ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ଗଠନ ଆଲୋଚନାଚକ୍ର

କନ୍ଧମାଳ,(ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲାରେ କାମଧନ୍ଦାର ଅଭାବ ଏବଂ ଅଧିକ ରୋଜଗାରର ଆଶାରେ ପରିବାର ପ୍ରତିପୋଷଣ ପାଇଁ ବହୁ ଯୁବକ-ଯୁବତୀ ଦାଦନ ଖଟିବାକୁ କେରଳ ଓ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। ରାଇକିଆ ଓ ଦାରିଙ୍ଗବାଡ଼ିରୁ ପ୍ରତି ସପ୍ତାହରେ ଶ୍ରମିକ ବୋଝେଇ ବସ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା ବେଳେ, ପ୍ରତିମାସରେ ଜଣେ କିମ୍ବା ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ଏବଂ ପଞ୍ଜୀକରଣ ନ ଥିବାରୁ ମୃତଦେହ ଆଣିବାରେ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପ୍ରସଙ୍ଗ ଉଠିଥିଲା। ଏହି ପରିପ୍ରେକ୍ଷୀରେ ଜି. ଉଦୟଗିରି ସୋସିଆଲ ୱାର୍କର୍ସ ଆସୋସିଏସନ, କନ୍ଧମାଳ (ସ୍ୱାକ) ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ, ଜି. ଉଦୟଗିରିଠାରେ ଅମନ ନାୟକଙ୍କ ସଭାପତିତ୍ୱରେ “ବିକଶିତ କନ୍ଧମାଳ ଓ ଦାଦନମୁକ୍ତ କନ୍ଧମାଳ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ସଂଗଠନର ସମ୍ପାଦକ ହୃଷିକେଶ ପ୍ରଧାନ ପ୍ରାରମ୍ଭିକ ବିବରଣୀ ରଖିଥିବା ବେଳେ ଉପଦେଷ୍ଟା ସମୀର ପାଢ଼ୀ ଦାଦନ ସମସ୍ୟାର କାରଣ ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ ମତ ରଖିଥିଲେ। ଆଲୋଚନାଚକ୍ରରେ ଜିଲ୍ଲାର ୧୨ଟି ବ୍ଲକର ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ପଞ୍ଚାୟତ ରାଜ ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଦାଦନ ଯାଇଥିବା ଶ୍ରମିକମାନେ ଯୋଗଦେଇ ନିଜ ଅନୁଭୂତି ଓ ମତାମତ ପ୍ରକାଶ କରିଥିଲେ। ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ତଥା ସାମାଜିକ କର୍ମୀ ଅଶୋକ ପରିଡ଼ା, ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ, ସନ୍ତୋଷ ଦାସ, ଅରୁଣ ଷଡ଼ଙ୍ଗୀ, ସୀମାଞ୍ଚଳ ବେହେରା, ମାନସ ସେଠ, କୈଳାଶ ଚନ୍ଦ୍ର ଦନ୍ତପାଟ, ନିରଞ୍ଜନ ମିଶ୍ର, ପ୍ରଶାନ୍ତ ପ୍ରଧାନ, ପୂର୍ବତନ ମହିଳା କମିଶନ ସଦସ୍ୟା ଜାଲିନା ପ୍ରିୟଦର୍ଶିନୀ, ପ୍ରଦୀପ ଦାସ, ଜିଆଉଦ୍ଦିନ ଅହମଦ ପ୍ରମୁଖ ମତାମତ ରଖିଥିଲେ। ବକ୍ତାମାନେ କହିଥିଲେ ଯେ, କନ୍ଧମାଳକୁ ଦାଦନମୁକ୍ତ କରିବା ପାଇଁ ସ୍ଥାନୀୟ ସମ୍ବଳ ଆଧାରିତ କୃଷି, ପ୍ରାଣୀପାଳନ, ଲଘୁ ବନଜାତ ଶିଳ୍ପ, ଉଦ୍ୟାନ କୃଷି, ହଳଦୀ-ଅଦା ପ୍ରସେସିଂ, ବାଉଁଶ, ସିଲେଇ ଓ ଅନ୍ୟାନ୍ୟ କୁଟିର ଶିଳ୍ପକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏଥିସହିତ ଜଳସେଚନ, ଜଳ ସଂରକ୍ଷଣ, ଯୁବକମାନଙ୍କୁ ଉଦ୍ୟୋଗୀ କରିବା, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା, ସମୟୋପଯୋଗୀ ପ୍ରଶିକ୍ଷଣ, ଆର୍ଥିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ବ୍ଲକର ଦାଦନ ଶ୍ରମିକଙ୍କ ଡାଟାବେସ ପ୍ରସ୍ତୁତ କରିବା, ଶ୍ରମିକଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିବା, ନିଯୁକ୍ତିଦାତାଙ୍କ ସମ୍ପୂର୍ଣ୍ଣ ବିବରଣୀ ଶ୍ରମ ବିଭାଗ ପୋର୍ଟାଲରେ ଉପଲବ୍ଧ ରଖିବା ଏବଂ ଶ୍ରମିକ କଲ୍ୟାଣ ଯୋଜନାର ଲାଭ ସ୍ୱଚ୍ଛତାର ସହ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଜିଲ୍ଲାସ୍ତରରେ ତୃତୀୟ ଓ ଚତୁର୍ଥ ଶ୍ରେଣୀର ଚାକିରି ଏବଂ ଠିକା ଶ୍ରମିକ ନିଯୁକ୍ତିରେ ସ୍ଥାନୀୟଙ୍କୁ ଅଗ୍ରାଧିକାର, ସହରାଞ୍ଚଳରେ ଅଧିକ ଭେଣ୍ଡିଂ ଜୋନ୍ ସୃଷ୍ଟି, ନିୟମିତ ବଜାର ବ୍ୟବସ୍ଥା ଏବଂ ମନରେଗାରେ ସମାନ କାମକୁ ସମାନ ମଜୁରୀ ଓ ସମୟମତେ ମଜୁରୀ ପ୍ରଦାନ ନେଇ ପ୍ରଶାସନ ସହ ଆଲୋଚନା କରିବାକୁ ସଭାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ