ଆଜି ବିଶ୍ୱ ଫୁସ୍‍ଫୁସ୍‍ କ୍ୟାନସର ଦିବସ

ଆସିକା  (ୱାଇଏନ୍‍ଏସ୍‍) : ଆଜି ଅର୍ଥାତ୍‍ ଅଗଷ୍ଟ ମାସ ୧ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଫୁସ୍‍ଫୁସ୍‍ କ୍ୟାନ୍‍ସର ଦିବସ (ୱାର୍ଲଡ୍‍ ଲଙ୍ଗସ୍‍ କ୍ୟାନ୍‍ସର ଡେ) । ଫୁସ୍‍ଫୁସ୍‍ କର୍କଟର କାରଣ, ଲକ୍ଷ୍ୟଣ, ଭୟାବହତା ସଂପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୧ ତାରିଖରେ ବିଶ୍ୱ ଫୁସ୍‍ଫୁସ୍‍ କ୍ୟାନ୍‍ସର ଦିବସ ରୂପେ ପାଳନ କରାଯାଇଆସୁଛି । ଦୂରାରୋଗ୍ୟ ଫୁସ୍‍ଫୁସ୍‍ କ୍ୟାନ୍‍ସର । ଯେଉଁ ରୋଗର ନାଁ ଶୁଣିଲେ ମନରେ ଛନକା ପଶିଯାଏ ଏବଂ ଜୀବନ ବୋଝ ଭଳି ଲାଗିଥାଏ । ବିଶ୍ୱ ଫୁସ୍‍ଫୁସ୍‍ କ୍ୟାନ୍‍ସର ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ଫୁସ୍‍ଫୁସ୍‍ କ୍ୟାନ୍‍ସର ରୋଗର ଲକ୍ଷଣ ଦେଖାଦିଏ ତାହାହେଲେ ଅବିଳମ୍ବେ ଡାକ୍ତରଙ୍କ ପରାମର୍ଶ ନେବା ସହ ସଠିକ୍‍ ସମୟରେ ଏହି ରୋଗ ଚିହ୍ନଟ ହୋଇପାରିଲେ ରୋଗକୁ ପରାସ୍ତ କରାଯାଇପାରିବ ଏବଂ ମନୋବଳ ଦୃଢ ରହିଲେ ଫୁସ୍‍ଫୁସ୍‍ କ୍ୟାନ୍‍ସରକୁ ଜିତିବା ସମ୍ଭାବନା ଅଧିକ । ଦିନକୁ ଦିନ ଫୁସ୍‍ଫୁସ୍‍ କ୍ୟାନ୍‍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏଥିଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବିଶେଷକରି ଧୁମପାନ ହିଁ ଫୁସ୍‍ଫୁସ୍‍ କ୍ୟାନ୍‍ସର ପ୍ରଧାନ କାରଣ ହୋଇଥାଏ । ସିରାରେଟ୍‍, ବିଡି, ପିକା ଇତ୍ୟାଦି ତମାଖୁ ଜାତୀୟ ଦ୍ରବ୍ୟ ଏହି ଶ୍ରେଣୀଭୁକ୍ତ ହୋଇଥାଏ ଏବଂ ଏହା ବ୍ୟତୀତ ଧୁମପାନକାରୀ ଛାଡୁଥିବା ଧୁଆଁ ସୁସ୍ଥ ଲୋକଙ୍କର ଶରୀରର ଫୁସ୍‍ଫୁସ୍‍କୁ ପ୍ରବେଶ କରି ସେମାନଙ୍କ ଠାରେ ରୋଗଜାତ କରାଇଥାଏ । ଫୁସ୍‍ଫୁସ୍‍ କ୍ୟାନ୍‍ସର ପ୍ରମୁଖ କାରଣ ଶୁଖିଲା କାଶ ହେବା, କାଶରେ ରକ୍ତ ପଡିବା, ଛାତିରେ ଯନ୍ତ୍ରଣା ହେବା, ଶରୀର ଦରଜ ହେବା କିମ୍ବା ପିଡା ଅନୁଭବ କରିବା, ଭୋକ ନ ଲାଗିବା, ଶରୀରର ଓଜନ ହ୍ରାସ ପାଇବା, ହଠାତ୍‍ ଦୁର୍ବଳ ଅନୁଭବ କରିବା ଇତ୍ୟାଦି ହୋଇଥିଲା ବେଳେ ଶରୀରରେ କ୍ୟାନ୍‍ସର କୋଷିକାମାନ ଫୁସ୍‍ଫୁସ୍‍ରୁ ବାହାରି ଶରୀରର ଅନ୍ୟ ଅଂଶ ଗୁଡିକୁ ପହଞ୍ଚିଥାଏ ଓ ସେହି ଅଂଶ ଗୁଡିକ ବି କ୍ୟାନ୍‍ସରରେ ଆକ୍ରାନ୍ତ ହୋଇଥାଏ । ଯାହାରି ଫଳରେ ମନୁଷ୍ୟ ଶରୀରର ହାଡ, ମସ୍ତିଷ୍କ, ଯକୃତ, କିଡ୍‍ନୀ ଆଦି ପରୋକ୍ଷରେ କ୍ଷତି ହୋଇଥାଏ । ଫୁସ୍‍ଫୁସ୍‍ କ୍ୟାନ୍‍ସର ମହିଳା ମାନଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ପ୍ରାୟତଃ ଅଧିକ ହୋଇଥାଏ । ଏହି ରୋଗ ବିଶେଷ ଭାବେ ୪୦ ରୁ ୬୦ ବର୍ଷ ବୟସରେ ଦେଖାଦେଇଥାଏ । ଏହି ରୋଗର ନିରୂପଣ କରିବା ପାଇଁ ଛାତିର ଏକ୍ସରେ, କଫର କୋଷିକା ଗୁଡିକୁ ପରୀକ୍ଷା, ସିଟି ସ୍କାନ୍‍, ଏମ୍‍ଆର୍‍ଆଇ ଆଦି କରାଯାଇଥାଏ । ଏଭଳି ସମସ୍ୟା ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଧୁମପାନ ଅଭ୍ୟାସ ଠାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ । ତମାଖୁ ଧୁଆଁପତ୍ର ରହିଥିବା ନିକୋଟିନ୍‍ ନାମକ ବିଷାକ୍ତ ଉପାଦନ ଅତି ମାରାତ୍ମକ । ତେଣୁ ଏଭଳି ଅଭ୍ୟାସ ଠାରୁ ଦୂରେଇ ରହିପାରିଲେ ଜଣେ ସୁସ୍ଥ ଜୀବନଯାପନ କରିପାରିବ । ଫୁସ୍‍ଫୁସ୍‍ କ୍ୟାନ୍‍ସରର ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଆରମ୍ଭ କରିବା ସାଙ୍ଗକୁ ରୋଗୀର ମନୋବଳ ଦୃଢ ହେଲେ ସୁସ୍ଥ ହୋଇପାରିବ । ସାଂପ୍ରତିକ ପରିସ୍ଥିତିରେ ଅତ୍ୟାଧୁନିକ ଚିକିତ୍ସା ଶୈଳୀରେ କର୍କଟର ମଧ୍ୟ ସଫଳ ଚିକିତ୍ସା ହୋଇପାରୁଛି ଏବଂ ରୋଗୀ ସଂପୁର୍ଣ୍ଣ ସୁସ୍ଥ ଜୀବନଯାପନ କରିପାରୁଛନ୍ତି । ବିଗତ କିଛି ବର୍ଷ ହେଲା ଫୁସ୍‍ଫୁସ୍‍ କ୍ୟାନ୍‍ସର ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ଫୁସ୍‍ଫୁସ୍‍ କ୍ୟାନ୍‍ସର ଦିବସ ଅବସରରେ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ତମାଖୁ ଏବଂ ସିଗାରେଟ୍‍ ସେବନ ଠାରୁ ଦୂରେଇ ରହିବାକୁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ