ଦୃଷ୍ଟିହୀନ ଦମ୍ପତ୍ତିଙ୍କ ନାମରେ ଋଣ କରି ଲୁଟ ଘଟଣା : ରାଜ୍ୟ ମାନବିକ ଅଧିକାର କମିଶନରେ ଅଭିଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଧିନ ପଳାସପୁର ଗ୍ରାମର ଏକ ଦୃଷ୍ଟିହୀନ ଦମ୍ପତ୍ତିଙ୍କ ନାମରେ ଋଣ କରି ସଂପୂର୍ଣ୍ଣ ଋଣ ଅର୍ଥକୁ ହଡପ କରିନେଇଛନ୍ତି ମହାକାଳପଡା ବିଧାୟକଙ୍କ ପାଖଲୋକ ତଥା ବିଜେପିର ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ସ୍ୱାଇଁ। ଏନେଇ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସମାଜସେବୀ ଚିତ୍ତରଞ୍ଜନ ଦାସ। କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅଧିନ ପଳାସପୁର ଗ୍ରାମର ସୋନୁ ମଳିକଙ୍କ ପତ୍ନୀ ରିଙ୍କି ମଳିକଙ୍କ ନାମରେ ଭାରତ ଫାଇନାନ୍ସ କମ୍ପାନୀରୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ୩ଟି ଋଣ କରାଯାଇ ସେହି ଅର୍ଥକୁ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା।କିନ୍ତୁ ଏହି ଋଣ ସମ୍ପର୍କରେ ରିଙ୍କି କିମ୍ବା ତାଙ୍କ ସ୍ୱାମୀ ସୋନୁ କିଛି ଜାଣି ନଥିଲେ। ତାଙ୍କ ଗ୍ରାମର ବିଜେପି ମଣ୍ଡଳ ସଭାପତି ରଶ୍ମୀରଞ୍ଜନ ସ୍ୱାଇଁଙ୍କ ପତ୍ନୀ ତଥା ସେହି ଗ୍ରାମର ଭାରତ ଫାଇନାନ୍ସ କମ୍ପାନୀର ଋଣ ପରିଚାଳକ ମାନସୀ ସ୍ୱାଇଁଙ୍କ ସହିତ ମିଶି ରଶ୍ମୀରଞ୍ଜନ ଏହି ଭିନ୍ନକ୍ଷମ ଦମ୍ପତ୍ତିଙ୍କ ନାମରେ ଋଣ କରାଇ ସମ୍ପୂର୍ଣ୍ଣ ଋଣ ଅର୍ଥକୁ ଲୁଟ କରିନେଇଥିବା ଅଭିଯୋଗ ଉପରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା। ପଳାସପୁର ଗ୍ରାମରେ ରଶ୍ମୀରଞ୍ଜନଙ୍କ ଏକ ଜନସେବା କେନ୍ଦ୍ର ରହିଛି। ରିଙ୍କି ମଳିକ ପ୍ରତ୍ୟେକ ମାସରେ ଭତ୍ତା ଉଠାଇବାକୁ ରଶ୍ମୀରଞ୍ଜନଙ୍କ ଜନସେବା କେନ୍ଦ୍ରକୁ ଯାଇଥାନ୍ତି। ସେଠାରେ ରିଙ୍କିଙ୍କ ଟିପଚିହ୍ନ, ଆଧାର ଫଟୋ ପ୍ରଭୃତି ରଶ୍ମୀରଞ୍ଜନଙ୍କ ଜନସେବା କେନ୍ଦ୍ରରେ ରହିଛି। ଏହାର ସୁଯୋଗ ନେଇ ରଶ୍ମୀରଞ୍ଜନ ଓ ତାଙ୍କ ପତ୍ନୀ ମାନସୀ ରିଙ୍କିଙ୍କ ନାମରେ ତିନୋଟି ଋଣ କରି ସେହି ଅର୍ଥକୁ ସଂପୂର୍ଣ୍ଣ ଭାବେ ହଡପ କରିନେଇଛନ୍ତି। ଭାରତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ସୋନୁଙ୍କ ଘରକୁ ଆସି ଶୀଘ୍ର ଋଣ ଶୁଝିବାକୁ କହିବା ପରେ ଭିନ୍ନକ୍ଷମ ଦମ୍ପତ୍ତି ଋଣ ସମ୍ପର୍କରେ ଜାଣିଥିଲେ। ଏସମ୍ପର୍କରେ ରିଙ୍କି ମାର୍ଶାଘାଇ ଥାନାରେ୨୦୨୫ମସିହା ଡିସେମ୍ବରମାସ ୯ତାରିଖରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନମ୍ବର -୩୮୧/୨୦୨୫ରେ ବିଏନଏସର ଧାରା ୩୧୮(୪), ୨୯୬, ୩୫୧(୨) ଓ ୩(୫)ରେ ଏକ ମାମଲା ପୋଲିସ ରୁଜୁ କରିଥିଲା। ଏହି କେଶର ତଦନ୍ତ ଭାର ସବଇନ୍ସପେକ୍ଟର ଧରିତ୍ରୀ ଜେନାଙ୍କୁ ଦିଆଯାଇଥିଲା। ଏହା ମଧ୍ୟରେ ୮ମାସ ପୁରଣ ହୋଇଥିଲେବି ଭିନ୍ନକ୍ଷମ ରିଙ୍କି ପୋଲିସ ପାଖରୁ କୈାଣସି ନ୍ୟାୟ ନପାଇବାରୁ ଜିଲ୍ଲାପାଳଙ୍କ ନିକଟରେ ପୋଲିସର ଉଦାସୀନତା ବିରୋଧରେ ଅଭିଯୋଗ କରିଥିଲେ। ଏଥିସହିତ ସେମାନେ ଅଭିଯୋଗ କରିଥିଲେ ଯେ ରଶ୍ମୀରଞ୍ଜନ ମହାକାଳପଡା ବିଧାୟକଙ୍କ ପାଖ ଲୋକ ହୋଇଥିବାରୁ ପୋଲିସ କିଛି ପଦକ୍ଷେପ ଗ୍ରହଣ କରୁନାହିଁ। ଏହାବ୍ୟତିତ ରଶ୍ମୀରଞ୍ଜନ ସେମାନଙ୍କୁ ଧମକ ଦେଉଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା ଭିନ୍ନକ୍ଷମ ଦମ୍ପତ୍ତି ଅଭିଯୋଗ କରିଥିଲେ। ତେଣୁ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଇ ତୁରନ୍ତ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଭଳି ସ୍ପର୍ଶକାତର ଘଟଣାରେ ସମାଜସେବୀ ଚିତ୍ତରଞ୍ଜନ ଦାସ ରାଜ୍ୟ ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ ଲୋଡି ଘଟଣାର ଏକ ନିରପେକ୍ଷ ତଦନ୍ତ ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା,ଦାୟିତ୍ୱହୀନତା ପ୍ରଦର୍ଶନ କରିଥିବା, ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିଥିବା ତଦନ୍ତକାରୀ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ କରିଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆୟୋଗ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଆଇନ ଅନୁଯାୟି ଯଥାଶୀଘ୍ର ମାମଲାର ତଦନ୍ତ ଶେଷ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଏଥିସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବର କାରଣ ସହିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ(ଏ.ଟି.ଆର.) ପୋଲିସ ଡିଜି ଓ ରାଜ୍ୟ ସରକାରଙ୍କୁ ମଗାଯାଉ ବୋଲି ଆବେଦନକାରୀ ଦାବି କରିଛନ୍ତି। ପୋଲିସର ଅମାନବିୟ କାର୍ଯ୍ୟ ବିରୋଧରେ ତଦନ୍ତ କରାଯାଇ ପିଡିତ ଦମ୍ପତ୍ତିଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରାଯିବା ପାଇଁ କମିଶନଙ୍କୁ ନିବେଦନ କରାଯାଇଛି।


