ମହଙ୍ଗା ପଡିଲା ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ: ଯୁବକ ଗିରଫ
ହାଟଡିହି,(ଓ୍ବାଇଏନଏସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକକୁ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ୪୮ ଘଣ୍ଟା ନପୁରୁଣୁ ରବିବାର ସକାଳୁ ଗିରଫ କରିଛନ୍ତି l ଅଭିଯୁକ୍ତ ଜଣକ ନିଜ ଗ୍ରାମରେ ଲୁଚିକରି ଥିବା ବେଳେ ଯାନ୍ତ୍ରିକ ପଦ୍ଧତି ସହାୟତା ନେଇ ଗିରଫ କରାଯାଇଛି l ଏଥିସହ ଗୋଟିଏ ମୋବାଇଲ ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି l ଗିରଫ ଅଭିଯୁକ୍ତ କଳିଙ୍ଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମର ସୁବାଷ ଦାସଙ୍କ ପୁଅ ସୁଶାନ୍ତ (୨୮ ବର୍ଷ) ଅଟନ୍ତି l ସୂଚନା ଅନୁସାରେ ସୁଶାନ୍ତ ନିଜ ଫେସ ବୁକ ଆଇଡି ‘ଦାସ କୁମାର ଦାସ ସୁଶାନ୍ତ’ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତି ସାଙ୍ଘାତିକ ଅଶାଳୀନ ମନ୍ତବ୍ୟ ଲେଖି ଭିଡିଓ ପୋଷ୍ଟ କରିଥିଲେ l ଏପରିକି ଉକ୍ତ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଥିଲା l ଅପର ପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ଚକ୍ରାନ୍ତ କରି ବଦନାମ ଉଦ୍ୟମ କରାଯାଉଥିବା ନେଇ ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଜେପି କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ନେଇ କଳିଙ୍ଗା ଗ୍ରାମର କହ୍ନେଇ ଚରଣ ଦାସ ନନ୍ଦିପଦା ଥାନାରେ ଗତ ଜୁଲାଇ ୩୧ ଶୁକ୍ରବାର ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ l ପୋଲିସ ମାମଲା ନଂ ୩୧୪/୨୦୨୬ ଏବଂ ବିଏନଏସ ୩୫୧(୨)/୨୯୬/୩୫୬(୨)/୩୫୩(୨)/୨୩୮ ସହ ଆଇଟି ଆକ୍ଟ ୬୭ରେ ପଞ୍ଜିକରଣ କରିଥିଲା l ଏଥିସହ ଅଭିଯୋଗକାରୀ କହ୍ନେଇ ଫେସବୁକ ରେ ପୋଷ୍ଟ ହୋଇଥିବା ଭିଡିଓର ରେକର୍ଡ଼ିଂ ଥାନାଧିକାରୀଙ୍କୁ ପ୍ରଦାନ କରିଥିଲେ l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଅଭିଯୁକ୍ତ ସୁଶାନ୍ତଙ୍କୁ ରବିବାର ସକାଳୁ ଗିରଫ କରାଯାଇଛି l ଘଟଣା ବାବଦରେ ଆହୁରି ଅନେକ ଦିଗ ପ୍ରତି ତର୍ଜମା କରାଯାଉଛି l


