ଡାକବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା : ଗ୍ରାହକଙ୍କ ଆକର୍ଷଣ ପାଲଟିଛି ରାକ୍ଷୀ ଲଫାପା
ଆସିକା (ୱାଇଏନ୍ଏସ୍): ଆଗକୁ ରାକ୍ଷୀ ପୂର୍ଣ୍ଣିମା । ଭାଇଭଉଣୀର ପବିତ୍ର ସଂପର୍କକୁ ସବୁଦିନ ପାଇଁ ଉଜ୍ଜିବୀତ କରିରଖିବା ପାଇଁ ହିନ୍ଦୁ ସଂପ୍ରଦାୟରେ କେଉଁ ଆବାହମାନ କାଳରୁ ରାକ୍ଷୀପୂର୍ଣ୍ଣିମା ବେଶ୍ ଗୁରୁତ୍ୱ ବହନ କରିଆସୁଛି । ଆସିକା ଡାକମଣ୍ଡଳ ଅଧୀନସ୍ଥ ଭଂଜନଗର ପ୍ରଧାନ ଡାକଘର ଓ ଆସିକା ଖମ୍ବେଶ୍ୱରୀପାଟଣା, ରଘୁନାଥ ନଗର, ସୁନାମ୍ବ ସାହି, ତାଲୁକା ରୋଡ, ଜଙ୍କ୍ସନ୍, କଲେଜ ଛକ, ନ୍ୟୁଆଗାଁ, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ, ପିତଳ, ବୁରୁପଡା, କଞ୍ଚୁରୁ, ମୁଣ୍ଡମରାଇ, ଧରାକୋଟ, ସୋରଡା, ବଡଗଡ, ଅସୁରବନ୍ଧ, ଭେଟନଇ, ବାଲିପଦର, କରଚୁଲି, ବୁଗୁଡା, ବେଲଗୁଣ୍ଠା, ତନରଡା ସମେତ ୪୫ଟି ଉପଡାକଘର ଏବଂ ୨୮୬ଟି ଶାଖା ଡାକଘର ଗୁଡିକରେ ସୁଲଭ ମୂଲ୍ୟରେ ବିକ୍ରୀ ହେଉଥିବା ଅତି ଆକର୍ଷଣୀୟ ରାକ୍ଷୀ ଲଫାପା ଗ୍ରାହକଙ୍କ ମନ ଜିଣିନେଉଥିବା ଦେଖିବାକୁ ମିଳୁଛି । ଡାକବିଭାଗ ପକ୍ଷରୁ ବିକ୍ରୀ ହେଉଥିବା ରାକ୍ଷୀ ଲଫାପା ଲୋକଙ୍କୁ ବେଶ୍ ଆକୃଷ୍ଟ କରିବାରେ ଲାଗିଛି । ହଳଦିଆ ଓ ନାଲି ରଙ୍ଗର ଏହି ଲଫାପାଟି ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥିଲା ବେଳେ ଏହାରି ଉପରେ ରକ୍ଷାବନ୍ଧନ ଉପଲେକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଲେଖାଯିବା ସହ ରାକ୍ଷୀର ଏକ ଫଟୋଚିତ୍ର ମଧ୍ୟ ରହିଛି । ଡାକବିଭାଗ ପକ୍ଷରୁ ବିକ୍ରୀ ହେଉଥିବା ଏହି ରାକ୍ଷୀ ଲଫାପାଟି ଜରିରେ ତିଆରି ହୋଇଥିବା ଯୋଗୁଁ କାଗଜ ଲଫାପା ଅପେକ୍ଷା ଏହା ସଂପୁର୍ଣ୍ଣ ଭିନ୍ନ ଥିବା ପରିଲକ୍ଷିତ ହେଉଛି । ଏହି ଲଫାପାଟି ସହଜରେ ଚିରିବ ନାହିଁକି ପାଣିରେ ଓଦା ହେବ ନାହିଁ । ଏହି ରାକ୍ଷୀ ଲଫାପାର ଦାମ୍ ମାତ୍ର ୧୦ ଟଙ୍କା ରହିଥିବା ଜଣାପଡିଛି । ଆସିକା ଡାକମଣ୍ଡଳ ଅଧୀନସ୍ଥ ଭଂଜନଗର ପ୍ରଧାନ ଡାକଘର ଓ ୪୫ଟି ଉପଡାକଘର ଏବଂ ୨୮୬ଟି ଶାଖା ଡାକଘର ଗୁଡିକରେ ବିକ୍ରୀ ହେଉଥିବା ରାକ୍ଷୀ ଲଫାପାର ଚାହିଦା ରହିଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣ ଯେପରି ଅଧିକରୁ ଅଧିକ ଏହି ରାକ୍ଷୀ ଲଫାପାକୁ କ୍ରୟ କରି କାମରେ ଲଗାଇପାରିବେ ତାହାକୁ ଦୃଷ୍ଟିରେ ରଖି ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଦିଲୀପ କୁମାର ବେହେରାଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ସହକାରୀ ଅଧୀକ୍ଷକ ପରମାନନ୍ଦ କଣ୍ଠ, ବିଭାଗୀୟ କର୍ମଚାରୀ ଅନୁପ କୁମାର ପାଣିଗ୍ରାହୀ, ଦୀପକ ରଂଜନ ପାଣିଗ୍ରାହୀ, ରବିନାରାୟଣ ଚୌଧୁରୀ, ରାକେଶ୍ କୁମାର ପାଠୀ, ବୁଲୁ ସେଠୀ, ମହାକାଳ ନାୟକ, ଜୟପ୍ରକାଶ ବିଷୋୟୀ, ସାଜନ୍ କୁମାର ମହାପାତ୍ର, ରଘୁନାଥ ନାୟକ, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର ଗୌଡ, ପ୍ରଭାତ କୁମାର ପ୍ରଧାନ, ରମେଶ ଚନ୍ଦ୍ର ସେଠୀ, ସିମାଞ୍ଚଳ ମହାରଣା, ଲକ୍ଷ୍ମୀନାରାୟଣ ପାତ୍ର, ସମରେଶ୍ ଗୌଡ, ସୁନିଲ୍ କୁମାର ବିଷୋୟୀ, ବିଷ୍ଣୁପ୍ରସାଦ ସେଠୀ, ଶୁଭ୍ରକାନ୍ତ ପାତ୍ର, ମହେଶ୍ୱର ଗୌଡ, ରାଜେଶ୍ କୁମାର ଡେଚିରୀୱାଲ୍, ହେରମ୍ବ ବେହେରା, ରବିନ୍ଦ୍ରନାଥ ପାତ୍ର, କୃଷ୍ଣନନ୍ଦ ଭଂଜ, ପ୍ରତାପ ସେଠୀ, ସରୋଜ ମହାନ୍ତି, ସିନ୍ଧୁଜା ପାଢୀ, ତନ୍ମୟୀ ଦଳେଇଙ୍କ ସମେତ ବହୁ କର୍ମଚାରୀ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି । ଦୀର୍ଘ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ କେବଳ ରାକ୍ଷୀ ପୂର୍ଣ୍ଣିମା ଆସିଲେ ଡାକବିଭାଗ ପକ୍ଷରୁ ପ୍ରଧାନ ଡାକଘର ସମେତ ବିଭିନ୍ନ ପ୍ରମୁଖ ଡାକଘର ଗୁଡିକରେ ଏହି ସ୍ୱତନ୍ତ୍ର ରାକ୍ଷୀ ଲଫାପା ବିକ୍ରୀ ହେଉଥିବା ଜଣାପଡିଛି । ଆସିକା ଡାକମଣ୍ଡଳୀ ଅଧୀନସ୍ଥ ପ୍ରଧାନ ଡାକଘର ସମେତ ଉପଡାକଘର ଏବଂ ଶାଖା ଡାକଘର ଗୁଡିକରେ ମାତ୍ର ୩୦ ଟଙ୍କା ମୂଲ୍ୟରେ ଗଙ୍ଗାଜଳ ବୋତଲ୍ ମଧ୍ୟ ବିକ୍ରୀ କରାଯାଉଥିବା ଜଣାପଡିଛି ।


