ବାଲିଭଉଁରୀ-ଶିଖରଘାଟ ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଅବରୋଧ ପ୍ରତ୍ୟାହୃତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ସଦର ମହକୁମାରୁ ନାଉଗାଁ ବ୍ଳକକୁ ସଂଯୋଗ କରିବା ପାଇଁ ବାଲିଭଉଁରୀ-ଶିଖରଘାଟ ରାସ୍ତା ରହିଛି। ଉକ୍ତ ସଂଯୋଗୀକରଣ ରାସ୍ତାଟି ୧୮କି.ମି ହୋଇଥିବା ବେଳେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି। ଏହି ରାସ୍ତାଟି ପୂର୍ତ ବିଭାଗ ଅଧୀନରେ ରହିଛି। ବାରମ୍ବାର ରାସ୍ତା ବିପର୍ଯ୍ୟସ୍ତକୁ ନେଇ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାକୁ ନେଇ ବ୍ଳକର ଯୁବ ସଚେତନତା ମଂଚ ପକ୍ଷରୁ ମଙ୍ଗଳବାର ବ୍ଳକଛକ ଠାରେ ରାସ୍ତାଟିକୁ ଅବରୋଧ କରାଯାଇଥିଲା। ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଦୀର୍ଘ ୫ଘଂଟା ରାସ୍ତା ଅବରୋଧ ପରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧକୁ ପ୍ରତ୍ୟାହୃତ କରାଯାଇଥିଲା। ଅବରୋଧସ୍ଥଳକୁ ପ୍ରଥମେ ଏବିଡିଓ ଦିନେଶ ରାୟ ଓ ପୂର୍ତ ବିଭାଗର ସହାକାରୀ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ ଆସି ପହଂଚି ବୁଝା ବୁଝି କରିଥିଲେ। ଏପରିକି ଯନ୍ତ୍ରୀଙ୍କୁ ଯେକୌଣସି ସମୟରେ ଫୋନ କଲେ ଯନ୍ତ୍ରୀ ଫୋନ ଉଠାଉ ନଥିବା ଉପସ୍ଥିତ ଅବରୋଧକାରୀମାନେ କହିଥିଲେ। ତେଣୁ ରାସ୍ତା ବିଷୟରେ ତାଙ୍କ ସହିତ ଆଲୋଚନା କରିବାକୁ ରୋକ ଠୋକ ମନା କରିଦେଇଥିଲେ। ପରେ ଘଟଣାସ୍ଥଳକୁ ତହସିଲଦାର ଅକ୍ଷୟ ବଡୁ, ବିଡିଓ ନିରଞ୍ଜନ ପରିଡା, ଅତିରିକ୍ତ ତହସିଲଦାର ଶରତ ପରିଡା ଆସି ପହଂଚିଥିଲେ ହେଲେ କୌଣସି ସମାଧାନ ହୋଇ ପାରି ନଥିଲା। ଗତ ସାତ ଦିନ ହେବ ରାସ୍ତା ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ଉତର ରଖାଯାଇ ନଥିବାର ଅବରୋଧକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ଘଟଣାସ୍ଥଳକୁ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଇଲୁସା ପାଣିଗ୍ରାହୀ ପହଂଚି ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ। ୪ଦିନ ମଧ୍ୟରେ ରାସ୍ତାକୁ ଅସ୍ଥାୟୀ ଭାବେ ମରାମତି କାର୍ଯ୍ୟ କରାଯିବା ସହ ଟେଣ୍ଡର ପରେ ସ୍ଥାୟୀ ରାସ୍ତା ନିର୍ମାଣ କରାଯିବାର ପ୍ରତୃଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଏହି ଅବରୋଧରେ ଅଶୋକ ସ୍ୱାଇଁ, ସୁନିଲ ମାଟିଆ, ଦେବଜ୍ୟୋତି ମହାନ୍ତି, ମାନସ ସ୍ୱାଇଁ,ଗୌରାଙ୍ଗ ଦାସ,ଦିଲିପ ପାଢୀ, ମନୋଜ ଦାସ, ଘୋଡାଂଶ ସରପଂଚ ନିହାର ବସ୍ତିଆ, ପ୍ରିତମ ପରିଜା, ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା, ପଦ୍ମଚରଣ ରାଉତ,ସାମାଜିକ କର୍ମୀ ସମୀର ନାୟକ, ଅନିଲ ଲେଙ୍କା, ଜିତେନ୍ଦ୍ର ମହାନ୍ତି, ସୁରେଶ ମହାନ୍ତି, ପ୍ରଭଞ୍ଜନ ନାୟକ, ସୌଭାଗ୍ୟ ରଂଜନ ଜେନା, ଓମ୍ ପ୍ରକାଶ ବେହେରା,ପ୍ରେମ ମହାନ୍ତି, ମନୋଜ ନାୟକ, ଅଭିମନ୍ୟୁ ସାହୁ, ଘୋଡାଂଶ ପଂଚାୟତ ସଭ୍ୟ ତରୁଣକାନ୍ତ ବାରିକ ଆଦି ଶତାଧିକ ଯୁବ ଗୋଷ୍ଠୀ, ସଚେତନ ନାଗରିକ ଯୋଗ ଦେଇଥିଲେ। ରାସ୍ତା ଅବରୋଧ ପରେ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିଥିଲା। ସୂଚନାଯୋଗ୍ୟ ଯେ ରାସ୍ତା ଅବରୋଧ ପାଇଁ ଅଗଷ୍ଟ ୩ ରେ ଯୁବ ସଚେତନତା ମଂଚ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲାପାଳଙ୍କ ସମେତ ଏହି ଦାବିପତ୍ରର ନକଲ ଆରକ୍ଷୀ ଅଧିକ୍ଷକ,ଜଗତସିଂହପୁର, ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଜଗତସିଂହପୁର,ଜିଲା ଚିକିତ୍ସାଧିକାରୀ,ଥାନାଧିକାରୀ ନାଉଗାଁଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି। ଯଦି ସାତ ଦିନ ମଧ୍ୟରେ ଅସ୍ଥାୟୀ ଭାବେ ରାସ୍ତା ମରାମତି ସହ ଦୀର୍ଘ ମିଆଦି ଭିତିରେ ରାସ୍ତାର ସ୍ଥାୟୀ ଉନ୍ନତିକରଣ ଓ ସଂପ୍ରସାରଣ କରା ନଯାଏ ତେବେ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଯୁବ ସଚେତନତା ମଂଚ ପକ୍ଷରୁ ଚେତାବନୀ ଦିଆଯାଇଥିଲା।


