥିବାବେଳେ ତାହା କ୍ରମଶଃ ବଢିବାରେ ଲାଗିଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ପୋଲିସ ଡିଆଇଜି ପିନାକୀ ମିଶ୍ର,ଭଦ୍ରକ ଜିଳ୍ଲାପାଳ ଡଃ ଦିଲ୍ଲୀପ ରାଉତରାଏ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ,ବିଡ଼ିଓ ବନବିହାରୀ ଦିନ୍ଦା,ତହସିଲଦାର ଜ୍ଞାନରଞ୍ଜନ ସାହୁ,ଏସଡିପିଓ ବିଷ୍ଣୁ ଚରଣ ବାରିକ,ଆଇଆଇସି ଶୁଭ୍ରଜିତ ଦାଶ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସିନିବାସ ମଲ୍ଲିକ,ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ ପ୍ରକାଶ ନାୟକ,ଏସଇ ସଞ୍ଜୀବ କୁମାର ସାମଲ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ସ୍ୱାସ୍ଥ୍ୟ ଅଧିକାରୀ ମନ୍ମୟ ସାମନ୍ତ ସିଂହାର ପ୍ରମୁଖଙ୍କ ସହ ବହୁ ଉଚ୍ଚ ପଦାଧିକାରୀ ଧାମନଗର ବ୍ଲକ ଓ ଏନ ଏ ସି ବନ୍ଯାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରି ଉଦ୍ଧାର ଓ ଥଇଥାନ କାର୍ଯ୍ୟ ତଦାରଖ କରୁଛନ୍ତି। ବିଗତ ଦୁଇବର୍ଷ ମଧ୍ୟରେ ନଦୀବନ୍ଧ ଗୁଡିକରେ ମାଟି ମୁଠେ ପଡିଲାନାହିଁ ବୋଲି ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବିନୋଦ ନାୟକ ଦୁଖଃପ୍ରକାଶ କରିଛନ୍ତି। ଏପଟରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ବିଜେଡି ନେତା ଡାକ୍ତର ସଞ୍ଜୟ କୁମାର ଦାସ,ସମିତି ସଭ୍ୟ ଭାରତ ବିଜୟ ଦଳେଇ ପ୍ରମୁଖ ଧାମନଗରରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ ସହ ତୁରନ୍ତ ଲୋକଙ୍କ ନିକଟରେ ରିଲିଫ୍ ଓ ଉଦ୍ଧାର ପାଇଁ ଓଡ୍ରାଫ ଟିମ ପହଞ୍ଚିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି।