ଜିଲ୍ଲାପାଳଙ୍କ କୋଷଗୁମୁଡ଼ା ବ୍ଲକ ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ଆହାର କେନ୍ଦ୍ର, ବସଷ୍ଟାଣ୍ଡ ଓ ଶିକ୍ଷାନୁଷ୍ଠାନକୁ ଆକସ୍ମିକ ପରିଦର୍ଶନ କରି କାର୍ଯ୍ୟକାରିତା, ରେକର୍ଡ ସଂରକ୍ଷଣ, ସେବା ପ୍ରଦାନର ମାନ ଓ ଚାଲୁଥିବା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ସମୀକ୍ଷା କରିଛନ୍ତି।
ଜିଲ୍ଲାପାଳ ପ୍ରଥମେ କୋଷାଗୁମୁଡ଼ା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଫାଇଲ୍, ରେକର୍ଡ ଓ ସରକାରୀ ନଥିପତ୍ର ଯାଞ୍ଚ କରିଥିଲେ। ରେକର୍ଡଗୁଡ଼ିକର ସଠିକ୍ ସଂରକ୍ଷଣ, ନିୟମିତ ଅଦ୍ୟତନ ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ନିଶ୍ଚିତ କରିବାକୁ ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରେ ଜିଲ୍ଲାପାଳ କୋଷାଗୁମୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଚାଲୁଥିବା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ଆଲୋଚନା କରି ହସ୍ପିଟାଲର ଦୈନନ୍ଦିନ କାର୍ଯ୍ୟ ପରିଚାଳନା, ରୋଗୀ ସେବା, ଆବଶ୍ୟକ ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ରୋଗୀମାନଙ୍କୁ ଉନ୍ନତମାନର ଓ ସୁଗମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏହାପରେ ଜିଲ୍ଲାପାଳ କୋଷାଗୁମୁଡ଼ା ବସଷ୍ଟାଣ୍ଡ ପରିଦର୍ଶନ କରି ସେଠାରେ ଉପସ୍ଥିତି ରେଜିଷ୍ଟର ଯାଞ୍ଚ କରିବା ସହ ବସଷ୍ଟାଣ୍ଡର ସାମଗ୍ରିକ ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ବସଷ୍ଟାଣ୍ଡ ପରିଚାଳକ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସାଧାରଣ ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ସଫେଇ, ପରିମଳ ଓ ଆବଶ୍ୟକ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ହସ୍ପିଟାଲ ପରିସରରେ କାର୍ଯ୍ୟରତ ଆହାର କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ଖାଦ୍ୟର ଗୁଣବତ୍ତା, ପରିଷ୍କାର-ପରିଚ୍ଛନ୍ନତା, ରୋଷେଇ ଓ ଖାଦ୍ୟ ପରିବେଷଣ ବ୍ୟବସ୍ଥା ସହିତ ସାମଗ୍ରିକ ପରିଚାଳନା ଅନୁଧ୍ୟାନ କରିଥିଲେ। ହିତାଧିକାରୀ ଓ ସାଧାରଣ ଲୋକଙ୍କୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣବତ୍ତାସମ୍ପନ୍ନ ଖାଦ୍ୟ ଯୋଗାଇଦେବାକୁ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ସନ୍ତୋଷପୁର ସ୍ଥିତ ଏସଏସଡି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷାଦାନର ମାନ, ଶ୍ରେଣୀକକ୍ଷରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ, ପାଠ୍ୟକ୍ରମର କାର୍ଯ୍ୟକାରିତା ଓ ବିଦ୍ୟାଳୟ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତି ସହ ସେମାନଙ୍କର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଶିକ୍ଷକମାନଙ୍କୁ କହିଥିଲେ।ଏହି ପରିଦର୍ଶନ ସମୟରେ ସେହି ବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଗୃହର ନିର୍ମାଣ କାର୍ଯ୍ୟ ମଧ୍ୟ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ନିର୍ମାଣ କାର୍ଯ୍ୟରେ ନିର୍ଦ୍ଧାରିତ ବୈଷୟିକ ମାନଦଣ୍ଡ, ଅନୁମୋଦିତ ନକ୍ସା, ସାମଗ୍ରୀର ନିର୍ଦ୍ଧାରିତ ମାନ ଓ ଗୁଣବତ୍ତା ମାନଦଣ୍ଡକୁ କଡ଼ାକଡ଼ିରେ ପାଳନ କରିବାକୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।ପରିଦର୍ଶନ ସମୟରେ କୋଷାଗୁମୁଡ଼ା ବିଡିଓଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


