ଶ୍ରାବଣ ପ୍ରଥମ ସୋମବାରରେ ଅଘଟଣ: ପୋଖରୀରେ ବୁଡି ବୋଲବମ ଯୁବକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଚଳିତ ଶ୍ରାବଣ ମାସର ଆଜି ପ୍ରଥମ ସୋମବାରରେ ଜଳାଭିଷେକ ଓ ପୂଜା ପାଇଁ ସ୍ତ୍ରୀଙ୍କୁ ଫୁଲ ତୋଳିବାକୁ କହି ସ୍ବାମୀ ଶୌଚ ହେବା ଲାଗି ନିଜ ଗ୍ରାମ ନିକଟ ପୋଖରୀକୁ ଯାଇ ଶବ ହୋଇ ଘରକୁ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ତବାରସିଂ ଗ୍ରାମପଞ୍ଚାୟତ ଖଜୁରୀଢ଼ିଅ ଗ୍ରାମରେ । ଖଜୁରୀଢିଅ ଗ୍ରାମର ତାରିଣୀ ଦଳେଇଙ୍କ ୨୭ ବର୍ଷୀୟ ବିବାହିତ ରୋଜଗାରିଆ ପୁଅ ଆନନ୍ଦ ଦଳେଇ ପରିବାର ସଦସ୍ୟଙ୍କ ସ୍ବପ୍ନ ଗୁଡିକୁ ସାକାର କରିବା ପାଇଁ ମାନସିକ କରି ଚଳିତ ଶ୍ରାବଣ ମାସର ୨୯ ତାରିଖରେ ତବାରସିଂ ସିଂ ବୋଲ୍ ବମ୍ ସଙ୍ଘରେ ସଂକଳ୍ପ ନେଇଥିଲେ । ଶ୍ରାବଣ ମାସର ପ୍ରଥମ ସୋମବାରରେ ପାଣି ଆଣିବା ପାଇଁ ଆନନ୍ଦ ଦଳେଇ ଭାର ନେଇ ଶିବ ଲିଙ୍ଗରେ ଜଳାଭିଷେକ କରିବା ପୂର୍ବରୁ ଆନନ୍ଦଙ୍କ ସବୁ ସ୍ବପ୍ନ ଚୁନା ହୋଇଯାଇଛି। ଆନନ୍ଦ ଆଜି ସକାଳ ୧୧ ଘଣ୍ଟା ସମୟରେ ନିଜ ସ୍ତ୍ରୀ ଙ୍କୁ ଫୁଲ ତୋଳିବା ପାଇଁ କହି ଶୌଚ ହେବା ପାଇଁ ଗାଁ ନିକଟ ପୋଖରୀକୁ ଯାଇଥିଲେ । ଶୌଚ ପରେ ଗାଧୋଇବା ପାଇଁ ବନ୍ଧକୁ ଯାଇ ଆଉ ଫେରି ନଥିଲେ । ବହୁ ସମୟ ଧରି ଯୁବକ ଜଣକ ନ ଆସିବାରୁ ପରିବାର ଲୋକଙ୍କ ମନରେ ପାପ ଛୁଇଁ ଖୋଜା ଖୋଜି କରି ବନ୍ଧ ନିକଟକୁ ସାନ ଭାଇ ଯାଇ ଦେଖୁବା ବେଳେ ବଡ ଭାଇ ଭାସୁଥିବା ଦେଖୁ ବାପା ଓ ଗ୍ରାମବାସୀଙ୍କୁ ଜଣେଇଥୁଲା I ପରିବାର ଲୋକ ଓ ଗ୍ରାମବାସୀଙ୍କ ସହଯୋଗ ରେ ଆନନ୍ଦଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ଡାକ୍ଟର ସୁବ୍ରତ କୁମାର ସାହୁ ତାଙ୍କୁ ମୃତ୍ୟୁ ଘୋଷଣା କରି କରିଥିଲେ । ଡାକ୍ତରଙ୍କ ଠାରୁ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣୀ ସ୍ତ୍ରୀ ଓ ପରିବାର ଏବଂ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି । । ଆନନ୍ଦଙ୍କ ଦେଢ଼ ବର୍ଷର ଝିଅ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛି । ଏ ନେଇ ରାମଗିରି ଥାନାରେ ୩/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଜି ଗଜପତି ଦୋରା ସୂଚନା ଦେଇଛନ୍ତି।


