ସର୍ଭର ଡାଉନ: ପଞ୍ଜୀକରଣ ବେଳେ ଚାଷୀ ଅପେକ୍ଷା କରୁଛନ୍ତି ଦୀର୍ଘ ସମୟ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ସରକାର କହୁଛନ୍ତି ମଣ୍ଡିରେ ସ୍ୱଚ୍ଛତା ଆଣିବୁ, ଚାଷୀଙ୍କୁ ସିଧା ଟଙ୍କା ଦେବୁ। ହେଲେ ପଞ୍ଜୀକରଣ ପର୍ବରେ ଏମିତି ଜଟିଳ ନିୟମ ଲଦି ଦିଆଯାଇଛି ଯେ ଚାଷୀ ଚାଷ ଛାଡି ପ୍ୟାକ୍ସ ଆଗରେ ଧାଡିରେ ଛିଡା ହେବାକୁ ବାଧ୍ୟ ହେଉଛି। ଏହାକୁ ଡିଜିଟାଲ୍ ଇଣ୍ଡିଆ କୁହାଯିବ ନା ହଇରାଣ ଇଣ୍ଡିଆ କୁହାଯିବ – ପ୍ରଶ୍ନ ଉଠାଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ହଜାର ହଜାର ଚାଷୀ। ଅସ୍ତରଙ୍ଗ ବ୍ଲକରେ ୧୦ଟି ପ୍ୟାକ୍ସ ଅଛି। ଗତ ଖରିଫରେ ୩୨୦୪ ଜଣ ପଞ୍ଜୀକରଣ କରିଥିଲେ। ଚଳିତ ବର୍ଷ ଅଗଷ୍ଟ ୨୦ ସୁଦ୍ଧା ମାତ୍ର ୧୨୧୫ ଜଣ, ଅର୍ଥାତ ମାତ୍ର ୩୮%। ଆଉ ମାତ୍ର ୧୦ ଦିନ ଡେଡଲାଇନ୍ ବାକି। ଏବେ ବି ୧୯୮୯ ଜଣ, ମାନେ ୬୨% ଚାଷୀ ପଞ୍ଜୀକରଣ ବାହାରେ। ଏ ସଂଖ୍ୟା ସରକାରଙ୍କ ସ୍ୱଚ୍ଛତା ନାରାକୁ ପ୍ରଶ୍ନ କରୁଛି। ଗୋଟିଏ ପ୍ୟାକ୍ସକୁ ଗୋଟିଏ ମାତ୍ର ଆଇଡି। ଆଗ ଦୁଇ-ତିନିଟି ଲାପଟପରେ କାମ ହେଉଥିଲା।ନୂଆ ନିୟମ – ଜଣେ ଚାଷୀଙ୍କ ଡାଟା ସବମିଟ୍ ହେବା ପରେ ହିଁ ଆଉ ଜଣଙ୍କ ଡାଟା ଏଣ୍ଟ୍ରି ହେବ। ସାଙ୍ଗେ ଆଇ-ସ୍କାନ୍, ଫଟୋ ଅପଲୋଡ୍।ଘଣ୍ଟା ଘଣ୍ଟା ସର୍ଭର ଡାଉନ୍। ସକାଳ ୯ରୁ ରାତି ୧୧ ଯାଏଁ ଅପେରେଟର ବସିଲେ ବି ଦିନକୁ ୧୫-୨୦ ରୁ ଅଧିକ ହେଉନାହିଁ।ଏ ନେଇ ଚାଷୀ ଭଗବାନ ବିଶ୍ୱାଳ କହିଛନ୍ତି “ବିଲରେ ଧାନ ରୁଆ ସମୟ ଅଛି, ଆମେ ପ୍ୟାକ୍ସ ଆଗରେ। ୩ ଦିନ ହେଲା ଆସୁଛୁ, ସର୍ଭର ନାହିଁ। ଏହା ଚାଷୀ ମାରଣ ନୀତି।”ଅନ୍ୟ ଜଣେ ଚାଷୀ ଅକ୍ଷୟ ପତି କହିଛନ୍ତି,”ଗତବର୍ଷ ସହଜ ଥିଲା। ଏବର୍ଷ ଫର୍ମାଟ୍ ବଦଳିଛି। ଗୋଟିଏ ପ୍ୟାକ୍ସରେ ୩୦୦-୪୦୦ ଚାଷୀ, ଗୋଟିଏ ଆଇଡିରେ କେମିତି ହେବ?” ଏ ସମ୍ପର୍କରେ ସମବାୟ ସମିତି ଉପ ନିବନ୍ଧକ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଚାଷୀଙ୍କ ସଂଘ ଦାବି କରିଛି – ପ୍ରତି ପ୍ୟାକ୍ସରେ ଅତି କମରେ ୩ଟି ଆଇଡି ଦିଆଯାଉ, ସର୍ଭର ସମସ୍ୟା ଦୂର ହେଉ ଏବଂ ପଞ୍ଜୀକରଣ ଅବଧି ୧୫ ଦିନ ବଢାଯାଉ। ନଚେତ ଶହ ଶହ ଚାଷୀ ମଣ୍ଡିରୁ ବାଦ୍ ପଡିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ