ବର୍ଷାଜଳ ନିଷ୍କାସନ ହେଉ ନଥିବାରୁ ଚାଷୀ ହନ୍ତସନ୍ତ, ଆନ୍ଦୋଳନ ଚେତାବନୀ

ହାଟଡିହି (ଓ୍ବାଇଏନଏସ): ବଡରମ୍ପାସ ଡିଷ୍ଟବୁଟାରୀ କେନାଲରେ ଅବ୍ୟବସ୍ଥା ଯୋଗୁଁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ଅଭିଯୋଗ ଆଣି ଅଞ୍ଚଳର ଏକାଧିକ ଗ୍ରାମର ଚାଷୀମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।   ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଶାସଙ୍ଗ, ସୁଲଣ, ଆବୁଲୁପୁରା, ବିରିଡି, ସରଳ, କୋଳିପଦି ଆଦି ଗ୍ରାମର ବର୍ଷାଜଳ ବଡରମ୍ପାସ ଡିଷ୍ଟବୁଟାରୀ କେନାଲରେ ଆସୁଛି। କିନ୍ତୁ ଆବଶ୍ୟକ ଭାବେ ଜଳ ନିଷ୍କାସନ ହେଉନଥିବାରୁ ବର୍ଷାଜଳ କେନାଲ ଘାଇ ଦ୍ୱାରା ଟୁକୁଣା, ଈଶଳା, ଖସିପୁର, ଓସ୍ତପାଳ, ଧାନଘର, ସଡ଼ଙ୍ଗା, ଇଞ୍ଚୋଳ ଆଦି ଗ୍ରାମକୁ ଯାଇ ଚାଷ ଜମିସବୁ ବୁଡ଼ି ଯାଉଛି। ଫଳରେ ଚାଷ ଜମିରେ ପାଣି ଜମି ରହିବା ସହ ଚାଷ କାର୍ଯ୍ୟ ଆଗେଇ ନେବା କଷ୍ଟକର ହୋଇପଡ଼ିଛି। ବିଭିନ୍ନ ଗ୍ରାମର ବର୍ଷାଜଳ କେନାଲ ମଧ୍ୟ ଦେଇ ନିଷ୍କାସିତ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଅବରୋଧ ଯୋଗୁଁ ତାହା ସମ୍ଭବ ହେଉନଥିବା ଚାଷୀମାନେ କହିଛନ୍ତି। ଏନେଇ ସମ୍ପୃକ୍ତ କେନାଲ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ତୁରନ୍ତ କେନାଲର ଅବରୋଧ ହଟାଇ ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ସହ ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲଲାଟେନ୍ଦୁ କେଶରୀ ଜେନା, ନଳିନୀ କାନ୍ତ ଧଳ, ତପନ କୁମାର ପ୍ରଧାନ, ରତ୍ନାକର ଜେନା, ମାୟାଧର ମହାନ୍ତି, ହରିହର ଦାସ, ଅକ୍ଷୟ ମଲ୍ଲିକ, ସୁମନ୍ତ ମଲ୍ଲିକ, ବାଇଧର ସେଠୀ, ସୁଦାମ ଶଙ୍ଖୁଆ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି। ଆସନ୍ତା କାଲି ବୁଧବାର ଦିନ ସେମାନେ ଏହାର ପ୍ରତିବାଦରେ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ଆନନ୍ଦପୁର ବିଧାୟକ, ଏସ. ଇ ଶାଳପଡା, ନନ୍ଦିପଦା ଥାନା ଅଧିକାରୀ ପ୍ରମୁଖଙ୍କୁ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ