ବ୍ରହ୍ମପୁର-ଭଂଜନଗର ରାସ୍ତାରେ ଇ-ଚାଲାଣ ଆରମ୍ଭ : ରାସ୍ତା ଜଗିବ ଏଆଇ କ୍ୟାମେରା
ଆସିକା (ୱାଇଏନ୍ଏସ୍) : ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ଏବଂ ଆସିକା-ଭଂଜନଗର ୧୫୭ ନମ୍ବର ଜାତୀୟ ରାଜପଥରେ ଅଧିକ ବେଗରେ ଗାଡି ଚଳାଇବା, ବିନା ହେଲ୍ମେଟରେ ଦୁଇଚକିଆ ଯାନରେ ଯାତ୍ରା କରିବା, ବାଇକ୍ରେ ୩ ଜଣ ବସିବା, ଭୂଲ ଦିଗରେ ଗାଡି ଚଳାଉଥିଲେ ଏଣିକ ଗଣିବାକୁ ପଡିବ ମୋଟା ଅଙ୍କର ଚାଲାଣ । ଆଉ ଅଧା ବାଟରେ କେହି ଗାଡି ଅଟକାଇ ଚାଲାଣ କାଟିବେ ନାହିଁ । ଟ୍ରାଫିକ୍ ନିୟମ ତଥା ସଡକ ସୁରକ୍ଷା ନିୟମ ଉଲଙ୍ଘନ କଲେ ଆପେ ଆପେ କଟିଯିବ ଚାଲାଣ । ଗତ ଅଗଷ୍ଟ ମାସ ପହିଲାରୁ ବ୍ରହ୍ମପୁର-ଭଂଜନଗର ରାସ୍ତାରେ ଆରମ୍ଭ ହୋଇଯାଇଛି କୃତ୍ରିମ ବୁଦ୍ଧିମତା (ଏଆଇ) ଭିତ୍ତିକୁ ଇ-ଚାଲାଣ ବ୍ୟବସ୍ଥା । ବ୍ରହ୍ମପୁର-ଭଂଜନଗର ରାସ୍ତାର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଖଂଜା ଯାଇଛି ଏଆଇ କ୍ୟାମେରା । ସଡକ ସୁରକ୍ଷାକୁ ସୁଦୃଢ କରି ଟ୍ରାଫିକ୍ ନିୟମର କଡ୍ଡା କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସରକାର ଇଣ୍ଟିଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜ୍ମେଣ୍ଟ ସିଷ୍ଟମ ଆରମ୍ଭ କରିଥିଲା ବେଳେ ଏହାକୁ ସଚେତନ ନାଗରିକ ମହଲରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଗତ ଅଗଷ୍ଟ ମାସ ୧ ତାରିଖରୁ ଏହି ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଏଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଯାଇଛି । ଟ୍ରାଫିକ୍ ନିୟମ ଉଲଙ୍ଘନ କରୁଥିବା ଗାଡିଚାଳକଙ୍କୁ ଏହା ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ-ଚାଲାଣ କରାଯିବ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର-ଭଂଜନଗର, ମଙ୍ଗୁଳି-ସମ୍ବଳପୁର, ବ୍ରହ୍ମପୁର-ତପ୍ତପାଣି, ସମ୍ବଲପୁର-ରାଉରକେଲା ରାଥପଥରେ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ଜଣାପଡିଛି । ଏହି ସ୍ୱୟଂଚାଳିତ ପ୍ରାଣାଳୀ ରିୟଲ୍-ଟାଇମ୍ରେ ଟ୍ରାଫିକ୍ ନିୟମ ଉଲଙ୍ଘନକୁ ଚିହ୍ନଟ କରି ମାନବୀୟ ହସ୍ତକ୍ଷେପ ବିନା ଇ-ଚାଲାଣ ପ୍ରସ୍ତୁତ କରିବ ବୋଲି ଜଣାପଡିଛି । ଫଳରେ କାର୍ଯ୍ୟାନୁଷ୍ଠାନରେ ସ୍ୱଚ୍ଛତା ଓ ନିରପେକ୍ଷତା ବୃଦ୍ଧି ପାଇବ । ଫଟୋ ଓ ଭିଡିଓ ପ୍ରମାଣ ସହ ଇ-ଚାଲାଣର ନୂତନ ବ୍ୟବସ୍ଥାରେ ଅତ୍ୟଧିକ ବେଗରେ ଗାଡି ଚଳାଇବା, ଦୁଇଚକିଆ ଯାନରେ ୩ ଜଣ ବସି ଯାତ୍ରା କରିବା, ହେଲ୍ମେଣ୍ଟ ନ ପିନ୍ଧି ଯାତ୍ରା କରିବା ଏବଂ ଭୂଲ ପାଶ୍ୱର୍ରେ ଗାଡି ଚଳାଇବା ଭଳି ଚାରୋଟି ନିୟମକୁ କଡ୍ଡା ନଜର ରଖାଯାଇଥିଲା ବେଳେ ନିୟମ ଉଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇ ନିୟମ ଭଙ୍ଗ କରୁଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯିବାର ବ୍ୟବସ୍ଥା ରହିଥିବା ଜଣାପଡିଛି । ପ୍ରତ୍ୟେକ ଇ-ଚାଲାଣ ସହ ଫଟୋ କିମ୍ବା ଭିଡିଓ ପ୍ରମାଣ, ଗାଡିର ପଞ୍ଜିକରଣ ସଂଖ୍ୟା, ତାରିଖ, ସମୟ, ଘଟଣାସ୍ଥଳ ଏବଂ ଗାଡିର ବେଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଲଗ୍ନ ରହିବାର ବ୍ୟବସ୍ଥା କରାଯାଇଛି । ପରିବହନ ବିଭାଗର ଏହି ମହନୀୟ ତଥା ଜନକଲ୍ୟାଣକାରୀ ପ୍ରୟାସ ସଡକ ଦୁର୍ଘଟଣାକୁ ହ୍ରାସ କରିବାର ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ପର୍ଯ୍ୟାୟରେ ଅଧିକ ରାଜପଥକୁ ମଧ୍ୟ ଏହି ବ୍ୟବସ୍ଥା ଅଧୀନକୁ ଅଣାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏ ସଂପର୍କରେ ଭନଜଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେହି କହିଲେ ଯେ ଇ-ଚାଲାଣ ବ୍ୟବସ୍ଥା ଆମ ନିୟନ୍ତ୍ରଣରେ ନାହିଁ ଏବଂ ଏହା ସଂପୁର୍ଣ୍ଣ ରାଜ୍ୟ ପରିବହନ ବିଭାଗ ଅଧୀନରେ ରହିଥିଲା ବେଳେ ଗାଡିଚାଳନା ବେଳେ ସଡକ ସୁରକ୍ଷା ନିୟମକୁ ସଠିକ୍ ଭାବେ ମାନ ଗାଡି ଚାଳନା କରିବାକୁ ପରାମର୍ଶ ଦେଇଛନ୍ତି । ଆସିକା-ଭଂଜନଗର ରାସ୍ତାର କର୍ପୂରନୁଆଗାଁ, ବାଘୁଆପଲ୍ଲୀ, ସିଙ୍ଗିପୁର, ବୀରଲକ୍ଷ୍ମଣପୁର, ଗୋବରା, ମଧୁପଲ୍ଲୀ, ଜିଲୁଣ୍ଡି ନିକଟରେ ପରିବହନ ବିଭାଗ ପକ୍ଷରୁ ଏଆଇ କ୍ୟାମେରା ଲଗାଯାଇଥିବା ଜଣାପଡିଛି । ଯାହାକି ଦ୍ରୁତ ଗତିରେ ଯାଉଥିବା ଗାଡି ଉପରେ ତୀକ୍ଷଣ ନଜର ରଖିବାରେ ସହାୟକ ହୋଇପାରିବ । ଆସିକା-ଭଂଜନଗର ରାସ୍ତାରେ ୭ଟି ସ୍ଥାନରେ ଏଆଇ କ୍ୟାମେରା ଲଗାଯାଇଥିଲା ବେଳେ ଏସ୍ଟିଏ (ଷ୍ଟେଟ୍ ଟ୍ରାନ୍ସପୋର୍ଟ ଏଜେନ୍ସି) ଦ୍ୱାରା ସିଧାସଳଖ ସମସ୍ତ ସ୍ଥାନର କ୍ୟାମେରାକୁ ମନିଟରିଂ କରାଯାଉଥିବା ଜଣାପଡିଛି । ବେପରୁଆ ଗାଡି ଚାଳନା, ବିନା ହେଲମେଟ୍ରେ ଗାଡିଚାଳନା ସମେତ ସଡକ ସୁରକ୍ଷା ନିୟମକୁ ଉଲଙ୍ଘନ କରୁଥିବା ଗାଡି ଗୁଡିକ ଉପରେ ଏହି ଏଆଇ କ୍ୟାମେରା ତୀକ୍ଷଣ ନଜର ରଖୁଥିବା ଜଣାପଡିଛି ।


